କଟକ: ସର୍ବସାଧାରଣ ସ୍ଥାନରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ଧର୍ମାନୁଷ୍ଠାନଗୁଡ଼ିକ ପ୍ରସଙ୍ଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ୍ ବି.ପି. ରାଉତରାୟଙ୍କ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ସରକାରଙ୍କ ୨୦୨୧, ଜୁଲାଇ ୩୦ର ସତ୍ୟପାଠରେ ରହିଥିବା ତଥ୍ୟ ଉପସ୍ଥାପନ କରାଯାଇଥିଲା। ସର୍ବସାଧାରଣ ଜମିରେ ସାରାରାଜ୍ୟରେ ୧୮ ହଜାର ୪୬୦ଟି ବେଆଇନ ଧର୍ମାନୁଷ୍ଠାନ ନିର୍ମାଣ କରାଯାଇଥବାବେଳେ ଏଥିରୁ ୧୭୦୭ଟି ଉଚ୍ଛେଦ କରାଯାଇଛି। ୫୦୮ଟି ଧର୍ମାନୁଷ୍ଠାନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

୧୦ ହଜାର ୮୧୨ଟି ଏପରି ଧର୍ମାନୁଷ୍ଠାନକୁ ଆଇନଗତ ପ୍ରକ୍ରିୟାରେ ବୈଧ କରାଯାଇଛି। ବେଆଇନ ଭାବେ ଗଢି ଉଠିଥିବା ଅବଶିଷ୍ଟ ୫ ହଜାର ୪୩୩ଟି ଧର୍ମାନୁଷ୍ଠାନ ପ୍ରସଂଗରେ ପ୍ରକ୍ରିୟା ବିଚାରାଧୀନ ରହିଛି ବୋଲି ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ସ୍ପଷ୍ଟ କରାଯାଇଛି। ଏପରି ଧର୍ମାନୁଷ୍ଠାନ ଗୁଡିକ ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଅତିରିକ୍ତ ସତ୍ୟପାଠ ଦାଖଲ ପାଇଁ ସରକାରଙ୍କ ପକ୍ଷରୁ ଅନୁମତି ଲୋଡ଼ାଯାଇଥିଲା। ହାଇକୋର୍ଟ ଏଥି ପାଇଁ ଅନୁମତି ଦେବା ସହିତ ଡିସେମ୍ବର ୮ ପୂର୍ବରୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

The post ହାଇକୋର୍ଟରେ ବେଆଇନ ଧର୍ମାନୁଷ୍ଠାନ ଉଚ୍ଛେଦ ମାମଲା, ୫୪୩୩ଟି ଧର୍ମାନୁଷ୍ଠାନ ନିଷ୍ପତ୍ତି ବିଚାରାଧୀନ first appeared on Sambad.

from ଜିଲ୍ଲା | Sambad https://ift.tt/3fU8nuW