ସିନ୍ଧେକେଲା : କୋଭିଡ-୧୯ କଟକଣା ‌କୋହଳ ହେବା ପରେ ବଲାଙ୍ଗୀର ଜିଲ୍ଲାପାଳଙ୍କ ଆଦେଶ ଅନୁସାରେ ବଙ୍ଗୋମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟକ କ୍ଷେତ୍ର ରାଣୀପୁର ଝରିଆଲସ୍ଥିତ ସୋମେଶ୍ବର ମନ୍ଦିର ଖୋଲିଛି। ଏଥିପାଇଁ ତହସିଲଦାର ଗୁଣମଣି ସୁନାନୀଙ୍କ ତତ୍ତ୍ୱାବଧାନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଶାସନ ପକ୍ଷରୁ ମନ୍ଦିର ପରିସର ସଫେଇ ଓ ବିଶୋଧନ କରାଯାଇଥିଲା। କୋଭିଡ ନିୟମାବଳୀ ପାଳନ ନିମନ୍ତେ ମନ୍ଦିର ବାହାରେ ପୋଷ୍ଟର ଲଗାଯିବା ସହିତ ସାମାଜିକ ଦୂରତା ରକ୍ଷା ଓ ହାତ ବିଶୋଧନ ପାଇଁ ବ୍ୟବସ୍ଥା କରାଯାଇଛି।

ମନ୍ଦିର କମିଟି ସଭାପତି ମାଣିକ ଚନ୍ଦ ଜୈନଙ୍କ କହିବାନୁଯାୟୀ, ପାରମ୍ପରିକ ରୀତିନୀତି ଅନୁଯାୟୀ ମଙ୍ଗଳବାର ସକାଳୁ ମନ୍ଦିର ଖୋଲାଯାଇଛି। ପୂଜକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ମନ୍ଦିର ମଧ୍ୟକୁ ଦୀପ, ଫୁଲ ଓ ଭୋଗ ନେବା ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ୬୫ ବର୍ଷରୁ ଅଧିକ ବୟସ୍କ, ଜଟିଳ ବ୍ୟାଧିଗ୍ରସ୍ତ ବ୍ୟକ୍ତି, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ମନ୍ଦିର ପ୍ରବେଶକୁ ନିଷେଧ କରାଯାଇଛି। ପ୍ରତି ସୋମବାର ବିଶୋଧନ ପାଇଁ ମନ୍ଦିର ବନ୍ଦ ରହିବ। ଥରକରେ କେବଳ ଜଣେ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ଦିଆଯାଉଛି।

ମନ୍ଦିର ଖୋଲିବା ପରେ ପ୍ରଥମ ଦିନ ସ୍ଥାନୀୟ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ବୈଠକରେ ମନ୍ଦିର କମିଟି ସଭାପତି ମାଣିକ ଚନ୍ଦ ଜୈନଙ୍କ ସମେତ ଅନିଲ ତ୍ରିପାଠୀ, ଝରିଆଲ ସରପଞ୍ଚଙ୍କ ପ୍ରତିନିଧି ଗୋପୀନାଥ ସାହୁ, ପୂର୍ବ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ, ପରମାନନ୍ଦ ଭୋଇ, କ୍ଷୀରସିନ୍ଧୁ ଭୋଇ, ପ୍ରହଲ୍ଲାଦ ସାହୁ, ସନ୍ନ୍ୟାସୀ ଭୋଇ, ଧନୀରାମ ଭୋଇ, ଇନ୍ଦ୍ରମଣି ଭୋଇ, ପୂଜକ ଗୁଲାମ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

The post ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ରାଣୀପୁର ଝରିଆଲ ମନ୍ଦିର first appeared on Sambad.

from ଜିଲ୍ଲା | Sambad https://ift.tt/3ytBiNI