
ଖଇରା : ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ୨୩ଦିନ ବିତିଲାଣି। ଦିନ ଯେତିକି ଗଡୁଛି ରହସ୍ୟ ସେତିକି ବଢ଼ିବାରେ ଲାଗିଛି। ହେଲେ ରହସ୍ୟ ଉପରୁ ପରଦା ହଟାଇ ପାରୁନି ତଦନ୍ତକାରୀ ଟିମ୍। ଅପରପକ୍ଷରେ ଭେଣ୍ଡିଆ ପୁଅକୁ ହରାଇ ମା’ ଆଖିରୁ ଶୁଖୁନି ଲୁହ। ପୁଲିସର ତଦନ୍ତ ଉପରୁ ପରିବାର ଲୋକଙ୍କ ଭରସା ଉଠିଗଲାଣି। ପୁଅର ମୃତ୍ୟୁକୁ ୨୩ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନେଇ ନଥିବାରୁ ଶେଷରେ ବାଧ୍ୟ ହୋଇ ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଆଜି ଚେତାବନୀ ଦେଇଛନ୍ତି ସୌମ୍ୟରଞ୍ଜନଙ୍କ ମା’ ତୁଳସୀ ମହାପାତ୍ର।

ସେପଟେ ସୌମ୍ୟଙ୍କ ପରିବାର ଲୋକେ ତଦନ୍ତ ପ୍ରକ୍ରିୟାରେ ଅସନ୍ତୋଷ ପ୍ରକାଶ କରିବା ସହିତ ତଦନ୍ତକାରୀ ଟିମ୍ ଦୋଷୀକୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରିଛନ୍ତି। ଏନେଇ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ସମସ୍ତ ମନ୍ତ୍ରୀଙ୍କୁ ଇମେଲ ମାଧ୍ୟମରେ ଅଭିଯୋଗ କରିଛନ୍ତି। ସେହିପରି ସୌମ୍ୟରଞ୍ଜନଙ୍କ ମାମୁପୁଅ ଭାଇ ପ୍ରିୟବ୍ରତ ପଣ୍ଡା ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ଉପରିସ୍ତ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିବା ପାଇଁ ଭୁବନେଶ୍ୱର ଯାଇଥିବା ସୂଚନା ମିଳିଛି। ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ନ୍ୟାୟ ଦାବି କରିବା ସହିତ ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ପ୍ରକାଶ କରିଛନ୍ତି।
The post ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ୨୩ଦିନ ପରେ ବି ପୁଲିସର ହାତ ଖାଲି first appeared on Sambad.from ଜିଲ୍ଲା | Sambad https://ift.tt/3jkTsLe
0 Comments