ଅନୁଗୁଳ: ଦଶ ମାସ ଦଶ ଦିନ ଗର୍ଭରେ ରଖି ଜନ୍ମ ଦେଇଥିଲେ। ଆଶା କରିଥିଲେ, ଶେଷ ସମୟରେ ପୁଅ ସାହା ହେବ। ପୁଅକୁ ଢେର ସ୍ନେହ ଓ ଶ୍ରଦ୍ଧା ଦେଇ ପାଠ ପଢାଇ ଶିକ୍ଷକ କରାଇଥିଲେ। କିନ୍ତୁ ସେହି ପୁଅ ସାହା ହେବା ବଦଳରେ ମା’କୁ ମାଡ଼ ମାରି ଅକଥନୀୟ ଅତ୍ୟାଚାର କରିଛି। ଅତି ଅମାନବୀୟ ଭାବେ ବୁଢୀ ମାକୁ ଟେକି ତଳେ କଚାଡ଼ିଦେଇଛି। ଏହି ନିର୍ଯାତନା ଘଟଣାରେ ପୁଲିସ ଶିକ୍ଷକ-ପୁଅକୁ ଗିରଫ କରିଛି।

ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା କିଶୋରନଗର ଥାନା କଟାପାଲି ଗାଁରେ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଆଗରୁ ସେ ବିଭିନ୍ନ ସମୟରେ ମାଙ୍କୁ ଏମିତି ମାରପିଟ୍ କରି ଆସୁଥିଲେ। ବୃଦ୍ଧାଙ୍କ ଦୁଇ ପୁଅ ଥିଲାବେଳେ ବଡ଼ପୁଅଙ୍କ ମୃତ୍ୟୁ ହୋଇ ସାରିଛି। ସାନ ପୁଅ ହୃଷୀକେଶ ଓ ବଡ଼ ବୋହୂ ବୃଦ୍ଧାଙ୍କୁ ୧୫ ଦିନିଆ ପାଳି କରି ରଖୁଥିଲେ। ଏକ ଉଚ୍ଚବିଦ୍ୟାଳୟରେ ଶିକ୍ଷକତା କରି ଅବସର ନେଇଥିବା ହୃଷୀକେଶ କିନ୍ତୁ ନିଜ ପାଳି ସମୟରେ ମା’ଙ୍କ ଦେଖାଶୁଣା କରୁ ନ ଥିଲେ। ଦେଖାଶୁଣା କରିବା ଦୂରର କଥା, ବରଂ ମା’ଙ୍କୁ ନିର୍ଯାତନା ଦେଉଥିଲେ। ଖାଇବା ହେଉ କି ଔଷଧ ଠିକ ସମୟରେ ମାଗିଲେ ନିର୍ଦ୍ଦୟ ଭାବେ ମାଡ ମାରୁଥିଲେ ହୃଷୀକେଶ। ଏପରିକି ଏକ ପାଇଖାନା ଘର ଆଗରେ ମା’ଙ୍କ ପାଇଁ ଶୋଇବାର ବନ୍ଦୋବସ୍ତ କରିଥିଲେ ଏହି ଶିକ୍ଷିତ ପୁଅ। ଗତକାଲି ସେ ମା’ଙ୍କୁ ଟେକି କଚାଡ଼ୁଥିଲାବେଳେ କେହି ଜଣେ ମୋବାଇଲ୍‌ରେ ଏହି ଘଟଣାର ଭିଡିଓ ଉତ୍ତୋଳନ କରି ଭାଇରାଲ କରିଥିଲେ।

ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏଥିନେଇ ଆଜି ସମ୍ପୃକ୍ତ ଶିକ୍ଷକଙ୍କ ଭାଉଜ କିଶୋରନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ସମ୍ପୃକ୍ତ ଅବସରପ୍ରାପ୍ତ ଶିକ୍ଷକ ହୃଷୀକେଶ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଅ ଗିରଫ ହେବା ପରେ ଏ ଖବର ଶୁଣି ମାର ମନ କିନ୍ତୁ ବୁଝୁନି। ପୁଅର ଗିରଫ ଖବର ଶୁଣିବା ପରଠାରୁ ବାହୁନି ବାହୁନି କାନ୍ଦୁଛନ୍ତି। ମାଡ଼ ଖାଇ ମା ସରସ୍ବତୀଙ୍କ ଦେହରେ ଅନେକ କ୍ଷତ ଚିହ୍ନ ରହିଥିଲେ ମଧ୍ୟ ପୁଅ କିଛି ଦୋଷ କରିନି ବୋଲି ସେ କହୁଛନ୍ତି।

The post ପୁଅ ନାଁରେ କଳଙ୍କ: ବୁଢୀମା’କୁ କଚାଡ଼ି ଶିକ୍ଷକ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/2WmVgey