ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନ ରେଞ୍ଜରେ ହାତୀ ଉପଦ୍ରବ ବଢ଼ୁଛି। ମୟୂରଭଞ୍ଜ ଜିଲ୍ଲାରେ କିଛିଦିନ ଧରି ଡେରା ପକେଇଥିବା ୨୬ଟିକିଆ ଝାଡ଼ଖଣ୍ଡି ହାତୀପଲ ପାଟଣା ରେଞ୍ଜରେ ପଶି ଉତ୍ପାତ କରୁଛନ୍ତି। ହାତୀ ଉପଦ୍ରବ ଯୋଗୁଁ ତାଳପଦା, ନୂଆବନ୍ଧ, ତେଣ୍ଡରା, ନୂଆଗାଁ, ଫୁଲପାହାଡ଼ି, କପୁଣ୍ଡି, ଖଡ଼ିକାପଦା, ଗୋହିରା, ମାଛଗଡ଼ ଗ୍ରାମର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।

ଏହି ହାତୀପଲ ଗତକାଲି ଫୁଲପାହାଡ଼ି ଗ୍ରାମର କମଳାକାନ୍ତ ନାଏକ, ନରେନ୍ଦ୍ର ନାଏକ, ଲୁଲୁ ନାଏକ, ବନମାଳୀ ନାଏକ ଏବଂ ଖଡ଼ିକାପଦା ଗ୍ରାମର ଡମ୍ବରୁଧର ମହାନ୍ତ, ହୃଦାନନ୍ଦ ମହାନ୍ତ, ପୀତାମ୍ବର ମହାନ୍ତଙ୍କ ଘର ଭାଙ୍ଗି ଧାନଚାଉଳ ଖାଇଛନ୍ତି। ବଗିଚାରେ ପଶି ବୋଇତାଳୁ ଚାଷ ନଷ୍ଟ କରିଛନ୍ତି। ଏକର ଏକର ଜମିରେ ବେଉଷଣ ହୋଇଥିବା ଧାନତଳିକୁ ଦଳିଚକଟି ନଷ୍ଟ କରିଦେଇଛନ୍ତି। ତୁରନ୍ତ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବା ସହ ହାତୀ ଘଉଡ଼ାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଆଜି ପାଟଣା ରେଞ୍ଜ ଖଡ଼ିକାପଦା ଓ ଗୋହିରା ଜଙ୍ଗଲ ମଧ୍ୟରେ ଏହି ହାତୀପଲ ବୁଲୁଛନ୍ତି। ବନ ବିଭାଗ ସେମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛି।

The post ପାଟଣା ବନ ରେଞ୍ଜରେ ବଢ଼ୁଛି ହାତୀ ଉପଦ୍ରବ, ଘର ଭାଙ୍ଗି ଧାନଚାଉଳ ଖାଇଗଲେ ୨୬ଟିକିଆ ଝାଡ଼ଖଣ୍ଡି ହାତୀପଲ first appeared on Sambad.

from ଜିଲ୍ଲା | Sambad https://ift.tt/3CEFBbl