
ଧର୍ମଶାଳା : ଧର୍ମଶାଳା ଥାନା ଅଞ୍ଚଳର ଜଣେ ୧୦ ବର୍ଷର ନାବାଳକ ଛାତ୍ରକୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଅଭିଯୁକ୍ତ ଟିୟୁସନ ଶିକ୍ଷକକୁ ବୁଧବାର ଜେଲ୍ ଯିବାକୁ ପଡ଼ିଛି। ପୀଡ଼ିତ ଛାତ୍ରର ମା’ଙ୍କ ଏତଲା କ୍ରମେ ପୁଲିସ୍ ଅଭିଯୁକ୍ତ ଶିକ୍ଷକ ଆଶୁତୋଷ ମୁଦୁଲିକୁ ଗତକାଲି ମୁରାରିପୁରସ୍ଥିତ ଗୋପାଳ ଜିଉ ହାଇସ୍କୁଲରୁ ଉଠାଇ ଆଣିଥିଲା। ପରେ ୪୧୮/୨୧ ନମ୍ବରରେ ଏକ ମାମଲା ରୁଜୁ କରିବା ସହିତ ସଂପୃକ୍ତ ଶିକ୍ଷକକୁ ଗିରଫ କରିଥିଲା। ଧର୍ମଶାଳା ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ପୋକ୍ସୋ ଆକ୍ଟରେ ଅଭିଯୁକ୍ତକୁ ବୁଧବାର ଚଣ୍ତିଖୋଲ କୋର୍ଟ ଚାଲାଣ କରାଯାଇଥିଲା। ସେଠାରେ ଜାମିନ ଆବେଦନ ନାକଚ ହୋଇଯିବାରୁ ତାକୁ ରଗଡ଼ି ଜେଲ୍କୁ ପଠାଇ ଦିଆଯାଇଛି। ଏପଟେ ଘଟଣାର ଅନୁଧ୍ୟାନ କରାଯାଇ ସଂପୃକ୍ତ ଶିକ୍ଷକକୁ ନିଲମ୍ବନ କରାଯିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
ଅଭିଯୋଗରୁ ପ୍ରକାଶ ଯେ, କୁମାରୀ ମୌଜାରେ ରହୁଥିବା ଭବାନୀପୁର ପଞ୍ଚାୟତ ଚାନ୍ଦପୁର ଗ୍ରାମର ଆଶୁତୋଷ ଟିୟୁସନ କରିବା ପାଇଁ ପ୍ରତିଦିନ ସମ୍ପୃକ୍ତ ଛାତ୍ରର ଘରକୁ ଯାଇଥାଏ। ଗତ ସୋମବାର ସଂଧ୍ୟାରେ ଟିୟୁସନ କରିବାକୁ ଯାଇଥିବା ସମୟରେ ଘରେ କେହି ନଥିଲେ। ଏହାର ସୁଯୋଗରେ ସେ ଛାତ୍ରକୁ ଅସଦାଚରଣ କରିବା ସହିତ ଅପ୍ରାକୃତିକ ଯୌନ ନିର୍ଯାତନା ଦେଇଥିଲା। ବାପାମା’ ଘରକୁ ଫେରିବା ପରେ ପିଲାଟି ସମସ୍ତ ଘଟଣା ସଂପର୍କରେ କହିଥିଲା। ପରେ ନାବାଳକର ବାପା ଶିକ୍ଷକକୁ ଫୋନ୍ ଯୋଗେ ଘଟଣା ସଂପର୍କରେ ପଚାରିଥିଲେ ହେଁ, ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ପରେ ନାବାଳକର ମା’ ଥାନାରେ ସଂପୃକ୍ତ ଶିକ୍ଷକ ବିରୋଧରେ ଏତଲା ଦେଇଥିଲେ।
ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀ ମୁଦୁଲି ଏବେ ମୁରାରିପୁରସ୍ଥିତ ଗୋପାଳ ଜିଉ ହାଇସ୍କୁଲର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ୨୦୧୬ରେ ସେ କାଏମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବାବେଳେ କେତେକ ଛାତ୍ରୀ ତାଙ୍କ ନାଁରେ ଅସଦାଚରଣ ଅଭିଯୋଗ କରିଥିଲେ।
The post ଛାତ୍ରକୁ ଯୌନ ନିର୍ଯାତନା ଦେଇ ଜେଲ୍ ଗଲେ ଶିକ୍ଷକ first appeared on Sambad.from ଜିଲ୍ଲା | Sambad https://ift.tt/3yF6Y2L
0 Comments