ଓଡ଼ଗାଁ: ସାରା ରାଜ୍ୟରେ କାର୍ଯ୍ୟରତ ସମସ୍ତ ଶିକ୍ଷକଙ୍କ ସାର୍ଟିଫିକେଟର ତଦନ୍ତ ହେବ। ଏ ନେଇ ଶିକ୍ଷା ବିଭାଗ ପକ୍ଷରୁ ଗତକାଲି ଏକ ଚିଠି ପ୍ରକାଶ ପାଇଛି। ଶିକ୍ଷା ବିଭାଗର ଏଭଳି ନିର୍ଦ୍ଦେଶ ଆସିବା ପରେ କିଛି ଶିକ୍ଷକଙ୍କ ମଧ୍ୟରେ କମ୍ପନ ସୃଷ୍ଟି ହୋଇଛି। କିଭଳି ତଦନ୍ତକୁ ସାମ୍ନା କରିବେ ତାକୁ ନେଇ ଭାଳେଣି ପଡ଼ିଛି। ସୂଚନା ଥାଉକି, ଓଡ଼ଗାଁ ବ୍ଲକ୍‌ର ମୋଟ ୧ ଶହ ୯୧ଟି ବିଦ୍ୟାଳୟ ରହିଛି। ସମସ୍ତ ବିଦ୍ୟାଳୟରେ ମୋଟ ୮ ଶହ ୩୯ ଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି। ସେଥି ମଧ୍ୟରୁ କେତେକ ଶିକ୍ଷକଙ୍କ କଳା କାରନାମା ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। କେତେକ ଶିକ୍ଷକ ପଦବି ଲୋଭରେ ଗୋଟିଏ ବର୍ଷରେ ଦୁଇ ଦୁଇଟି ସାର୍ଟିଫିକେଟ୍‌ ହାସଲ କରି ଲେବେଲ୍ ୪ରୁ ଲେବେଲ୍ ୨କୁ ଯିବାକୁ ସଜବାଜ ହେଲେଣି। ଆଉ କେତେକ ଶିକ୍ଷକ ସାର୍ଟିଫିକେଟ ଚଞ୍ଚକତା କରି ମାର୍କ ବଢ଼ାଇ ବ୍ଲକ୍ ଶିକ୍ଷା ବିଭାଗକୁ ହସ୍ତାନ୍ତର କରିଛନ୍ତି।

ଏଭଳି ବର୍ଷ ବର୍ଷ ଧରି ଚାଲିଥିଲେ ମଧ୍ୟ ଶିକ୍ଷା ବିଭାଗର ଛତ୍ରଛାୟା ତଳେ ଏମାନେ ରହିଥିବା ଅଭିଯୋଗ ହୋଇଛି। ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ହାତ କରି ସବୁ ଦୁର୍ନୀତିରେ ସାମିଲ୍ ଅଛନ୍ତି। ଓଡ଼ଗାଁ ୟୁଜିୟୁପି ବିଦ୍ୟାଳୟର ପ୍ରଧାନଶିକ୍ଷକ କାର୍ତ୍ତିକେଶ୍ବର ପଣ୍ତା ଗୋଟିଏ ବର୍ଷରେ ଦୁଇଟି ସାର୍ଟିଫିକେଟ ହାସଲ କରିଥିବା ନଜରକୁ ଆସିଥିଲା। ଯାହା ସଂପୂର୍ଣ୍ଣ ନିୟମବିରୁଦ୍ଧ। ୧୯୯୨ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟରେ ଯୁକ୍ତ ୩ ପାଠପଢ଼ି ସାର୍ଟିଫିକେଟ ହାସଲ କରିଥିବା ବେଳେ ସେହି ସମୟରେ ସିଟି ପ୍ରଶିକ୍ଷଣ ନେଇ ସାର୍ଟିଫିକେଟ ହାସଲ କରିଛନ୍ତି। ସେ ଦୀର୍ଘ ୨୦ ବର୍ଷ ଧରି ଶିକ୍ଷା ବିଭାଗକୁ ଅନ୍ଧାରରେ ରଖିଥିବା କିଛି ଶିକ୍ଷକ ଗୁପ୍ତ ଭାବେ ସୂଚନା ଦେଇଛନ୍ତି। ଗତ ୪ ତାରିଖରେ ଏହି ଖବର ‘ସମ୍ବାଦ’ ପୃଷ୍ଠାରେ ପ୍ରକାଶ ପାଇବା ପରେ ଅନ୍ୟ ଶିକ୍ଷକଙ୍କ ମଧ୍ୟରେ ଛନକା ପଶିଥିଲା। କାଳେ ତଦନ୍ତ ହେବ କି ଚାକିରି ଉପରେ ପ୍ରଭାବ ପଡ଼ିବା ସହିତ ଲଜ୍ଜିତ ହେବାକୁ ପଡ଼ିବ ସେହି ଚିନ୍ତା ଘାରିଥିଲା।

ଏମିତି ଜଣେ କି ଦୁଇଜଣ ନୁହଁନ୍ତି, ଅଧିକାଂଶ ଶିକ୍ଷକ ପଦବି ଏବଂ ଅର୍ଥ ଲୋଭରେ ଜାଲିଆତି କରି ସରକାରୀ ଚାକିରି ହାତେଇଛନ୍ତି। ତେବେ କାର୍ତ୍ତିକେଶ୍ବର ପଣ୍ତାଙ୍କ ଜାଲିଆତିର ପର୍ଦ୍ଦାଫାଶ ହେବା ପରେ ବ୍ଲକ୍ ଶିକ୍ଷା ଅଧିକାରୀ ଗୀତାଞ୍ଜଳି ସାହୁ ଦୁଇଟି ସାର୍ଟିଫିକେଟ୍‌ ତଦନ୍ତ ପାଇଁ ପଠାଇଥିବା କହିଛନ୍ତି। ରିପୋର୍ଟ ମିଳିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ଗତକାଲି ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟରେ କାର୍ଯ୍ୟରତ ଶିକ୍ଷକମାନଙ୍କ ସାର୍ଟିଫିକେଟ୍‌ର ଯାଞ୍ଚ୍‌ କରି ରିପୋର୍ଟ ଦେବାକୁ କୁହାଯାଇଛି। ଏ ନେଇ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ତଥ୍ୟ ପ୍ରଦାନ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଚିଠି ଜାରି କରାଯାଇଛି। ଶିକ୍ଷକମାନଙ୍କ ସାର୍ଟିଫିକେଟ ଯାଞ୍ଚ୍‌ ହେବ କି ବଡ଼ବଡ଼ିଆଙ୍କୁ ଧରି ଖସିବାକୁ ଉଦ୍ୟମ କରିବେ ତାହା କେବଳ ଦେଖିବାକୁ ବାକି ରହିଛି ବୋଲି ଆଲୋଚନା ହେଉଛି।

The post ତଦନ୍ତ ହେବ ଶିକ୍ଷକଙ୍କ ସାର୍ଟିଫିକେଟ୍‌, ଫସିବେ ଜାଲ୍‌ ସାର୍ଟିଫିକେଟ୍‌ଧାରୀ first appeared on Sambad.

from ଜିଲ୍ଲା | Sambad https://ift.tt/37NaV9M