
ଯାଜପୁର/ସିଂହପୁର : ବିଂଝାରପୁର ବ୍ଲକ୍ ଜରୀ ପଞ୍ଚାୟତର ସୁକାନ୍ତି ରଣା ହୁଅନ୍ତୁ କି ବିଧବା ପ୍ରେମଲତା ମଳିକଙ୍କ ପରି ଅନେକ ପରିବାର ଭଙ୍ଗା ଘରେ ପାଲ ପକାଇ ରହୁଛନ୍ତି। ସେମାନଙ୍କର ନାମ ଏବେ ଆବାସ ଚିଠାରେ ନାହିଁ। ଅଥଚ ଦି ମହଲା କୋଠା, ସରକାରୀ କର୍ମଚାରୀ, ଆୟକର ଦେଉଥିବା ବ୍ୟବସାୟୀମାନେ ଗରିବ ଲୋକଙ୍କ ଭଙ୍ଗାଘରକୁ ଦେଖାଇ ଆବାସ ହାତେଇ ନେବାକୁ ବସିଛନ୍ତି। ଭଙ୍ଗା ଝାଟିମାଟି ଘରେ ରହୁଥିବା ସୁକାନ୍ତି, ପ୍ରେମଲତା ଭଳି ଲକ୍ଷ୍ମୀପ୍ରିୟା ସାମଲ, ଅନ୍ନପୂର୍ଣ୍ଣା ବାରିକ, ଛଇଳା ସୂତାର, ବିଳାସୀ ମଳିକ, ସନାତନ ମଳିକ, ମିନତି ମଳିକ, ଉର୍ବଶୀ ମଳିକ, ରମା ମଳିକ , ଭାରତୀ ବିଶ୍ୱାଳ, ଗୋବିନ୍ଦ ସୂତାର ଓ ମିନତି ରଣାଙ୍କ ଭଳି ଆନେକ ଗରିବ ପରିବାର ଆବାସ ତାଲିକାରୁ ବାଦ ପଡ଼ିଛନ୍ତି। ସରକାରୀ ଆବାସ ହାତେଇବାକୁ ପ୍ରଭାବଶାଳୀ ଲୋକମାନେ ବିଭିନ୍ନ ଫନ୍ଦିଫିକର କରି ନିଜ ନାମକୁ ଚିଠାରେ ଚଢାଇଥିବା ବେଳେ ସାଧାରଣ ଗରିବ ଲୋକ ଏହି ଅସାଧୁ ପ୍ରତିଯୋଗିତାରୁ ବାଦ୍ ପଡ଼ିଯାଇଛନ୍ତି। ପ୍ରଭାବଶାଳୀ ଲୋକଙ୍କ ମଧ୍ୟରୁ କେତେକ ପୂର୍ବରୁ ମଧ୍ୟ ଆବାସ ହାତେଇଛନ୍ତି। ଏବେ ପୁଣି ଆବାସ ହାତେବାକୁ ଲାଗିପଡ଼ିଛନ୍ତି। ଯାହାକୁ ନେଇ ବିଂଝାରପୁର ବ୍ଲକ୍ ଜରୀ ପଞ୍ଚାୟତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ବନ୍ୟାବାତ୍ୟାର ଶିକାର ହେଉଥିବା ବିଂଝାରପୁର ବ୍ଲକ୍ ସୀମାନ୍ତରେ ଥିବା ଜରୀ ପଞ୍ଚାୟତରେ ଶତାଧିକ ଗରିବ ପରିବାର ଆଜି ପର୍ଯ୍ୟନ୍ତ ସରକାରୀ ଅବାସ ପାଇପାରିଲେ ନାହିଁ। ସରକାରୀ ନିୟମ ଅନୁଯାୟୀ ଚାଳ ଘରଥିବା ଲୋକଙ୍କୁ ଛିଡା କରାଇ ଜିଓ ଟ୍ୟାଗିଂ କରିବାର ନିର୍ଦ୍ଦେଶନାମା ଥିବାବେଳେ ବିଂଝାରପୁର ବ୍ଲକର ଜରୀ ପଞ୍ଚାୟତରେ ସମସ୍ତ ବିଧି ବ୍ୟବସ୍ଥାକୁ ଦଳି ମକଚି କୋଠାଘର ମାଲିକ, ସରକାରୀ କର୍ମଚାରୀଙ୍କୁ ସରକାରୀ ଆବାସ ଯୋଜନାରେ ସାମିଲ କରିଛନ୍ତି। ଏପରିକି ଗରିବ ଲୋକଙ୍କ ଚାଳ ଘର ସମ୍ମୁଖରେ ଫଟୋ ଉଠାଇ ଏହି ଧନୀ ଲୋକମାନଙ୍କୁ ଆବାସ ଦେବାକୁ ଯୋଜନା ଚାଲିଛି। ବନ୍ୟା, ବାତ୍ୟା ସମୟରେ ଯେଉଁମାନେ ନିଜର ପିଲା ଛୁଆ, ଗାଈ ଗୋରୁ ଧରି ବାତ୍ୟା ଆଶ୍ରୟସ୍ଥଳୀ, ପଞ୍ଚାୟତ କାର୍ଯ୍ୟାଳୟ, ବିଦ୍ୟାଳୟ ଗୃହରେ ମୁଣ୍ଡ ଗୁଞ୍ଜି ଭୋକଉପାସରେ ପଡ଼ିରହିବାକୁ ବାଧ୍ୟ ହେଉଛନ୍ତି ସେମାନଙ୍କୁ ଅବାସରୁ ବଞ୍ଚିତ କରାଯାଉଛି। ପ୍ରକୃତ ଗିରବ ପରିବାରକୁ ଆବାସ ଯୋଗାଇ ନଦେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି।
The post ଗରିବଙ୍କ ଭଙ୍ଗାଘର ଦେଖାଇ ଧନୀ ପାଇବେ ଆବାସ! ସରକାରୀ ଯୋଜନା ହାତେଇବାକୁ ନୂଆ ତରିକା first appeared on Sambad.from ଜିଲ୍ଲା | Sambad https://ift.tt/3lT85bB
0 Comments