କଟକ: ଆଜି କଟକର ଏସସିବି ମେଡିକାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇକମୋ ୟୁନିଟର ଉଦଘାଟନ କରିଛନ୍ତି। ଏଠାରେ ଇକମୋ ଚିକିତ୍ସା ସେବାର ଶୁଭାରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭି କେ ପାଣ୍ଡିଆନ ମଧ୍ୟ ଥିଲେ।
ପୂର୍ବ ଭାରତର ସବୁଠୁ ବଡ଼ ଇକମୋ ୟୁନିଟ ହେଲା ଏସସିବି। ୯ଟି ମେସିନରେ ମାଗଣା ଚିକିତ୍ସା ପାଇବେ ରୋଗୀ। କଟକ ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ୧୫ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ବୋଷ ଅସ୍ଥାୟୀ ହେଲିପ୍ୟାଡରୁ ତାଳଦଣ୍ଡା କେନାଲ ଦେଇ ଏସସିବି ମେଡିକାଲ ଅଭିମୁଖେ ଆସିଛନ୍ତି ନବୀନ ପଟ୍ଟନାୟକ। ଏହାସହ ତାଳଦଣ୍ଡା କେନାଲ ଦେଇ ଆସୁଥିବାବେଳେ କେନାଲର ନୂତନ ବ୍ରିଜ ପାଖରେ ଅଟକି ଏହାର ଦୃଶ୍ୟ ଦେଖିଥିଲେ ମୁଖ୍ୟମନ୍ତ୍ରୀ। ଏସସିବିରେ ଇକମୋ ମେସିନ ଲୋକାର୍ପଣ କରିବା ସହ ଏକ ଭିଡିଓ ମାଧ୍ୟମରେ ଓଡ଼ିଶାବାସୀ ବାର୍ତ୍ତା ମଧ୍ୟ୍ୟ ଦେଇଛନ୍ତି।

ଇକମୋ ଚିକିତ୍ସା ସେବାର ଉଦଘାଟନ ପରେ ନବୀନ କହିଛନ୍ତି, ଗୁରୁତର କୋଭିଡ ରୋଗୀଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ। ଓଡ଼ିଶାରେ ହିଁ ଚିକିତ୍ସିତ ହେବେ ରୋଗୀ । ଏହି ଚିକିତ୍ସା ବେଶ ଅର୍ଥ ଆବଶ୍ୟକ କିନ୍ତୁ ରାଜ୍ୟ ସରକାର ମାଗଣାରେ ଏହି ସେବା ଯୋଗାଇଦେବେ। ଏହି ଚିକିତ୍ସାରେ ଯାହା ବି ଖର୍ଚ୍ଚ ହେବ ଲୋକଙ୍କ ଉପରେ ପଡ଼ିବ ନାହିଁ। ସବୁ ଖର୍ଚ୍ଚ ସରକାର ବହନ କରିବେ। ତୃତୀୟ ଲହରର ମୁକାବିଲା ପାଇଁ ଆମକୁ ସତର୍କ ରହିବାକୁ ହେବ। ଏଥିରେ ଶିଶୁମାନେ ଅଧିକ ମାତ୍ରାରେ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞ କହୁଛନ୍ତି। ତେଣୁ ପିଲାଙ୍କ ସୁରକ୍ଷା ପାଇଁ କୋଭିଡ ଗାଇଡଲାଇନ ମାନିବା ସହ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି। ନିଜେ ସୁରକ୍ଷିତ ରହିବା ସହ ପିଲାଙ୍କୁ ସୁରକ୍ଷିତ ରଖନ୍ତୁ।


ଏଠାରେ ସୂଚନାଯୋଗ୍ୟ ଯେ, ଏସସିବିରେ ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଇକମୋ ୟୁନିଟକୁ ରାଜ୍ୟବାସୀଙ୍କ ପାଇଁ ଲୋକାର୍ପଣ କରିଥାନ୍ତେ। ଏଥିପାଇଁ ୯ଟି ଇକମୋ ମେସିନ୍ ଏସସିବିରେ ଇନଷ୍ଟଲେସନ୍ ସରିବା ସହ ଦିଲ୍ଲୀ ଓ କୋଲକାତାରୁ କମ୍ପାନିର କର୍ମକର୍ତ୍ତା ପହଞ୍ଚି ଏହାର ଡେମୋ ମଧ୍ୟ ଦେଖାଇଥିଲେ। ଦୁଇଟି ପର୍ଯ୍ୟାୟରେ ୧୯ଜଣ ଡାକ୍ତର ଓ କର୍ମଚାରୀ ମଧ୍ୟ ଏଥିପାଇଁ ତାଲିମ୍ ନେଇ ସାରିଛନ୍ତି।

The post ଏସସିବି ମେଡିକାଲରେ ଇକମୋ ଚିକିତ୍ସା ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ first appeared on Sambad.

from ଜିଲ୍ଲା | Sambad https://ift.tt/38ic6OC