ବାରିପଦା : ଉଦଳା ବ୍ଲକ୍‌ ଶିକ୍ଷା କାର୍ଯ୍ୟାଳୟର ମୁଖ୍ୟ କିରାଣୀ ପ୍ରଫୁଲ କୁମାର ମଲ୍ଲିକଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଶିକ୍ଷା ବିଭାଗ ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ବରିଷ୍ଠ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ବିଜେଡିର ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିବାରୁ ତାଙ୍କ ବି‌ରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)। ଏନେଇ ଦଳ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା-୧ ସଭାପତି ପ୍ରଭୂଦାନ ମାର୍ଣ୍ଷିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆଜି ଜିଲ୍ଲାପାଳ ବିନୀଥ ଭରଦ୍ଵାଜଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଶ୍ରୀ ମଲ୍ଲିକ ନିଜର ରାଜନୈତିକ ପତିଆରାର ଫାଇଦା ଉଠାଇ ଅଧସ୍ତନ କର୍ମଚାରୀଙ୍କୁ ମାନସିକ ନିର୍ଯାତନା ଦେଉଥିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ହସ୍ତଗତ ହୋଇଛି। ସେହିପରି ଜଣେ ସରକାରୀ କର୍ମଚାରୀ ନିଜ ଅଫିସ ସମୟରେ ଶାସକ ଦଳର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଏକ ଅଶୋଭନୀୟ ପରମ୍ପରା ସୃଷ୍ଟି କରୁଥିବା ଜେଏମଏମ ଅଭିଯୋଗ କରିଛି । ଏହିପରି ଘଟଣା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ପଦାକୁ ଆଣିଛି। ଶ୍ରୀ ମଲ୍ଲିକଙ୍କ ବିରୋଧରେ ଅଭିଯୋଗ ହୋଇଥିଲେ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଉଦଳା ବ୍ଲକ ଶିକ୍ଷା ଅଧିକାରୀ କିପରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଅଭିଯୋଗ କରିଛି ଦଳ। ଏହି ଅବସରରେ ପ୍ରଭୂଦାନଙ୍କ ସମେତ ମୟୂରଭଞ୍ଜ ଯୁବ ସଭାପତି ଅର୍ଜୁନ ମୁର୍ମୁ, ସମ୍ପାଦକ ଚୈତନ୍ୟ ସୋରେନ, ବରିଷ୍ଠ ନେତା ଅନନ୍ତ ମୁର୍ମୁ, ଛାତ୍ରନେତା ବିଶ୍ଵନାଥ ମୁର୍ମୁ, ଯୁବ ନେତା ପୁର୍ଥୁରାଜ ହାଁସଦାଃ,ରାଜେଶ ମୁର୍ମୁ, ରଘୁନାଥ ବାସ୍କେଙ୍କ ସହ ଅନେକ କର୍ମକର୍ତ୍ତା ଜିଲ୍ଲାପାଳଙ୍କୁ ମୁଖ୍ୟ କିରାଣୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ଉପସ୍ଥାପନ କରିଛନ୍ତି । ନଚେତ ଆଗାମୀ ଦିନରେ ଗଣତନ୍ତ୍ରପଦ୍ଧତିରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ମାର୍ଣ୍ଡି ଚେତାବନୀ ଦେଇଛନ୍ତି ।

 

The post ବଢ଼ୁଛି ଉଦଳା ବ୍ଲକ୍‌ ଶିକ୍ଷା କାର୍ଯ୍ୟାଳୟ ମୁଖ୍ୟକିରାଣୀଙ୍କ ଅଡ଼ୁଆ first appeared on Sambad.

from ଜିଲ୍ଲା | Sambad https://ift.tt/3yEdZ3J