ବଲାଙ୍ଗୀର: ବଲାଙ୍ଗୀର ମାଧିଆପାଲିସ୍ଥିତ ସେଣ୍ଟ୍ରାଲ୍ ୱେର୍‌ହାଉସ୍‌ଠାରେ ଟ୍ରକ୍ ମାଲିକ ସଂଘ ପକ୍ଷରୁ ରବିବାର ଆନ୍ଦୋଳନ କରାଯାଇଛି। ସେଣ୍ଟ୍ରାଲ୍ ୱେର୍ ହାଉସର କଣ୍ଟ୍ରାକ୍ଟର ପୂର୍ବର ୭ଟି ୱାଗନର  ପରିବହନ ଭଡ଼ା ଦେଇନଥିବା ପ୍ରତିବାଦରେ ଟ୍ରକ୍ ମାଲିକ ସଂଘ ଆଜି ଆନ୍ଦୋଳନ କରିଥିଲା। ବଲାଙ୍ଗୀର ଟ୍ରକ୍ ମାଲିକ ସଂଘ ସଭାପତି ବୀରେନ୍ ମିଶ୍ର ଓ ସଂପାଦକ ଅଶ୍ବିନୀ ପଟ୍ଟନାୟକଙ୍କ ନେତୃତ୍ବରେ ଟ୍ରକ୍ ମାଲିକମାନେ ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ସେଣ୍ଟ୍ରାଲ୍ ୱେର୍ ହାଉସ୍‌ରୁ ରେଳ ଷ୍ଟେସନକୁ ଚାଉଳ ପରିବହନ ବନ୍ଦ କରିଦେଇଥିଲେ। ବକେୟା ପରିବହନ ଭଡ଼ା ପଇଠ ସାଙ୍ଗକୁ ଡିଜେଲ ମୂଲ୍ୟ ବୃଦ୍ଧି ଯୋଗୁଁ ଏଣିକି ବର୍ଦ୍ଧିତ ଦରରେ ଭଡ଼ା ପ୍ରଦାନ କରିବାକୁ ଟ୍ରକ୍ ମାଲିକ ସଂଘ ଦାବି କରିଥିଲା।

ଏହାସହ ସେଣ୍ଟ୍ରାଲ୍ ୱେର୍ ହାଉସ୍ ପରିସର ଖାଲ ଖମାରେ ପରିପୂର୍ଣ୍ଣ ହୋଇଥିବାରୁ ଟ୍ରକ୍ ଚଳାଚଳରେ ସମାସ୍ୟା ସୃଷ୍ଟି ହେଉଥିବା ନେଇ ଟ୍ରକ୍ ଚାଳକମାନେ ଅଭିଯୋଗ କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେଣ୍ଟ୍ରାଲ୍ ୱେର୍ ହାଉସ ଠାରୁ ଚାଉଳ ପରିବହନ ବନ୍ଦ ରହିବ ବୋଲି ସଂଘ ସଭାପତି ବୀରେନ୍ ମିଶ୍ର ଚେତାବନୀ ଦେଇଥିଲେ। ତେବେ କଣ୍ଟ୍ରାକ୍ଟର ଘଟଣାସ୍ଥଳରେ ପହଞ୍ଚି ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଦାବି ମୁତାବକ ସିଡବ୍ଲୁସିରୁ ରେଳ ଷ୍ଟେସନ ୱାଗନ ପଏଣ୍ଟ ପର୍ଯ୍ୟନ୍ତ ଚାଉଳ ପରିବହନ ପାଇଁ ଏଣିକି ବର୍ଦ୍ଧିତ ଦରରେ ଭଡ଼ା ଦିଆଯିବ ବୋଲି ଲିଖିତ ରାଜିନାମା ପରେ ଚାଉଳ ପରିବହନ ସ୍ବାଭାବିକ ହୋଇଥିଲା ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

 

The post ଭଡ଼ା ବୃଦ୍ଧି ସହ ବକେୟା ପାଉଣା ଦାବି: ବଲାଙ୍ଗୀର ଟ୍ରକ୍ ମାଲିକ ସଂଘର ଆନ୍ଦୋଳନ first appeared on Sambad.

from ଜିଲ୍ଲା | Sambad https://ift.tt/3Dpr5op