ଘଟଗାଁ : କେନ୍ଦୁୁଝରର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ମନ୍ଦିର ଏବେ ଖୋଲିବ ନାହିଁ। ସମସ୍ତ ସେବାୟତ, କର୍ମଚାରୀଙ୍କ କୋଭିଡ ପରୀକ୍ଷା କରାଯିବା ସହ ଅନ୍ୟାନ୍ୟ ପ୍ରସ୍ତୁତି କରାଯିବ। ଏସବୁ ସରିଲା ପରେ ମନ୍ଦିର ଖୋଲିବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ। ସମ୍ଭବତ ଆହୁରି ଗୋଟିଏ ସପ୍ତାହ ଭକ୍ତଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ ଜିଲ୍ଲାପାଳମାନଙ୍କୁ ଧର୍ମାନୁଷ୍ଠାନ ଖୋଲିବା ନେଇ ଦାୟିତ୍ବ ଦିଆଯାଇଛି। ପଡ଼ୋଶୀ ଯାଜପୁରରେ ମା’ ବିରଜାଙ୍କ ମନ୍ଦିର ଖୋଲିଛି। ଅନ୍ୟାନ୍ୟ ଜିଲ୍ଲାରେ ମନ୍ଦିର ଖୋଲିବାକୁ ଜିଲ୍ଲାପାଳମାନେ ଘୋଷଣା କରିଥିଲେ ହେଁ କେନ୍ଦୁୁଝରର ଶାଳବଣ ଠାକୁରାଣୀ ମା’ ତାରିଣୀଙ୍କ ମନ୍ଦିର ଖୋଲିବା ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି। ଫଳରେ ଶ୍ରଦ୍ଧାଳୁଙ୍କ ବ୍ୟକୁଳତା ଆହୁରି ବଢିବା ସହ ସାଧାରଣରେ ଏନେଇ ଅସନ୍ତୋଷ ଦେଖାଦେଇଛି।

ଜିଲ୍ଲାପାଳ ଆଶିଷ ଠାକରେ ବୁଧବାର ଦିନ ଘଟଗାଁ ତାରିଣୀ ମନ୍ଦିରକୁ ଆସି ମନ୍ଦିର ପରିଚାଳନା ବୋର୍ଡ ଓ ସେବାୟତଙ୍କ ସହ ଆଲୋଚନା କରିଥିଲେ। ମାତ୍ର ମନ୍ଦିର ଖୋଲିବା ନେଇ ତାରିଖ ସ୍ପଷ୍ଟ କଲେନାହିଁ। ଆଲୋଚନା ପରେ ଜିଲ୍ଲାପାଳ ଖୁବଶୀଘ୍ର ମନ୍ଦିର ଖୋଲିବ ବୋଲି କହିଥିଲେ ହେଁ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ କରିନାହାନ୍ତି। ମନ୍ଦିରର ସମସ୍ତ ସେବାୟତ ତଥା ପୂଜକ, ମନ୍ଦିର କର୍ମଚାରୀ ଓ ଅନ୍ୟମାନଙ୍କ ପ୍ରଥମେ କୋଭିଡ ଟେଷ୍ଟ କରାଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମନ୍ଦିର ମଧ୍ୟକୁ ଭକ୍ତଙ୍କ ପ୍ରବେଶ ନେଇ କଡ଼ା କଟକଣା ଜାରି କରିଛନ୍ତି। ସାମାଜିକ ଦୂରତା ସହ ମାସ୍କ ପରିଧାନ ବାଧ୍ୟତାମୂଳକ କରିଛନ୍ତି। ସମସ୍ତ ଭକ୍ତ ଏଥର ୩ ନମ୍ବର ଗେଟ ବାହାରେ ଠିଆ ନ ହୋଇ ମନ୍ଦିର ବେଢା ଭିତରେ ବାରିକେଡ଼ ଭିତରେ ଦୂରତା ରକ୍ଷାକରି ଠିଆ ହେବେ। ଖରା ବର୍ଷାରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ପାଲ ଛାଉଣୀ କରାଯିବା ପାଇଁ ସେ ନିର୍ଦେଶ ଦେଇଛନ୍ତି। ଭକ୍ତଙ୍କୁ ମନ୍ଦିର ପ୍ରବେଶ ଦ୍ବାରରେ ଆଗେ ସାନିଟାଇଜିଂ କରାଯିବ। ଖାଲିସେତିକି ନୁହେଁ ମୁଖଶାଳା ଭିତରକୁ ପ୍ରବେଶ କରିବା ପୂର୍ବରୁ ହାତ ସାନିଟାଇଜ କରି ଭିତରକୁ ଯିବାକୁ ପଡ଼ିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିପରି ମନ୍ଦିର ବେଢା ଭିତର ଓ ବାହାର ସାନିଟାଇଜ କରାଯିବା ନେଇ କୁହାଯାଇଛି। ସ୍ଥାନୀୟ ଥାନା ଆଧିକାରୀ, ତହସିଲଦାର ଓ ଉପଜିଲ୍ଲାପାଳ ଏସବୁକୁ ଠିକ୍‌ ହେଲା ବୋଲି ଦେଖିବା ପରେ ଜିଲ୍ଲା ପ୍ରଶାସନ ମନ୍ଦିର ଖୋଲିବା ନେଇ ତାରିଖ ଘୋଷଣା କରିବେ ବୋଲି ସୂଚନା ମିଳିଛି।

