ରାଇରଙ୍ଗପୁର: ଘର ଭିତରୁ ଦୁଇ ସଂପର୍କୀୟ ଭଉଣୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ସାନକୁମରୁମ ଗ୍ରାମରେ। ସୂଚନା ଅନୁସାରେ ଝାଡ଼ଖଣ୍ତ ଲାଗଳା ଗ୍ରାମର ଅନାଥ ସୁନିତା ଭଦ୍ରା(୧୭) ଗତ ରଜ ପରଠାରୁ ସାନକୁମୁରୁମ ଗ୍ରାମସ୍ଥ ମାମୁଘରେ ରହୁଥିଲେ। ସେ ସେଠାରେ ଦିନମଜୁରିଆ ଭାବେ କାମ କରୁଥିଲେ। ସୁନିତା ଓ ମାମୁ ଝିଅ ଭଉଣୀ ମନିଷା ଆଲଦା(୧୯) ଦୁହେଁ ଉଭୟଙ୍କ ଖୁବ୍ ନିକଟର ଥିଲେ। ଏକାଠି ଖାଉଥିଲେ, ଏକାଠି ଶୋଉଥିଲେ। ଏପରି ସମୟରେ ଆଜି ପୂର୍ବାହ୍ନରେ ମନିଷାଙ୍କ ଘର କବାଟ ଭିତର ପଟୁ ଦୀର୍ଘ ସମୟ ବନ୍ଦ ଥିଲା। ଯେତେ ଡାକିଲେ ବି କେହି ଶୁଣି ନ ଥିଲେ। ଫଳରେ ପଡ଼ୋଶୀମାନେ ସନ୍ଦେହ ପ୍ରକାଶ କରିଥିଲେ।
ସେମାନେ ଘରର ଚାଳ ଛପର ଭାଙ୍ଗି ପଶିଥିଲେ। ସେଠାରେ ଦୁଇ ଭଉଣୀ ସୁନିତା ଓ ମନିଷାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ପରିବାର ଲୋକ ଥାନାକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଉଭୟଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲ୍ ପଠାଇଛି। ଏନେଇ ତିରିଂ ଥାନାରେ ୧୪/୨୧ରେ ଏକ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି। ଆତ୍ମହତ୍ୟାର କାରଣ ଏଯାଏ ଜଣାପଡ଼ିନାହିଁ।
The post ଘର ଭିତରୁ ସଂପର୍କୀୟ ୨ ଭଉଣୀଙ୍କ ଝୁଲନ୍ତା ଶବ ଉଦ୍ଧାର: ଆତ୍ମହତ୍ୟାର କାରଣ ଅସ୍ପଷ୍ଟ first appeared on Sambad.from ଜିଲ୍ଲା | Sambad https://ift.tt/3BhwcoK
0 Comments