
ଦଶରଥପୁର : ମଙ୍ଗଳପୁର ଥାନା ଇସ୍ମାଇଲ୍ପୁର ଗ୍ରାମର ସୁବାସ କୁଅଁର ଓରଫ୍ ଅଟଳ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହରେ ଜାଫରପୁର ଅଞ୍ଚଳର ଅଜୟ ସମାଲଙ୍କୁ ବୁଧବାର ମାରାଥନ ଜେରା କରାଯାଇଛି। ଜିଲ୍ଲା ପୁଲିସ୍ ପକ୍ଷରୁ ଦ୍ବିତୀୟ ଦିନ ଜେରା କରାଯାଇଥିଲେ ମଧ୍ୟ ହତ୍ୟାକାଣ୍ଡରେ କୌଣସି ସମ୍ପୃକ୍ତି ନଥିବା ସେ ଦୋହରାଇଛନ୍ତି। ଅପରାହ୍ଣ ୪ଟାରେ ଏସ୍ପି ରାହୁଲ୍ ପି ଆର ଯାଜପୁର ସଦର ଥାନାରେ ପହଞ୍ଚିବା ପରେ ଏକ ରୁଦ୍ଧଦ୍ୱାର ଘର ଭିତରେ ଅଜୟଙ୍କୁୁ ପଚରାଉଚରା କରିଥିଲେ। ଅଜୟଙ୍କ ଉତ୍ତରରୁ ହତ୍ୟାକାଣ୍ଡକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୁଲିସ୍ ହାତରେ ଲାଗିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ମମତାଙ୍କ ସହ ସମ୍ପର୍କ କଥା ସେ କହିଥିବା ଜଣାଯାଇଛି। ହତ୍ୟାକାଣ୍ଡ ସ୍ଥଳର ପାରିପାର୍ଶ୍ବିକ ଅଞ୍ଚଳରେ ଦେହ ବ୍ୟବସାୟ ରାକେଟ୍ରେ ସଂପୃକ୍ତ କିଛି ବ୍ୟକ୍ତିଙ୍କ ନାମ ସେ ପ୍ରକାଶ କରିଥିବା ସୂଚନା ମିଳିଛି।
ଅପରପକ୍ଷେ ମଙ୍ଗଳବାର ସକାଳୁ ରଗଡ଼ି ଉପକାରାଗାରରୁ ପୁଲିସ୍ ରିମାଣ୍ଡରେ ଆସିଥିବା ମମତାର ରିମାଣ୍ଡ ଅବଧି ଆଜି ଶେଷ ହେଉଥିବା ବେଳେ ପୁଲିସ୍ ତାଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରିଛି। ଏହି ସମୟରେ ଏସ୍ପି, ଏସ୍ଡିପିଓ ମଧ୍ୟ ଉପସ୍ଥିତ ଥିଲେ। କେବଳ ମମତାଙ୍କୁ ଦୁଇଦିନ ଅନ୍ୟ ଏକ ଥାନାରେ ରଖି ରିମାଣ୍ଡ ଅବଧି ଶେଷ ହେବାକୁ ଯାଉଛି। ସେହିପରି ଦୁଇଦିନ ହେବ ତାଙ୍କ ସ୍ୱାମୀକୁ ପୁଲିସ୍ ବିନା କାରଣରେ ଥାନାରେ ରଖି ମାନସିକ ନିର୍ଯାତନା ଦେଉଛି। ତୁରନ୍ତ ତାଙ୍କୁ ଥାନାରୁ ମୁକ୍ତ କରା ନ ଗଲେ ନିଜ ଦୁଇ ସନ୍ତାନଙ୍କ ସହ ସେ ଥାନା ସମ୍ମୁଖରେ ଅତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି। ଆଜି ମଙ୍ଗଳପୁର ପୁଲିସ ଅଜୟଙ୍କ ଘରକୁ ଯାଇ ପଚରାଉଚରା କରିଥିବା ଜଣାପଡ଼ିଛି। ଅନ୍ୟପଟେ ଏ ଘଟଣାରେ ପୁଲିସ ଗଣମାଧ୍ୟମକୁ କୌଣସି ସୂଚନା ଦେବାକୁ ମନା କରିଦେଇଛି।
The post ଅଟଳ ହତ୍ୟା ମାମଲା; ଅଜୟଙ୍କୁ ୪ ଘଣ୍ଟା ଜେରା first appeared on Sambad.from ଜିଲ୍ଲା | Sambad https://ift.tt/3CixpgE
0 Comments