କଳାବାଡ଼ିଆ : ବାଙ୍ଗିରିପୋଷି ଥାନା ଚାକିଡ଼ି ଗ୍ରାମରେ ଡାଆଣୀ ସନ୍ଦେହରେ ଜଣେ ମହିଳାଙ୍କ ମୁଣ୍ଡ କାଟି ହତ୍ୟା କରିଥିଲା ତାଙ୍କ ପଡ଼ୋଶୀ। ମାସେ ପରେ ଘଟଣା ସାମ୍ନାକୁ ଆସିଥିଲା। ପୁଲିସ ହତ୍ୟାକାରୀକୁ ଗିରଫ କରିବା ସହିତ ମୃତକଙ୍କ ଶରୀରର କେଇଖଣ୍ଡ ହାଡ଼ ଓ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଜବତ କରିଥିଲା। ତେବେ ମାତ୍ର କେଇଖଣ୍ଡ ହାଡ଼ରୁ ମୃତକଙ୍କୁ ଚିହ୍ନଟ କରିବା ପୁଲିସ ପାଇଁ ସମସ୍ୟା ସୃଷ୍ଟି କରିଛି। ମୃତକଙ୍କ କେହି ଆତ୍ମୀୟ ପାଖରେ ନଥିବାରୁ ଉକ୍ତ ହାଡ଼ରୁ ସଂଗୃହୀତ ଡିଏନ୍‌ଏ୍‌ କାହା ସହିତ ମିଶାଇବ ସେହି ଚିନ୍ତାରେ ପୁଲିସ। ସେଥିପାଇଁ ପୁଲିସ ମୃତ ମହିଳାଙ୍କ ବାପଘର ଯଶିପୁର ବ୍ଲକ୍‌ କୁକୁରଭୁକା ଗ୍ରାମକୁ ଯାଇ ତାଙ୍କ ସମ୍ପର୍କୀୟଙ୍କୁ ଠାବ କରିବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ଚାକିଡ଼ି ଗ୍ରାମରେ ବିଧବା ବୃଦ୍ଧା କୁନି ଜେରାଇ(୬୩) ଗତ ଜୁନ୍‌ ୯ ତାରିଖରୁ ନିଖୋଜ ଥିଲେ। ଖୋଳତାଡ଼ ପରେ ଗ୍ରାମର ଜମ୍ବିରା ସିଂ(୪୯) କୁନିଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲା। ଅସୁସ୍ଥ ହୋଇ ଜମ୍ବିରାର ପୁଅର ମୃତ୍ୟୁ ହେବା ପରେ କୁନି ତାକୁ ଗୁଣି କରି ମାରିଥିବା ସେ ସନ୍ଦେହ କରିଥିଲା। ପ୍ରତିଶୋଧ ପରାୟଣ ହୋଇ ଅନ୍ୟଜଣକ ସହଯୋଗରେ ସେ କୁନିଙ୍କୁ ହତ୍ୟା କରିଥିବା ପୁଲିସ ଆଗରେ ମାନିଥିଲା। କୁନିଙ୍କୁ ନିଶା ଖୁଆଇ ପୁରୁଣାପାଣି ଜଙ୍ଗଲକୁ ନେଇ ସେଠାରେ ତଣ୍ଟି ଚିପି ହତ୍ୟା କରିବା ପରେ କୁରାଢ଼ିରେ ମୁଣ୍ଡଗଣ୍ଡି ଅଲଗା କରି ଶବ ଜଙ୍ଗଲରେ ଫୋପାଡ଼ି ଦେଇଥିଲା ଜମ୍ବିରା। ଘଟଣାରେ ଜମ୍ବିରା ଓ ତାର ସହଯୋଗୀଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିଲା।

The post ଡାଆଣୀ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା ଘଟଣା: ଡିଏନ୍‌ଏ ପାଇଁ ଆତ୍ମୀୟଙ୍କୁ ଖୋଜୁଛି ପୁଲିସ first appeared on Sambad.

from ଜିଲ୍ଲା | Sambad https://ift.tt/3AZ4CMN