ରଗଡ଼ି : କୋରେଇ ଥାନା ଅନ୍ତର୍ଗତ ତାହାରପୁର ପଞ୍ଚାୟତର ନହକା-ଖଇରା ରାସ୍ତା ପାର୍ଶ୍ୱରେ ଏକ ଭଡ଼ାଘରେ ରହୁଥିବା ଜଣେ ଯୁବକ ତାଙ୍କ ଶାଶୂଙ୍କୁ ଛୁରୀରେ ଆକ୍ରମଣ କରି ଫେରାର ହୋଇଯାଇଛି। ଗୁରୁତର ମହିଳାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ଜ୍ୱାଇଁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଛେନାପଦୀ ଅଞ୍ଚଳର ମୃତ୍ୟୁଞ୍ଜୟ ଜେନା। ସୂଚନା ପାଇ କୋରେଇ ଥାନା ଅଧିକାରୀ ରଞ୍ଜିତ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

ସୂଚନା ଅନୁଯାୟୀ, ମାନସୀ ସାହୁ ଛେନାପଦି ଅଞ୍ଚଳର ଅଶୋକ ଜେନାଙ୍କ ପୁଅ ମୃତ୍ୟୁଞ୍ଜୟକୁ ୩ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ୨ ବର୍ଷ ବାହାରେ ରହିବା ପରେ ବର୍ଷେ ହେଲା ତାହାରପୁରରେ ଏକ ଭଡ଼ାଘରେ ରହୁଥିଲେ। ସେମାଙ୍କର ଦୁଇ ବର୍ଷର ପୁଅଟିଏ ରହିଛି। ମୃତ୍ୟୁଞ୍ଜୟ ବିଭିନ୍ନ ସମୟରେ କଳିଝଗଡ଼ା କରିବା ସହ ମାନସୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିଲା। ଏଥିପାଇଁ ମାନସୀ ତାଙ୍କ ମା’ ମଞ୍ଜୁଲତା ସାହୁଙ୍କୁ ଆଣି ପାଖରେ ରଖିଥିଲେ। ମୃତ୍ୟୁଞ୍ଜୟ ଗତ ୧ ତାରିଖରୁ ଭଡ଼ାଘର ଛାଡ଼ି ଚାଲିଯାଇଥିବା ବେଳେ ଆଜି ଆସି ହଠାତ୍‌ ପହଞ୍ଚିଥିଲା। ଆଣିଥିବା ଏକ କାର୍‌ରେ ପୁଅକୁ ଜୋର କରି ନେଇଯିବାକୁ ବସିଥିଲା। ମାନସୀ ଓ ଶାଶୂ ମଞ୍ଜୁଲତା ଏହାକୁ ବିରୋଧ କରିଥିଲେ। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷୀପ୍ତ ହୋଇ ମୃତ୍ୟୁଞ୍ଜୟ ପାଖରେ ରଖିଥିବା ଏକ ଛୁରୀରେ ଶାଶୂ ମଞ୍ଜୁଲତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ପରେ ମୃତ୍ୟୁଞ୍ଜୟ ସେଠାରୁ ଫେରାର ହୋଇଯାଇଥିଲା। ମାନସୀଙ୍କ ଘର ପାଖରେ ରହୁଥିବା ତାଙ୍କ ଭାଇ ଆଲୋକ ଗୁରୁତର ଅବସ୍ଥାରେ ମଞ୍ଜୁଲତାଙ୍କୁ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

The post ଜ୍ୱାଇଁ ଆକ୍ରମଣରେ ଶାଶୁ ଗୁରୁତର first appeared on Sambad.

from ଜିଲ୍ଲା | Sambad https://ift.tt/3kBGNnx