
ଭବାନୀପାଟଣା : ଆସନ୍ତା ୨୦୨୩ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଦେଶରେ ୭୫ଟି ବିଶ୍ବସ୍ତରୀୟ ଟ୍ରେନ୍ ଚାଲିବ। ମୁଁ ବିଭିନ୍ନ ଦେଶର ଲୋକଙ୍କ ସହିତ କାମ କରିଛି। କିନ୍ତୁ ଭାରତୀୟଙ୍କ ମସ୍ତିଷ୍କର ବିଚାରଧାରା ସହ ଅନ୍ୟ କୌଣସି ଦେଶ ସମକକ୍ଷ ହୋଇପାରିବେ ନାହିଁ। ସବ୍କା ସାଥ୍ ସବ୍କା ବିକାଶ ଓ ସବ୍କା ପ୍ରୟାସ ହେଲେ ଭାରତ ବିଶ୍ବଶକ୍ତିରେ ପରିଣତ ହୋଇପାରିବ। ଓଡ଼ିଶା ସରକାରଙ୍କୁ ଆପଣମାନେ ଜମି ଅଧିଗ୍ରହଣ ପାଇଁ କୁହନ୍ତୁ। କଳାହାଣ୍ଡିର ରେଳ ବିକାଶ ପାଇଁ ସଦାସର୍ବଦା ମୋର କଲମ ଚାଲିବ ବୋଲି କଳାହାଣ୍ଡି ଗସ୍ତ ଅବସରରେ ଜିଲ୍ଲାବାସୀଙ୍କୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରତିଶ୍ରୁତି ଦେଇଛନ୍ତି।
ମୁଁ ପଢ଼ିଲା ବେଳେ ୩ କିମି ଚାଲିବା ସହିତ ୧ ଘଣ୍ଟା ବସ୍ରେ ଯାଇ ଟ୍ରେନ୍ ଧରୁଥିଲି। ତେଣୁ ତୃଣମୂଳସ୍ତରର ସମସ୍ୟା ସହିତ ଅବଗତ ରହିଛି। ବଂଶାନୁକ୍ରମିକ ଭାବେ ଦେଶକୁ ଶାସନ କରାଯାଇଥିବାରୁ ଆମେ ବହୁ ପଛରେ ରହିଛୁ। ବର୍ତ୍ତମାନ ମୋଦୀ ସରକାରଙ୍କ ସମୟ ଅମୃତବେଳା ଅଟେ। ଏହି ସମୟରେ ଆମେ ଭାରତର ବିକାଶ ପାଇଁ ଅଣ୍ଟା ଭିଡ଼ିକି କାମ କରିବା ବୋଲି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଭବାନୀପାଟଣାଠାରେ ଆଜି ସନ୍ଧ୍ୟାରେ ଆୟୋଜିତ ଜନ ଆଶୀର୍ବାଦ ଯାତ୍ରାର ବୁଦ୍ଧିଜୀବୀ ସମ୍ମିଳନୀରେ ଉଦ୍ବୋଧନ ଦେଇ କହିଥିଲେ। ଏହି ସମ୍ମିଳନୀରେ ପୂର୍ବ ସାଂସଦ ସୁବାସ ନାୟକ, ପୂର୍ବ ବିଧାୟକ ରବି ନାୟକ, ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ବିହାରୀ ମହାପାତ୍ର, ସାଂସଦ ବସନ୍ତ ପଣ୍ଡା, ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ସମେତ ବହୁ ପଦାଧିକାରୀ ଉଦ୍ବୋଧନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଅକ୍ଷୟ ନନ୍ଦ, ଅବସରପ୍ରାପ୍ତ ପ୍ରଫେସର ଡ. ଗୋପବନ୍ଧୁ ବେହେରା ସମେତ ବହୁ ବିଜେପି ପଦାଧିକାରୀ ଉପସ୍ଥିତ ଥିଲେ। ପୂର୍ବ ଜିଲ୍ଲା ସଭାପତି ଭବେନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଶନିବାର ଦୁଇଦିନିଆ କଳାହାଣ୍ଡି ଗସ୍ତରେ ପହଞ୍ଚିଛନ୍ତି। ପ୍ରଥମ ଦିନରେ ନବରଙ୍ଗପୁରରୁ କଳାହାଣ୍ଡି ଆସିବା ପରେ ଆମପାଣିଠାରେ ବୁଢ଼ାରଜା ମନ୍ଦିରରେ ଦର୍ଶନ କରି କଳାହାଣ୍ଡି ଜିଲ୍ଲା ଗସ୍ତ ଆରମ୍ଭ କରିଥିଲେ। କୋକସରାଠାରେ ରୋଡ଼ ସୋ’ କରିବା ପରେ କୁସୁମଖୁଣ୍ଟିଠାରେ ମଧ୍ୟାହ୍ନ ଭୋଜନ କରିଥିଲେ। ସେଠାରୁ ଜୁନାଗଡ଼ ବ୍ଲକ୍ର ଚାରବାହାଲ, ମଥୁରା ଓ ବଲଦିଆମାଲ ଛକଠାରେ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
ଜୁନାଗଡ଼ ସହରରେ ଲଙ୍କେଶ୍ବରୀ ମନ୍ଦିର ଦର୍ଶନ କରିଥିଲେ। ପରେ ଜୁନାଗଡ଼ ସହରର ଅଗ୍ରସେନ ଭବନଠାରେ ଜନ ଆଶୀର୍ବାଦ ସଭାରେ ଉଦ୍ବୋଧନ ଦେଇଥିଲେ। ଜୁନାଗଡ଼ରୁ ଭବାନୀପାଟଣା ସହର ଅଭିମୁଖେ ଯାତ୍ରା କରିଥିଲେ। ଭବାନୀପାଟଣା ସହରର ଜେଲ୍ ଛକଠାରେ ସହିଦ ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଭବାନୀପାଟଣା ସହରରେ ଜନ ଆଶୀର୍ବାଦ ଅଭିଯାନରେ ରୋଡ଼ ସୋ କରିଥିଲେ। ସେଠାରୁ ଫେରିବା ପରେ ରିଷଗାଁ ନିକଟ ଏସ୍ଏନ୍ କନଫରେନ୍ସଠାରେ ବୁଦ୍ଧିଜୀବୀ ସମ୍ମିଳନୀରେ ଉଦ୍ବୋଧନ ଦେଇଥିଲେ। ଭବାନୀପାଟଣାସ୍ଥିତ ସର୍କିଟ ହାଉସ ଠାରେ ରାତ୍ରି ରହଣି କରିଛନ୍ତି। ରବିବାର ସକାଳେ ମା’ ମାଣିକେଶ୍ବରୀ ମନ୍ଦିର ଦର୍ଶନ କରିବା ପରେ କେସିଙ୍ଗା ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।
The post କଳାହାଣ୍ଡିରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ: ‘୨୦୨୩ ସୁଦ୍ଧା ଦେଶରେ ୭୫ଟି ବିଶ୍ୱସ୍ତରୀୟ ଟ୍ରେନ୍ ଚାଲିବ’ first appeared on Sambad.from ଜିଲ୍ଲା | Sambad https://ift.tt/3Da7eco
0 Comments