
କୋକସରା : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ ପରିପ୍ରେକ୍ଷୀରେ ଶନିବାର କୋକସରା ବ୍ଲକ୍ ଆମପାଣିରେ ପହଞ୍ଚିବା ପରେ ଦଳୀୟ କର୍ମୀ ଓ ନେତାମାନେ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଅଞ୍ଚଳର ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜାଙ୍କୁ ଦର୍ଶନ କରି ମନ୍ଦିର ପରିସରରେ ବୃକ୍ଷରୋପଣ କରିଥିଲେ। ପରେ ଜନ ଆଶୀର୍ବାଦ ଯାତ୍ରାରେ ଯୋଗଦେଇ ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇଥିଲେ।
କଳାହାଣ୍ଡିରେ ଏକ ରେଳ କାରଖାନା କରିବାକୁ କଳାହାଣ୍ଡି ସାଂସଦ ପ୍ରସ୍ତାବ ରଖି ଆସିଛନ୍ତି ଓ ପ୍ରସ୍ତାବିତ ଜୁନାଗଡ଼ ଠାରୁ ଆମ୍ବାଗୁଡ଼ା ରେଳ ଲାଇନ୍ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ବଜେଟ୍ରେ ପ୍ରସ୍ତାବ ରଖାଯିବ ବୋଲି କହିଥିଲେ। ଜିଲ୍ଲାର ରେଳ ପ୍ରକଳ୍ପର ବିକାଶ ପାଇଁ ଆଗାମୀ ଦିନରେ ଚେଷ୍ଟା ଜାରିରହିବ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ସେଠାରୁ ଜନ ଆଶୀର୍ବାଦ ଯାତ୍ରାରେ ବାହାରିବା ସମୟରେ କାଉଡ଼ୋଳାରେ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ମନ୍ତ୍ରୀ କୋକସରା ବ୍ଲକ୍ ସଦର ମହକୁମା ବସ୍ଷ୍ଟାଣ୍ଡ ନିକଟରେ ଜନ ଆଶୀର୍ବାଦ ଯାତ୍ରାର ଉଦ୍ଦେଶ୍ୟ ବିଷୟରେ ଲୋକଙ୍କୁ ବୁଝାଇଥିଲେ। କୋକସରାରେ ରେଲୱେ ଆକ୍ସନ୍ କମିଟି ପକ୍ଷରୁ ଜୁନାଗଡ଼ରୁ ଅମ୍ବାଗୁଡ଼ା ରେଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଦାବିପତ୍ର ଦିଆଯାଇଛି। ସେହିପରି କୋକସରା ଓବିସି ଫୋରମ୍ ପକ୍ଷରୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ କର୍ମକର୍ତ୍ତାମାନେ ଦାବିପତ୍ର ଦେଇଛନ୍ତି। ଏହାପରେ ମନ୍ତ୍ରୀ କୁସୁମଖୁଣ୍ଟି-ମୋଟେର-ଜୁନାଗଡ଼ ଦେଇ ଭବାନୀପାଟଣା ଯାଇଥିଲେ।
ରେଳମନ୍ତ୍ରୀଙ୍କ ମାରାଥନ ଗସ୍ତ ସମୟରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତି, ଜିଲ୍ଲା ଉପସଭାପତି ବଦ୍ରିନାରାୟଣ ପଟ୍ଟନାୟକ, ସାଧାରଣ ସମ୍ପାଦକ ସୁଧୀର ପାଟଯୋଷୀ, କଳାହାଣ୍ଡି ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଜନାର୍ଦ୍ଦନ ପଣ୍ଡା, ଜିଲ୍ଲା ସମ୍ପାଦକ ଗୋଦାବରୀଶ ପାତ୍ର, ନବରଙ୍ଗପୁର ଯୁବମୋର୍ଚ୍ଚା ପ୍ରଭାରୀ ହିମାଂଶୁ ପଣ୍ଡା, ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ବାଗ, ଜିଲ୍ଲା ଉପସଭାପତି ଅଜୟ ପାଣିଗ୍ରାହୀ, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ଆମପାଣି ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗିନୀ ହଂସ, ରାଜ୍ୟ ମହିଳା ଉପସଭାନେତ୍ରୀ ଶର୍ମିଷ୍ଠା ମେହେର, ବିଜେପି ନେତ୍ରୀ କୁନ୍ତୀ ପାଲ, ଜିଲ୍ଲା କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଗଣେଶ ନନ୍ଦ, କୋକସରା, ଆମପାଣି ଓ ମୋଟେର ବିଜେପି ମଣ୍ଡଳର କର୍ମକର୍ତ୍ତା ଉପସ୍ଥିତ ଥିଲେ।
The post କୋକସରାରେ ରେଳମନ୍ତ୍ରୀଙ୍କ ଜନ ଆଶୀର୍ବାଦ ଯାତ୍ରା first appeared on Sambad.from ଜିଲ୍ଲା | Sambad https://ift.tt/3y6m8wN
0 Comments