
କାଳିଆପାଣି : ଯାଜପୁର ଜିଲ୍ଲାରେ ଜନନୀ ଯନ୍ତ୍ରଣାର ଦୃଶ୍ୟ ପୁଣିଥରେ ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ଯାଇ ନପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ନେବାକୁ ପଡ଼ିଛି। ବର୍ଷା ହେଉଥିବାରୁ ମହିଳାଜଣକ ଖଟିଆରେ ଛତା ଧରି ବସିଥିଲେ। କାଦୁଅ ପଚରପଚର ରାସ୍ତାରେ ତାଙ୍କୁ ଅନ୍ୟମାନେ ବୋହି ନେଇଥିଲେ। ଏହି ଅଭାବନୀୟ ଦୃଶ୍ୟ ଯାଜପୁର ଜିଲ୍ଲାର ଖଣିଜ ସମୃଦ୍ଧ ସୁକିନ୍ଦା ବ୍ଲକ କାଳିଆପାଣି ପଞ୍ଚାୟତ ସୁକୁରଙ୍ଗି ମୌଜାର ଚିରିଗୁଡ଼ା ବସ୍ତିର। ଓଡ଼ିଶା ଖଣି ନିଗମ ସୁକୁରଙ୍ଗି କ୍ରୋମାଇଟ୍ ଖଣି ଲିଜ୍ ଏରିଆ ମଧ୍ୟରେ ରହି ଆସୁଥିବା ୩୦ ରୁ ଅଧିକ ପରିବାର ବିଶିଷ୍ଟ ମଧ୍ୟରୁ ଏହି ମହିଳା ଅନ୍ୟତମ।
ବସ୍ତିର ଶଙ୍କର ମୁଣ୍ଡାଙ୍କ ପତ୍ନୀ ଟୁନି(୨୫)ଙ୍କର ଆଜି ପ୍ରସବ ବେଦନା ହେବାରୁ ଜନନୀ ଏକ୍ସପ୍ରେସ୍କୁ ଯୋଗାଯୋଗ କରାଯାଇଥିଲା। ଠିକ୍ ସମୟରେ ବସ୍ତି ପାଖରେ ୧୦୨ ଆମ୍ବୁଲାନ୍ସ ପହଞ୍ଚିଥିଲେ ମଧ୍ୟ ଝିପିଝିପି ବର୍ଷା ଓ କାଦୁଅ ପାଇଁ ଏହା ଆଗକୁ ବଢ଼ି ପାରିନଥିଲା। ଶେଷରେ ବସ୍ତିବାସିନ୍ଦା ଏକ ଦଉଡ଼ିଆ ଖଟର ଚାରିଗୋଡ଼କୁ ବାନ୍ଧି ୨ଟି ଲମ୍ବା କାଠ ସାହାଯ୍ୟରେ ୪ ଜଣ କାନ୍ଧେଇ ଟୁନିଙ୍କୁ ପ୍ରାୟ ୫ଶହ ମିଟର ଦୂର ବୋହି ନେଇଥିଲେ। ସ୍ବାମୀ ଶଙ୍କର, ପଡ଼ୋଶୀ ରଞ୍ଜନ ଥଟାରି, ଚରଣ ଥଟାରି ଓ ରମେଶ ମୁଣ୍ଡା ପାଣି କାଦୁଅରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଖଟିଆ ବୋହି ଚାଲିଥିଲେ। ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଟୁନି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ମାଆଛୁଆ ସୁସ୍ଥ ଥିବା ସୂଚନା ମିଳିଛି।
The post ଜନନୀ ଯନ୍ତ୍ରଣା: ଅଟକିଲା ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ first appeared on Sambad.from ଜିଲ୍ଲା | Sambad https://ift.tt/3Dwz1nF
0 Comments