ଆଜିର ଆଲୋଚନା ବେଳେ ଚୁଳ ପକାଇବା ପାଇଁ ଅନୁମତି ମିଳୁ ବୋଲି ସେବାୟତମାନେ ଜିଲ୍ଲାପାଳଙ୍କ ଠାରେ ଦାବି ରଖିଥିଲେ। ସେହିପରି ଭକ୍ତଙ୍କୁ ସିନ୍ଦୁର ଓ ପାଦୁକ ଦେବା ପାଇଁ କହିଥିଲେ। ମାତ୍ର ଜିଲ୍ଲାପାଳ ଏହି ଦାବିକୁ ଗ୍ରହଣ ନ କରି ରୋକଠୋକ ମନା କରିଥିଲେ।

ଗତକାଲି ମା ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ତରଫରୁ ଏଥିପାଇଁ ବୈଠକ ବସି ତୁରନ୍ତ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ସରକାରଙ୍କ କୋଭିଡ କଟକଣାକୁ ମାନି କିପରି ମନ୍ଦିର ଖୋଲାଯାଇ ଭକ୍ତଙ୍କୁ ମା’ଙ୍କ ଦର୍ଶନ ମିଳିପାରିବ ସେ ନେଇ ୧୦ଦଫାର ଏସ୍‌ଓପି ପ୍ରସ୍ତୁତ କରାଯାଇ ଜିଲ୍ଲାପାଳଙ୍କୁ ଦିଆଯାଇଥିଲା। ସେଥିରେ ମନ୍ଦିର ମଧ୍ୟରେ ଥିବା ଭୋଗ ଦୋକାନ ସବୁ ବନ୍ଦ ରହିବ, ପ୍ରସାଦାଳୟ ବନ୍ଦ ରହିବ, ଭକ୍ତମାନେ ୩ ନମ୍ବର ଗେଟେ ଦେଇ ମନ୍ଦିର ଭିତରକୁ ସାନିଟାଇଜି ହୋଇ ଯିବେ। ବିନା ଭୋଗରେ ଯିବେ, କେବଳ ଠିଆ ହୋଇ ଦର୍ଶନ କରି ଫେରିବେ, ଏଥିପାଇଁ ସାମାଜିକ ଦୂରତା ରକ୍ଷାକୁ କଡାକଡି କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।

ଜିଲ୍ଲାପାଳଙ୍କ ସହିତ ବୈଠକରେ ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ, ମା’ ତାରିଣୀ ମନ୍ଦିର ପରିଚାଳନା ବୋର୍ଡର ସଭାପତି ରାଜେନ୍ଦ୍ରକୁମାର ପଟ୍ଟନାୟକ, ବରିଷ୍ଠ ଟ୍ରଷ୍ଟି ରୁଦ୍ରନାରାୟଣ ମହାନ୍ତ, ଦୟାନିଧି ମହାନ୍ତ, ନିର୍ମଳ କୁମାର ମହାନ୍ତି, ଆନନ୍ଦ ଚନ୍ଦ୍ର ସିଂହ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର, ସ୍ଥାନୀୟ ତହସିଲଦାର ଜନକ ନାୟକ, ଥାନା ଅଧିକାରୀ ଶ୍ୟମାଘନ ବେହେରା, ବରିଷ୍ଠ ସେବାୟତ ତଥା ପୂଜଜ ଶ୍ୟାମସୁନ୍ଦର ଦେହୁରୀ, ପ୍ରଦୀପ ଦେହୁରୀ, ରବୀନ୍ଦ୍ର କୁମାର ଦେହୁରୀ ଓ ଦୋଳଗୋବିନ୍ଦ ଦେହୁରୀ ସମେତ ଅନ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

The post ତାରିଣୀ ମନ୍ଦିର ଖୋଲିବା ନିଷ୍ପତ୍ତି ଝୁଲିଲା first appeared on Sambad.

from ଜିଲ୍ଲା | Sambad https://ift.tt/3inBfgE