କପ୍ତିପଦା/ଶାଳଚୁଆ : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଶାଳଚୁଆ ପଞ୍ଚାୟତ ମାଟିହୁଡ଼ି ଗ୍ରାମରେ ଜଣେ ୮୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟଣାରେ ତାଙ୍କ ଦୁଇ ନାତିଙ୍କୁ ପୁଲିସ ଅଟକ ରଖିଛି। ଏଥିସହ ମୃତ୍ୟୁର ୨୧ଦିନ ପରେ ଠାକୁରମୁଣ୍ତା ଥାନା ଅଞ୍ଚଳରୁ ଉଦ୍ଧାର କରାଯାଇଛି ଶବ।

ଖବରରୁ ପ୍ରକାଶ, ଉକ୍ତ ଗ୍ରାମର ବାଜୁ ସଏ(୧୯) ଓ ସୁରେଶ ସଏ(୩୦) ତାଙ୍କ ଜେଜେ ବାଜୁଙ୍କୁ ଗତ ୧୪ ତାରିଖ ଦିନ ପିଟାମରା କରୁଥିବାର ଗ୍ରାମବାସୀ ଦେଖିଥିଲେ। ମାତ୍ର ପରେ ବାଜୁଙ୍କୁ ଆଉ କେହି ଦେଖିବାକୁ ପାଇନଥିଲେ। ଜେଜେଙ୍କ ମୃତ୍ୟୁପରେ ତାଙ୍କର ମୂଳଘର ଠାକୁରମୁଣ୍ତା ଥାନା ହାତୀଗୁଡ଼ା ଜେରଙ୍ଗସାହି ଗ୍ରାମକୁ ନେଇ ଶବ ପୋତି ଦେଇଥିଲେ ଦୁଇନାତି। କିଛି ଦିନପରେ ସେମାନେ ଲଣ୍ତା ହୋଇ ଗ୍ରାମକୁ ଫେରିବା ପରେ ପରିବାର ଲୋକ, ବନ୍ଧୁବାନ୍ଧବ ଓ ଗ୍ରାମବାସୀଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ଏନେଇ ଗ୍ରାମର ବିଜୟ କୁମାର ଜେନା କପ୍ତିପଦା ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍‌ ନଂ୨୧୨ରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତ ନାତିଙ୍କୁ ଅଟକ ରଖିଛି। ଏଥିସହ ଠାକୁରମୁଣ୍ତା ପୁଲିସ ସହାୟତାରେ ପୋତା ଯାଇଥିବା ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ।

The post ଜେଜେଙ୍କୁ ହତ୍ୟା ସନ୍ଦେହରେ ଦୁଇ ନାତି ଅଟକ, ୨୧ ଦିନ ପରେ ଉଦ୍ଧାର ହେଲା ଶବ first appeared on Sambad.

from ଜିଲ୍ଲା | Sambad https://ift.tt/3rStrql