ଉମରକୋଟ,: ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ସାର ପାଇଁ ହାହାକାର ପରିସ୍ଥିତି ଲାଗି ରହିଛି। ଏମିତି ସ୍ଥିତିରେ ଆଜି ଏହି ଅଞ୍ଚଳରେ ଗୋଟିଏ କୌତୂହଳପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିକ୍ରି ପାଇଁ ଯାଉଥିବା ସାରକୁ ଅଧା ରାସ୍ତାରେ ଲୁଟି ନେଇଛନ୍ତି ଲୋକ। ଅଚଳ ହୋଇ ରାସ୍ତାରେ ଅଟକିଥିବା ଟ୍ରକ୍‌ରୁ ୧୮ଟନ୍‌ ୟୁରିଆ ଆଖି ପିଛୁଳାକେ ଖାଲି କରିଦେଲେ।ଆବଶ୍ୟ ଏଥିପାଇଁ ଲୋକେ କିଛି କିଛି ଟଙ୍କା ସାର ବିକ୍ରେତାଙ୍କୁ ଦେଇଥିବା ଜଣାପଡ଼ିଛି। ତଥାପି ସାର ପାଇଁ ଏମିତି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସ୍ଥାନୀୟ ସାର ବ୍ୟବସାୟୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ସାର ଅଭାବକୁ କେନ୍ଦ୍ରକରି ବାରମ୍ବାର ରାସ୍ତାରୋକ ସହ ବିକ୍ଷୋଭ ପ୍ରଦର୍ଶନ ହେଉଛି। ଗତ ସପ୍ତାହରେ ଉମରକୋଟ ଅଞ୍ଚଳର ଚାଷୀ ରାସ୍ତାକୁ ଓହ୍ଲାଇ ଆସିବା ସହ କୃଷି ବିଭାଗକୁ ରାସ୍ତାରେ ଚଲାଇଥିଲେ। ତଥାପି ସାର ଯୋଗାଣ ପର୍ଯ୍ୟାପ୍ତ ପରିମାଣରେ ଏହି ଅଞ୍ଚଳକୁ ହୋଇପାରିନାହିଁ। ଏବେ ବି ଶହ ଶହ ଚାଷୀ ସାର ଅପେକ୍ଷାରେ ରହିଛନ୍ତି। ଆଉ ଆଜି ଉମରକୋଟ ନିକଟସ୍ଥ ମୃତ୍ତମା ଠାରେ ଗୋଟିଏ ସାର ବୋଝେଇ ଟ୍ରକ୍‌ ଚାଷୀଙ୍କ ହାବୁଡ଼ରେ ପଡ଼ିଯାଇଥିଲା। ଏହି ମଉକାକୁ ଆଦୌ ହାତଛଡ଼ା ନ କରି ଆବଶ୍ୟକ ଅନୁଯାୟୀ ସାର ବସ୍ତାକୁ ଚାଷୀ ବୋହି‌ ନେଇ ଯାଇଥିଲେ। ଉକ୍ତ ସାର ବୋଝେଇ ଟ୍ରକ୍‌ (ଓଆର ୧୦ଏ ୧୭୫୫) ଜୟପୁରରୁ ବାହାରି ରାଇଘର ଅଭିମୁଖେ ବାହାରିଥିଲା। କିନ୍ତୁ ମୃତ୍ତମା ନିକଟରେ ଚକ ଫାଟି ଯିବାରୁ ରାସ୍ତାରେ ଗାଡ଼ି ଅଟକି ଯାଇଥିଲା। ଗାଡ଼ି ଚାଳକ ଏ ନେଇ ସାର ମଗାଇଥିବା ରାଇଘରର ପାଣିଗ୍ରାହୀ ଟ୍ରେଡର୍ସ ମାଲିକଙ୍କୁ ଅବଗତ କରାଇଥିଲେ। ଖବର ପାଇ ପାଣିଗ୍ରାହୀ ଟ୍ରେଡର୍ସ ପକ୍ଷରୁ ଅନ୍ୟ ଗୋଟିଏ ଗାଡ଼ି ଘଟଣାସ୍ଥଳକୁ ପଠାଇଥିଲେ।

ସୂଚନା ଅନୁଯାୟୀ, ରାସ୍ତାରେ ସାର ବୋଝେଇ ଟ୍ରକ୍‌ ଅଟକି ରହିଥିବା ବେଳେ ଅନ୍ୟ ଗୋଟିଏ ଗାଡ଼ିକୁ ଅନ୍‌ଲୋଡ୍‌ ହେଉଥିବା ଦେଖି ଆଖପାଖ ଅଞ୍ଚଳର ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା। ବେଆଇନ ଭାବେ ସାର ଚୋରାଚାଲାଣ ହେଉଥିବା ଆଶଙ୍କା କରି ଗାଡ଼ିକୁ ଘେରି ଯାଇଥିଲେ ଲୋକ। ୨ଶହରୁ ଊର୍ଦ୍ଧ୍ବ ମହିଳା ଏବଂ ପୁରୁଷ ଟ୍ରକ୍‌ରୁ ସାର ଅନ୍‌ଲୋଡ୍‌ କରି ନିଜ ଆବଶ୍ୟକ ଅନୁଯାୟୀ ବୋହି ନେଇଥିଲେ। ତେବେ କ୍ବିଣ୍ଟାଲ ପିଛା ସେମାନେ ୩୫୦ ଟଙ୍କା ଘଟଣାସ୍ଥଳରେ ପୈଠ କରିଥିଲେ। କିଛି ସମୟ ମଧ୍ୟରେ ପୂରା ଗାଡ଼ି ଖାଲି ହୋଇଯାଇଥିବା ବେଳେ ଲୋକଙ୍କ ଗହଳି ଯୋଗୁଁ ସାର ବିକ୍ରେତା ପ୍ରତିବାର କରିବାକୁ ସାହସ ଜୁଟାଇ ପାରି ନଥିଲେ। ୫ ହଜାର ଟଙ୍କାର କ୍ଷତି ସହିଥିବା ସଂପୃକ୍ତ ସାର ବିକ୍ରେତା ପ୍ରକାଶ କରିଛନ୍ତି। ଯଦି ଆଗକୁ ସାର ଗାଡ଼ିକୁ ପୁଲିସ ସୁରକ୍ଷା ନ ଦିଏ ତେବେ ଆଉ ସାର ଆଣି ବିକ୍ରି କରିବେ ନାହିଁ ବୋଲି ସ୍ଥାନୀୟ ଜଣେ ବ୍ୟବସାୟୀ ପ୍ରକାଶ କରିଛନ୍ତି।

The post ପଇସା ଦେଇ ଟ୍ରକ୍‌ରୁ ଲୁଟିଲେ ୧୮ଟନ୍‌ ସାର; ଚାଷୀଙ୍କ ମଧ୍ୟରେ ହାହାକାର, ବ୍ୟବସାୟୀଙ୍କ କୋକୁଆଭୟ first appeared on Sambad.

from ଜିଲ୍ଲା | Sambad https://ift.tt/3AzJigr