
ରାୟଗଡ଼ା: ରାୟଗଡ଼ା ସହରରେ ଚୋରଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ପ୍ରତିଦିନ ସହରରୁ ଛୋଟ ବଡ଼ ଚୋରି ହେଉଥିଲେ ମଧ୍ୟ ପୁଲିସ୍ ଚୋର ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇପାରୁନି। ପୁଲିସକୁ ଚ୍ୟାଲେଞ୍ଜ ଦେଇ ଚୋର ଗ୍ୟାଙ୍ଗ୍ ତାଲା ଭାଙ୍ଗି ଘରେ ପଶି କଳାକନା ବୁଲାଇ ଚାଲିଛନ୍ତି। ମଙ୍ଗଳବାର ରାତିରେ ଲୁଟେରା ହାତୀପଥର ରୋଡର ଦ୍ବିତୀୟ ଲାଇନରେ ତାଲା ଭାଙ୍ଗି ସୁନା ସହ ନଗଦ ୪୦ ହଜାର ଟଙ୍କା ଲୁଟି ନେଇ ଯାଇଛନ୍ତି। ଅଭିଯୋଗ ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଲୁଟେରାଙ୍କୁ କାବୁ କରିପାରିନି।
ହାତୀପଥର ରୋଡର ଦ୍ବିତୀୟ ଲାଇନରେ ସପରିବାର ସହ ରହି ଆସୁଛନ୍ତି ବିଶ୍ବବଶୁ ରାଜଗୁରୁ। କୌଣସି କାମରେ ରାଜଗୁରୁ ଦୁଇ ଦିନ ତଳେ ବ୍ରହ୍ମପୁର ଯାଇଥିଲେ। ଘରେ ରାଜଗୁରୁଙ୍କ ପତ୍ନୀ ପିଲା ଛୁଆଙ୍କ ସହ ଥିଲେ। ସହରର ରୟତ କଲୋନୀରେ ରାଜଗୁରୁଙ୍କ ସଂପର୍କୀୟ ରହୁଥିବାରୁ ପତ୍ନୀ ପିଲାଙ୍କୁ ନେଇ ଗତକାଲି ସଂଧ୍ୟାରେ ତାଙ୍କ ଘରକୁ ଯାଇଥିଲେ।
ବିଳମ୍ବିତ ରାତିରେ ଲୁଟେରାମାନେ ଘର ତାଲା ଭାଙ୍ଗି ଭିତରେ ପଶିବା ସହ ଆଲମିରା ଭାଙ୍ଗି ଭିତରେ ଥିବା ୩ ହଳ ସୁନା କାନ ଫୁଲ ସହ ନଗଦ ୪୦ ହଜାର ଲୁଟି ନେଇଛନ୍ତି। ଆଲମିରା ଭିତରେ ରୂପା ସାମଗ୍ରୀ ଥିଲେ ମଧ୍ୟ ଲୁଟେରା ନେଇ ନାହାନ୍ତି। ରାଜଗୁରୁ ଆଜି ସକାଳେ ବ୍ରହ୍ମପୁରରୁ ଫେରିବା ପରେ ଘରର ତାଲା ଭଙ୍ଗା ହୋଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
The post ରାୟଗଡ଼ାରେ ମାତିଛନ୍ତି ଲୁଟେରା, ସୁନା ସହ ଲୁଟିନେଲେ ନଗଦ ୪୦ ହଜାର ଟଙ୍କା first appeared on Sambad.from ଜିଲ୍ଲା | Sambad https://ift.tt/3A2b0Cu
0 Comments