
ପୁରୀ: ଶ୍ରୀମନ୍ଦିର ମରାମତି ତଥା ରକ୍ଷଣାବେକ୍ଷଣ ପାଇଁ ୫ ବର୍ଷୀୟା ଏକ ଖସଡ଼ା ପ୍ରସ୍ତୁତ ହେବ। ଯେଉଁଥିରେ ଶ୍ରୀମନ୍ଦିରର ଆବଶ୍ୟକ ମରାମତି ଓ ରକ୍ଷଣାବେକ୍ଷଣ ସମ୍ପର୍କରେ ସବିଶେଷ ବିବରଣୀ ରହିବ। ରତ୍ନଭଣ୍ଡାର ମରାମତି ବି ଏହା ଅନ୍ତର୍ଭୁକ୍ତ ରହିବ। ପ୍ରତ୍ନତତ୍ତ୍ବ ବିଭାଗ ଏହି ଖସଡ଼ା ପ୍ରସ୍ତୁତ କରିବ। ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ଏହି ଖସଡ଼ା ପ୍ରସ୍ତୁତ କରିବାକୁ ପ୍ରତ୍ନତତ୍ତ୍ବ ବିଭାଗକୁ ଅନୁରୋଧ କରିଛି। ଯଦ୍ବାରା ଶ୍ରୀମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣକୁ ନେଇ ଯେଉଁ ଦ୍ବନ୍ଦ୍ବ ଦେଖାଦେଉଛି, ତାହା ଦୂର ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।
ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର କହିଛନ୍ତି ଯେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ସ୍ତରରେ ଏ ସମ୍ପର୍କରେ ପ୍ରତ୍ନତତ୍ତ୍ବ ବିଭାଗ ସହ ଆଲୋଚନା ସରିଛି। ଆଜି ପରିଚାଳନା କମିଟି ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏଣୁ ପ୍ରତ୍ନତତ୍ତ୍ବ ବିଭାଗକୁ ପରିଚାଳନା କମିଟି ଅନୁରୋଧ କରିଛି ଯେ ଶ୍ରୀମନ୍ଦିରର ଯାହା କିଛି ରକ୍ଷଣାବେକ୍ଷଣ କରିବାର ଅଛି, ସେ ଉପରେ ଆବଶ୍ୟକ ୫ ବର୍ଷିୟା ସଂରକ୍ଷଣ ଖସଡ଼ା ପ୍ରସ୍ତୁତ କରାଯାଉ। ଶ୍ରୀମନ୍ଦିର ପ୍ରଶାସନ ଓ ପ୍ରତ୍ନତତ୍ତ୍ବ ବିଭାଗ ମିଶି ଏହି ଖସଡ଼ା ପ୍ରସ୍ତୁତ କରନ୍ତୁ। ଏହି ଢାଞ୍ଚାରେ ଶ୍ରୀମନ୍ଦିର ବିକାଶ ଓ ସଂରକ୍ଷଣ କାମ କରାଯାଉ। ପ୍ରତ୍ନତତ୍ତ୍ବ ବିଭାଗ ବି ଏଥିରେ ସହମତି ପ୍ରକାଶ କରିଥିବା ମୁଖ୍ୟ ପ୍ରଶାସକ କହିଛନ୍ତି। ଆସନ୍ତା ୩/୪ ମାସ ଭିତରେ ଏହି ଖସଡ଼ା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ମରାମତି ଓ ସଂରକ୍ଷଣର ଏହି ୫ ବର୍ଷୀୟା ଖସଡ଼ା ଅନୁମୋଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ୫ ବର୍ଷୀୟା ଯୋଜନା ଅନୁସାରେ କାର୍ଯ୍ୟ କରାଯିବ।
ଏଥିପାଇଁ ଯଦି ଅଧିକ ଅର୍ଥ ଆବଶ୍ୟକ ପଡ଼େ, ରାଜ୍ୟ ସରକାରଙ୍କୁ ଅର୍ଥ ଯୋଗାଇଦେବାକୁ ଅନୁରୋଧ କରାଯିବ। ନଚେତ୍ ଶ୍ରୀମନ୍ଦିର ପ୍ରଶାସନ ଆର୍ଥିକ ସହାୟତା ଯୋଗାଇଦେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ଶ୍ରୀମନ୍ଦିର ହେରିଟେଜ୍ କରିଡର ସମ୍ପର୍କରେ ମୁଖ୍ୟ ପ୍ରଶାସକ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଏଥିପାଇଁ ନ୍ୟାସ୍ନାଲ ମନୁମେଣ୍ଟ୍ ଅଥରିଟି(ଏନ୍ଏମ୍ଏ)ଙ୍କ ଅନୁମୋଦନ ମିଳିନି। ଅନୁମୋଦନ ପାଇଁ ଆମେ ଆବେଦନ କରିଛୁ। ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଏ ଉପରେ ଏକ ବିସ୍ତୃତ ରିପୋର୍ଟ ଏନଏମଏକୁ ଦେଇଛନ୍ତି। ଯଥାଶୀଘ୍ର ଏହି ଅନୁମୋଦନ ମିଳିଯିବ ବୋଲି ଆଶା ରଖିଛୁ। ହେରିଟେଜ୍ କରିଡର ପାଇଁ ଟେଣ୍ଡର ବି ହୋଇସାରିଛି। ଖୁବଶୀଘ୍ର କାମ ଆରମ୍ଭ ହେବ। ଆରମ୍ଭରୁ କାଷ୍ଟିଂ ୱାର୍କସପ୍ କାମ ଆରମ୍ଭ ହେବ। ପରେ ହେରିଟେଜ୍ କରିଡର କାମ ଆରମ୍ଭ ହେବ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଖୁବଶୀଘ୍ର କାମ ଆରମ୍ଭ ଓ ଶେଷ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।
The post ଶ୍ରୀମନ୍ଦିର ମରାମତି ପାଇଁ ପ୍ରସ୍ତୁତ ହେବ ୫ ବର୍ଷୀୟା ଖସଡ଼ା first appeared on Sambad.from ଜିଲ୍ଲା | Sambad https://ift.tt/3DkR6Fa
0 Comments