
କଟକ: ପତ୍ନୀ ବର୍ଷାଙ୍କୁ ଛାଡ଼ପତ୍ର ପ୍ରସଂଗ ନେଇ କଟକ ପରିବାର ଅଦାଲତରେ ବିଚାରାଧୀନ ଆବେଦନର ନିର୍ଦ୍ଧାରିତ ସମୟସୀମା ଭିତରେ ଶୁଣାଣି ପାଇଁ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଦାୟର କରିଥିବା ମାମଲାର ଶୁଣାଣିରେ ଆଜି ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ପରିବାର ଅଦାଲତ ମାମଲାର ଶୁଣାଣିରେ ଅଗ୍ରଗତି ହୋଇଥିବା ଆଜି ହାଇକୋର୍ଟରେ ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏହାପରେ ହାଇକୋର୍ଟ ଅନୁଭବଙ୍କ ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଅନ୍ୟପକ୍ଷରେ ଶୁକ୍ରବାର ଦିନ ପରିବାର ଅଦାଲତରେ ଅନୁଭବଙ୍କ ଛାଡ଼ପତ୍ର ଓ ବର୍ଷାଙ୍କ ଦାମ୍ପତ୍ୟ ସଂପର୍କ ସୁରକ୍ଷା ସଂପର୍କିତ ଦୁଇ ମାମଲାର ଶୁଣାଣି ପାଇଁ ପୂର୍ବରୁ ତାରିଖ ଧାର୍ଯ୍ୟ କରାଯାଇଛି। ଶୁକ୍ରବାର ଦିନ ପରିବାର ଅଦାଲତରେ ସାକ୍ଷ୍ୟଗ୍ରହଣ ପାଇଁ ତାରିଖ ରହିଛି ବୋଲି ଅନୁଭବଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଆଲୋକ କୁମାର ମହାପାତ୍ର ସୂଚନା ଦେଇଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଅନୁଭବ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ଗଲା ବର୍ଷ ଜୁଲାଇ ୧୬ରେ ପିଟିସନ୍ ଦାଖଲ କରିଥିଲେ। ଏହି ଛାଡ଼ପତ୍ର ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ବର୍ଷା ସୁପ୍ରିମେକାର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାର୍ଚ୍ଚ ୫ରେ ସୁପ୍ରିମକୋର୍ଟରେ ମାମଲାର ଚୂଡାନ୍ତ ଶୁଣାଣି ହୋଇଥିଲା। ଅନୁଭବଙ୍କ ସହମତିକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ବର୍ଷାଙ୍କ ଟ୍ରାନ୍ସଫର ପିଟିସନକୁ ଅନୁମତି ଦେଇଥିଲେ। ସୁପ୍ରିମକୋର୍ଟଙ୍କ ମାର୍ଚ୍ଚ ୫ର ନିର୍ଦ୍ଦେଶ ଅନୁସାରେ ଅନୁଭବ ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ କରିଥିବା ଆବେଦନ ଶୁଣାଣି ପାଇଁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇ ଆସିବା ପରେ ଏପ୍ରିଲ ୫ରେ ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ। ଛାଡପତ୍ର ମାମଲା ପରିବାର ଅଦାଲତରେ ବିଚାରାଧୀନ ଥିବା ବେଳେ ଅନୁଭବ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ଦର୍ଶାଇଥିଲେ ମାମଲାର ତ୍ବରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟ କହିଥିଲେ। ଏଥି ସହିତ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ମଧ୍ୟ ଛାଡ଼ପତ୍ର ମାମଲାର ଶୁଣାଣି ନିର୍ଦ୍ଦିଷ୍ଟ ସମୟସୀମା ଭିତରେ କରାଯିବା କଥା। କିନ୍ତୁ ବିଭିନ୍ନ କାରଣରୁ ଛାଡ଼ପତ୍ର ଆବେଦନର ଶୁଣାଣି ଘୁଞ୍ଚି ଚାଲିଛି।
The post ହାଇକୋର୍ଟରେ ବର୍ଷା-ଅନୁଭବ ମାମଲାରେ ପୂର୍ଣ୍ଣଚ୍ଛେଦ: ଆଜି ପରିବାର ଅଦାଲତରେ ସାକ୍ଷ୍ୟଗ୍ରହଣ first appeared on Sambad.from ଜିଲ୍ଲା | Sambad https://ift.tt/3sOdORj
0 Comments