କଟକ: ପତ୍ନୀ ବର୍ଷାଙ୍କୁ ଛାଡ଼ପତ୍ର ପ୍ରସଙ୍ଗ ନେଇ କଟକ ପରିବାର ଅଦାଲତରେ ବିଚାରାଧୀନ ମାମଲାର ନିର୍ଦ୍ଧ‌ାରିତ ସମୟସୀମା ଭିତରେ ଶୁଣାଣି ପାଇଁ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଦାୟର କରିଥିବା ମାମଲାର ଶୁଣାଣିରେ ଆଜି ହାଇକୋର୍ଟରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପରିବାର ଅଦାଲତରେ ମାମଲାର ଶୁଣାଣିରେ ଇତିମଧ୍ୟରେ ଅଗ୍ରଗତି ହୋଇଥିବା ପ୍ରସଙ୍ଗକୁ ବିଚାରକୁ ନେଇ ହାଇକୋର୍ଟ ଅନୁଭବଙ୍କ ଆବେଦନର ଶୁଣାଣିରେ ଅନ୍ତ ଘଟାଇଛନ୍ତି। ଅନ୍ୟ ପକ୍ଷରେ ଅନୁଭବଙ୍କ ଛାଡ଼ପତ୍ର ଆବେଦନର ଶୁକ୍ରବାର ପରିବାର ଅଦାଲତରେ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ପରିବାର ଅଦାଲତରେ ବିଚାରାଧୀନ ତାଙ୍କ ଛାଡ଼ପତ୍ର ଆବେଦନର ଶୁଣାଣି ନିର୍ଦ୍ଧାରିତ ସମୟସୀମା ଭିତରେ ଶେଷ କରିବାକୁ ନିର୍ଦ୍ଦେଶ  ଲୋଡ଼ି ଅନୁଭବ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ଦର୍ଶାଇଥିଲେ ଯେ ସୁପ୍ରିମକୋର୍ଟଙ୍କ ମାର୍ଚ୍ଚ ୫ ତାରିଖର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀର ପଟିଆଲା ହାଉସ ଅଦାଲତରୁ କଟକ ପରିବାର ଅଦାଲତକୁ ତାଙ୍କ ଛାଡ଼ପତ୍ର ଆବେଦନ ଶୁଣାଣି ପାଇଁ ସ୍ଥାନାନ୍ତର ହୋଇଥିଲା। ମାମଲାର ତ୍ବରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟ କହିଥିଲେ। ଏଥିସହିତ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ମଧ୍ୟ ଛାଡ଼ପତ୍ର ମାମଲାର ଶୁଣାଣି ନିର୍ଦ୍ଦିଷ୍ଟ ସମୟସୀମା ଭିତରେ କରାଯିବା କଥା। କିନ୍ତୁ ବିଭିନ୍ନ କାରଣରୁ ଛାଡ଼ପତ୍ର ଆବେଦନର ଶୁଣାଣି ଘୁଞ୍ଚି ଚାଲିଛି।

The post ହାଇକୋର୍ଟରେ ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାର ପଡ଼ିଲା ପୂର୍ଣ୍ଣଚ୍ଛେଦ first appeared on Sambad.

from ଜିଲ୍ଲା | Sambad https://ift.tt/3DjD2vv