
ବାରିପଦା : ମୟୂରଭଞ୍ଜରେ କ୍ରମଶଃ ବଢ଼ିଚାଲିଥିବା ମାଳ ମାଳ ଘରୋଇ ନର୍ସିଂହୋମ୍କୁ ନେଇ ତାତିଛି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)। ଏଥିସହିତ ସରକାରୀ ହସ୍ପିଟାଲରେ ନିଯୁକ୍ତ ଡାକ୍ତରମାନେ ଘରୋଇ ନର୍ସିଂହୋମ୍ରେ କାର୍ଯ୍ୟ କରିବାକୁ ମଧ୍ୟ ଦଳ ଦୃଢ଼ ବିରୋଧ କରିଛି। ଜିଲ୍ଲା ପ୍ରଶାସନ ଏନେଇ ତୁରନ୍ତ ଛତୁ ଫୁଟିଲା ଭଳି ହୋଇଥିବା ଘରୋଇ ନର୍ସିଂହୋମ୍ ଗୁଡ଼ିକ ବିରୋଧରେ ତଦନ୍ତ କରିବା ସହିତ ବେଆଇନ ଭାବେ ହୋଇଥିବା ସଂସ୍ଥାକୁ ବନ୍ଦ କରିବାକୁ ଦଳ ଦାବି କରିଛି।
ଏନେଇ ଆଜି ଦଳ ପକ୍ଷରୁ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି। କିଛି ସମୟ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଉଲ୍ଲେଖଯୋଗ୍ୟଯେ ଦୁଇ ଦିନ ତଳେ ବାରିପଦାର ଦୁର୍ଗା ନର୍ସିଂହୋମ୍ ନାମକ ଏକ ଘରୋଇ ସଂସ୍ଥାରେ ସରକାରୀ ଡାକ୍ତର ଅଞ୍ଜନ ଷଡ଼ଙ୍ଗୀଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା କାରଣରୁ ଜଣେ ପ୍ରସୂତୀଙ୍କ ଜୀବନ ଯାଇଥିବା ବାରିପଦା ଟାଉନ୍ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାକୁ ଜେଏମଏମ ଦୃଢ଼ ନିନ୍ଦା କରିଛି। ଘରୋଇ ନର୍ସିଂହୋମ୍ର ଏପରି ମନମୁଖୀ ଏବଂ ତ୍ରୁଟିପୂର୍ଣ୍ଣ ଚିକିତ୍ସା ବିରୋଧରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉ। ନଚେତ୍ ଆଗାମୀ ଦିନରେ ଦଳ ପକ୍ଷରୁ ଘରୋଇ ନର୍ସିଂହୋମ୍କୁ ତାଲ ପକାଯିବ ବୋଲି ଚେତାବନୀ ଦିଆଯାଇଛି। ଜେଏମଏମ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷା ଅଞ୍ଜନୀ ସୋରେନ୍ଙ୍କ ନେତୃତ୍ବରେ ରାଜ୍ୟ କୋଷାଧ୍ୟକ୍ଷ ପ୍ରହଲ୍ଲାଦ ପୁର୍ତ୍ତି, ମୟୂରଭଞ୍ଜ-୧ ଜିଲ୍ଲା ସଭାପତି ପ୍ରଭୂଦାନ ମାର୍ଣ୍ଡି, ମହିଳା ମୋର୍ଚ୍ଚା ଉପସଭାପତି ପାର୍ବତୀ ପୁର୍ତ୍ତି, ଯୁବ ମୋର୍ଚ୍ଚା ସଭାପତି ଅର୍ଜୁନ ମୁର୍ମୁ, ସମ୍ପାଦକ ଚୈତନ୍ୟ ସୋରେନ୍, ଜିଲ୍ଲା ସମ୍ପାଦକ ସୁନ୍ଦରମୋହନ ସିଂ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।
The post ମୟୂରଭଞ୍ଜରେ ବେଆଇନ ନର୍ସିଂହୋମ୍ ବନ୍ଦ କରିବାକୁ ଜେଏମଏମର ଦାବି first appeared on Sambad.from ଜିଲ୍ଲା | Sambad https://ift.tt/2UvkxCQ
0 Comments