
ବାଲେଶ୍ବର : ଆଜକୁ ୧୫ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଆସୁଥିବା ୭୫୦ ଜଣ ଆଉଟ୍ସୋର୍ସିଂ କର୍ମଚାରୀଙ୍କ ଭାଗ୍ୟ ସୂତା ଖିଅରେ ଝୁଲୁଛି। ବର୍ତ୍ତମାନ ଟିପିଏନ୍ଓଡିଏଲ୍ ରକ୍ଷାଣବେକ୍ଷଣ ଚୁକ୍ତି ଦେବାକୁ ଯାଉଥିବା ବେଳେ ଆଉଟ୍ସୋର୍ସିଂ କର୍ମଚାରୀଙ୍କ ସ୍ଥିତି କଣ ହେବ ଏହାକୁ ନେଇ ନେସ୍କୋ ଶକ୍ତି କର୍ମଚାରୀ ସଂଘ ପ୍ରଶ୍ନ ଉଠାଇଛି। ସଂଘ ବାରମ୍ବାର ଆଉଟ୍ସୋର୍ସିଂ କର୍ମଚାରୀଙ୍କ ସ୍ଥାୟିତ୍ବ ନେଇ ସଂଘର୍ଷ କରିଆସୁଥିଲେ ମଧ୍ୟ ଏଥିପ୍ରତି ସରକାର ନା ଟାଟା କମ୍ପାନି ଆନ୍ତରିକତା ଦେଖାଉନାହାନ୍ତି। ଏପରିକି ଗ୍ରୀଡ଼କୋ/ଓପିଟିସିଏଲ ମୁଖ୍ୟ ପରିଚାଳନା ଅଧିକାରୀ ତତ୍କାଳୀନ ଶକ୍ତି ସଚିବ ହେମନ୍ତ ଶର୍ମାଙ୍କ ଉପସ୍ଥିତିରେ ପର୍ଯ୍ୟାୟକ୍ରମେ ସ୍ଥାୟୀ କରିବାର ଲିଖିତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଏଯାବତ୍ କାର୍ଯ୍ୟକାରୀ ହୋଇନାହିଁ।
ଏନେଇ ସଂଘର ଉପଦେଷ୍ଟା ତଥା ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଟିପିଏନ୍ଓଡିଏଲ୍ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପତ୍ର ଲେଖି ଯେ, ଆଉଟ୍ସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ କରାଯିବା ପରେ ରକ୍ଷାଣବେକ୍ଷଣ ଚୁକ୍ତି କାର୍ଯ୍ୟକାରୀ କରିବା ପାଇଁ ଦାବି କରିଛନ୍ତି। ଆଗାମୀ ଦିନରେ ଯଦି ରାଜ୍ୟ ସରକାର ଓ ଟିପିଏନ୍ଓଡିଏଲ୍ କର୍ତ୍ତୃପକ୍ଷ ପୂର୍ବରୁ ହୋଇଥିବା ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରନ୍ତି ତେବେ ଶକ୍ତି କର୍ମଚାରୀ ସଂଘ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି। ଏଥିପାଇଁ ଯାହା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସରକାର ଓ ଟିପିଏନ୍ଓଡିଏଲ୍ ଦାୟୀ ରହିବେ ସଂଘର ନିମାଇଁ ଚରଣ ରାଉତରାୟ, ଶିବନାରାୟଣ ଗିରି, ମହେଶ୍ବର ପ୍ରଧାନ, ସୀମାଞ୍ଚଳ ପାତ୍ର, ସୁଭେନ୍ଦୁ ସୂର୍ଯ୍ୟ ନାରାୟଣ ବେହେରା, ପ୍ରଣବ ମହାପାତ୍ର, ଉମାକାନ୍ତ ପଢ଼ିଆରୀ, କମଳଲୋଚନ ସାହୁ, ବଳଭଦ୍ର ଗିରି, କମଳଲୋଚନ ବେହେରା, ପ୍ରଦୀପ ଜେନା, ସୁକାନ୍ତ ପାଢ଼ୀ, ମନସ ସାହୁ, ପଞ୍ଚାନନ ପ୍ରମାଣିକ, କାହ୍ନୁଚରଣ ପ୍ରଧାନ, ନିଗମାନନ୍ଦ ଗିରି ପ୍ରମୁଖ କହିଛନ୍ତି। ଏନେଇ ଟିପିଏନ୍ଓଡିଏଲ୍ର ଜିଏମ୍ ଦୃଶ୍ୟନ୍ତ ତ୍ୟାଗୀ କହିଛନ୍ତି, କୌଣସି କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ। ସେମାନଙ୍କ ସ୍ଥାୟିତ୍ବ ନେଇ ଆଗାମୀ ଦିନରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ।
The post ଅନ୍ଧାରରେ ଟିପିଏନ୍ଓଡିଏଲ୍ର ୭୫୦ କର୍ମଚାରୀଙ୍କ ଭାଗ୍ୟ first appeared on Sambad.from ଜିଲ୍ଲା | Sambad https://ift.tt/3j1i24C
0 Comments