କଟକ: ବିଶ୍ବ ଜଳବାୟୁ ପରିବର୍ତ୍ତନକୁ ନେଇ ଏବେ ସମସ୍ତେ ଚିନ୍ତାରେ। କିଭଳି ପ୍ରଦୂଷଣ ମାତ୍ରା କମିବ, ବାୟୁମଣ୍ଡଳ ସ୍ବଚ୍ଛ ରହିବ ତାହାକୁ ନେଇ ଚାଲିଛି ବିଶ୍ବସ୍ତରରେ ଚିନ୍ତନ। ଏଭଳି ସ୍ଥିତିରେ ଏବେ ବିଶ୍ବସ୍ତରରେ ଇଭି(ଇଲେକ୍‌ଟ୍ରିକ ଭେହିକିଲ୍‌)ର ଚାହିଦା ବଢିଛି। ଇଭି ବ୍ୟବହାର ବଢିଲେ ପ୍ରଦୂଷଣ ହ୍ରାସ ପାଇବ। ମାତ୍ରାଧିକ ଇନ୍ଧନ ବ୍ୟବହାର ଓ ଜଳବାୟୁ ଉପରେ ପ୍ରଭାବ ରୋକିବାକୁ ଏହା ସକ୍ଷମ ହେବ। ଏହାକୁ ନେଇ ଭାରତ ସରକାର ଏକ ଜାତୀୟ ଇଲେକ୍‌ଟ୍ରିକ୍‌ ଭେହିକିଲ୍‌ ପଲିସି ଗ୍ରହଣ କରିଛନ୍ତି। ଏହି କ୍ରମରେ ନୀତି ଆୟୋଗ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ରାଜ୍ୟସ୍ତରରେ ଇଲେକଟ୍ରିକ ଭେଇକିଲ ନୀତି ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସରକାର ମଧ୍ୟ ଓଡ଼ିଶା ଇଲେକଟ୍ରିକ ଭେହିକିଲ୍‌ ପଲିସି( ଇଭି ପଲିସି) ପାଇଁ ଯୋଜନା କରିଛନ୍ତି। ଏ ନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଫ୍ରେବୁଆରି ୧୧ ତାରିଖରେ ଏକ ପ୍ରସ୍ତାବ ଗୃହୀତ‌ ‌ହୋଇଥିଲା। ମାତ୍ର ୬ ମାସ ପ‌ରେ ବି ଏହା କାର୍ଯ୍ୟକାରୀ ହୋଇପାରିନ‌ାହିଁ। ଓଡ଼ିଶାକୁ ଏଥିପାଇଁ ଏକ ମଡେଲ ରାଜ୍ୟ ଭାବେ ଗଢି ତୋଳିବାକୁ ଯୋଜନା ହୋଇଥିଲେ ବି ଯୋଜନା ଶୀତଳ ଭଣ୍ଡାରରେ ରହିଛି। ଭାରତ ସରକାର ନ୍ୟାସନାଲ ଇଲେକ୍‌ଟ୍ରିକ ମୋବିଲିଟି ପ୍ଲାନ ଗ୍ରହଣ କରିଥିବା ବେଳେ ରାଜ୍ୟ ଏ କ୍ଷେତ୍ରରେ ପଛୁଆ ରହିଛି। ତଥ୍ୟ ମୁତାବକ, ଗତ ୪ ବର୍ଷ ଭିତରେ ରାଜ୍ୟରେ ମୋଟ ୫୧୭୯ଟି ବସ ପଞ୍ଜିକୃତ ହୋଇଥିବା ବେଳେ ୭୫ ହଜାର ୮୫ଟି ମାଲ ପରିବହନ ଗାଡି, ୧ଲକ୍ଷ ୮୪ ହଜାର ୬୮୪ଟି ଲାଇଟ ମୋଟର ଭେହିକିଲ ବ‌ା କାର ପଞ୍ଜିକୃତ ହୋଇଛି। ସେହିଭଳି ୮୦ ହଜାର ୪୮୦ ତିନି ଚକିଆ ଅଟୋ ପଞ୍ଜିକୃତ ହୋଇଛି।

