
ଯାଜପୁରସଦର : ଯାଜପୁର ଡ୍ରେନେଜ ଡିଭିଜନର ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ଚଣ୍ଡି ପ୍ରସାଦ ମହାପାତ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭଡ଼ାଗାଡ଼ିର ବକେୟା ଅର୍ଥ ବିଲ୍ ପାସ୍ କରିଦେବା ପାଇଁ ସେ ଏହି ଲାଞ୍ଚ ନେଉଥିଲେ। ନିଜ କାର୍ଯ୍ୟାଳୟରେ ଟଙ୍କା ନେବା ସମୟରେ କଟକ ଓ ଯାଜପୁର ଭିଜିଲାନ୍ସ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ତାଙ୍କୁ କାବୁ କରିଥିଲା।
ମିଳିଥିବା ସୂଚନା ଅନୁସାରେ ଯାଜପୁର ଡ୍ରେନେଜ ଡିଭିଜନ (ଜଳ ନିଷ୍କାସନ)ରେ ୨୦୧୯ ମାର୍ଚ୍ଚ ୯ ତାରିଖରେ ସୁପରିଣ୍ଟେଣ୍ଡେଣ୍ଟ ଇଂଜିନିୟର ଚଣ୍ଡି ପ୍ରସାଦ ମହାପାତ୍ର ଦାୟିତ୍ବ ଗ୍ରହଣ କରିଥିଲେ। ଯାଜପୁର କାର୍ଯ୍ୟାଳୟରେ ଦୁଇଟି ଗାଡ଼ି ଭଡ଼ାରେ ଲାଗିଥିବା ବେଳେ ନିୟମିତ ଭଡ଼ା ଅର୍ଥ ପୈଠ କରାଯାଇଥାଏ। ସ୍ଥାନୀୟ ଅଞ୍ଚଳର ଦେବାଶିଷ ପଣ୍ଡା ଏହି କାର୍ଯ୍ୟାଳୟରେ ୨୦୨୦ ରୁ ନିଜର ବୋଲେରୋ ଗାଡ଼ି ଭଡ଼ାରେ ଲଗାଇଥିଲେ। ଗାଡ଼ିର ୩/୪ ମାସର ଭଡ଼ା ମାଲିକଙ୍କୁ ପ୍ରଦାନ କରାଯାଇ ନ ଥିଲା। ଏହି ବିଲ୍ ପାସ କରିବାକୁ ଶ୍ରୀ ମହାପାତ୍ର ଲାଞ୍ଚ ମାଗିଥିଲେ। ଏସଡିଓଙ୍କ ଜରିଆରେ ୫ ହଜାର ଟଙ୍କା ଦେଇଥିବା କହି ବିଲ୍ ପାସ କରିବାକୁ ସେ କହିଥିଲେ। ଏଥିରେ ଶ୍ରୀ ମହାପାତ୍ର ଅରାଜି ହେବା ସହ ୧୦ ହଜାର ଟଙ୍କା ଦାବି କରିଥିଲେ। ଏହା ନିଜ ପାଇଁ ନୁହେଁ ଅଫିସର ଖର୍ଚ୍ଚ ପାଇଁ ଦାବି କରିଥିବା ଏକ ଅଡିଓ ମଧ୍ୟ ଭାଇରାଲ ହୋଇଛି। ଅନ୍ୟପଟେ ଅଭିଯୋଗକାରୀ ଏତେ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରି କଟକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।
ଆଜି ଯୋଜନା ଅନୁସାରେ କଟକ ଭିଜିଲାନ୍ସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଯାଜପୁର ଭିଜିଲାନ୍ସ ବିଭାଗ ସହଯୋଗରେ ଡ୍ରେନେଜ ବିଭାଗ କାର୍ଯ୍ୟାଳୟରେ ଚଢ଼ଉ କରିଥିଲେ। ଲାଞ୍ଚ ନେଉଥିବା ଶ୍ରୀ ମହାପାତ୍ରଙ୍କୁ କାବୁ କରିଥିଲା। ଏହି ଚଢ଼ଉରେ କଟକ ଭିଜିଲାନ୍ସ ବିଭାଗର ଡିଏସପି ସୁରେନ୍ଦ୍ର ନାଥ ରାୟଗୁରୁ, ଯାଜପୁର ଡିଏସପି ସୁଶୀଲ ଏକ୍କା, ଯାଜପୁର ଭିଜିଲାନ୍ସ ଇନ୍ସପେକ୍ଟର ଅନସୂୟା ମହାପାତ୍ର, କଟକର ଇନ୍ସପେକ୍ଟର ଜ୍ୟୋତିରଂଜନ ସ୍ବାଇଁ, ସବ୍ ଇନ୍ସପେକ୍ଟର ଅନିଲ କୁମାର ସେଠୀ ସାମିଲ ହୋଇଥିଲେ। ଏକାସଙ୍ଗେ ଶ୍ରୀ ମହାପାତ୍ରଙ୍କ ଭୁବନେଶ୍ବର ଓ ତିର୍ତ୍ତୋଲରେ ଥିବା ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିଛି। ଚଢ଼ଉରୁ କ’ଣ ମିଳିଛି ତାହା ଏଯାଏଁ ସ୍ପଷ୍ଟ ହୋଇପାରିନି।
The post ଭିଜିଲାନ୍ସ ଜାଲରେ ଯାଜପୁର ଡ୍ରେନେଜ୍ ସୁପରିଣ୍ଟେଣ୍ଡେଣ୍ଟ ଇଂଜିନିୟର, ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ first appeared on Sambad.from ଜିଲ୍ଲା | Sambad https://ift.tt/3AbEHRz
0 Comments