ତେବେ ୨୧ ଲକ୍ଷ ୪୫ ହଜାର ୨୩୯ଟି ବାଇକ( ଦୁଇ ଚକିଆ ଗାଡି) ପଞ୍ଜିକୃତ ହୋଇଛି। ସେହିଭଳି ୫୯ ହଜାର ୭୮୬ ଟ୍ରାକ୍ଟର, ୪୬ ହଜାର ୭୩୬ ଟ୍ରେଲର, ଓ ଅନ୍ୟ‌ାନ୍ୟ ଗାଡି ୨୪ ହଜାର ୯୦୯ଟି ପଞ୍ଜିକୃତ ହୋଇଛି। ଅର୍ଥାତ ମୋଟ ୨୬ଲକ୍ଷ ୨୨ ହଜାର ୮୯ଟି ଗାଡି ପଞ୍ଜିକୃତ ହୋଇଛି। ମୋଟ ପଞ୍ଜିକୃତ ଗାଡି ମଧ୍ୟରୁ ୮୨ ପ୍ରତିଶତ କେବଳ ଦୁଇ ଚକିଆ ବାଇକ ରହିଛି। ଏବେ ବଜାରରେ ମଧ୍ୟ ଏହାର ଚାହିଦା ବଢିବାରେ ଲାଗିଛି। ମାତ୍ର ରାଜ୍ୟ ସରକାର ଏ ନେଇ କୌଣସି ସ୍ବତନ୍ତ୍ର ନୀତି ପ୍ରଣୟନ କରୁନାହାନ୍ତି। ଆସନ୍ତା ୨୦୨୫ ସୁଦ୍ଧା ମୋଟ ଗାଡିର କିଭଳି ୨୦ ପ୍ରତିଶତ କେବଳ ଇଲେକଟ୍ରିକ ଗାଡି ବ୍ୟବହାର ହେବ ‌ସେ ନେଇ ପ୍ରସ୍ତାବରେ ଲକ୍ଷ୍ୟ ଥିବା ବେଳେ ସରକାର ନୀତି ପ୍ରଣୟନରେ ବିଳମ୍ବ କରୁଛନ୍ତି।

ରାଜ୍ୟରେ ଇଲେକଟ୍ରିକ ଗାଡ଼ିର ଉତ୍ପାଦନ ବୃଦ୍ଧି କରିବା, ଏ ନେଇ ଅଧିକ ଗବେଷଣା ସହିତ ଏହି ନୀତିକୁ ପ୍ରଥମ ପର୍ଯ୍ୟ‌ାୟରେ ଏହାକୁ ୫ ବର୍ଷ ପାଇଁ ଲାଗୁ କରିବା ପାଇଁ ପ୍ରସ୍ତାବ ଥିଲା। ସେହିଭଳି ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ୯ ଜଣିଆ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ଗଠନ କରିବା, ଟ‌ାସ୍କଫୋର୍ସ କମିଟିକୁ କାର୍ଯ୍ୟକାରୀ କରିବାକୁ ଏକ ଷ୍ଟିଅରିଂ କମିଟି କରିବା, ଦୁଇ ଚକିଆ ଗାଡ଼ି କିଣିଲେ ୫ ହଜାର ପର୍ଯ୍ୟନ୍ତ ରିହାତି, ତିନି ଚକିଆରେ ୧୨ହଜାର, ଚାରି ଚକିଆରେ ୧ ଲକ୍ଷ ପର୍ଯ୍ୟନ୍ତ ରିହାତି ଦେବା, ଘରୋଇ ଚାର୍ଜିଂ ପଏଣ୍ଟ, ବ୍ୟାଟେରିଗୁଡିକ ରିସାଇକ୍ଲିଂ କରିବା ସହିତ ଇଲେକ୍‌ଟ୍ରିକ ଗାଡ଼ିର ବ୍ୟବହାରକୁ ପ୍ରଚାର ପ୍ରସାର କରିବାକୁ ଏକ ବିସ୍ତୃତ ପ୍ରସ୍ତାବ ଗୃହୀତ ହୋଇଥିଲେ ବି ଏହା କାର୍ଯ୍ୟକାରୀ କରାଯାଉନାହିଁ।

The post ଓଡ଼ିଶା ଇଲେକ୍‌ଟ୍ରିକ୍ ଭେହିକିଲ୍‌ ପଲିସି କେବେ? କାର୍ଯ୍ୟକାରୀ ହେଉନି ୬ ମାସ ତଳର ପ୍ରସ୍ତାବ first appeared on Sambad.

from ଜିଲ୍ଲା | Sambad https://ift.tt/3gvzPzi