
କୋରାପୁଟ: କୋରାପୁଟ ସହରରେ କାୟା ମେଲାଇଥିଲା ଝାଡ଼ଖଣ୍ଡର ଡବ୍ଲୁଡବ୍ଲୁଡବ୍ଲୁ.ସ୍କାଏଟ୍ରେଡର୍ସ.ଲାଇଭ ଚିଟ୍ଫଣ୍ଡ ସଂସ୍ଥା। ପ୍ରାୟ ୪୫ଜଣ ଗ୍ରାହକଙ୍କ ଠାରୁ ୬୦ଲକ୍ଷ ଟଙ୍କା ଆଦାୟ କରି ରାତାରାତି ଅନ୍ତର୍ଦ୍ଧାନ ହୋଇଗଲା। ତେବେ ଠକାମିର ଶିକାର ହୋଇଥିବା ଗ୍ରାହକଙ୍କ ଅଭିଯୋଗ ପରେ ତତ୍ପରତା ପ୍ରକାଶ କରିଛି।
କୋରାପୁଟ ସହରରେ ଉପରୋକ୍ତ ସଂସ୍ଥା ମୋଟ ୯୦ଲକ୍ଷ ଟଙ୍କାର ବ୍ୟବସାୟ କରିଥିବାବେଳେ ପ୍ରଥମ କିସ୍ତିରେ ୩୦ଲକ୍ଷ ଟଙ୍କା ପ୍ରଦାନ କରିଥିଲା। ଜୁଲାଇ ମାସରେ ୬୦ଲକ୍ଷ ଟଙ୍କା ପ୍ରଦାନ କରିବାକୁ ରହିଥିବା ବେଳେ ଟଙ୍କା ନେଇ ଚମ୍ପଟ ମାରିଥିଲା ସଂସ୍ଥା। ପରେ ସଂସ୍ଥାର ୱେବ୍ସାଇଟ୍ ବନ୍ଦ ହୋଇଯିବାପରେ କୋରାପୁଟ ଟାଉନ ଥାନାରେ କିଛି ଗ୍ରାହକ ଅଭିଯୋଗ କରିଥିଲେ। ଅଭିେଯାଗ ପରେ କୋରାପୁଟ ଟାଉନ ଥାନା ପୁଲିସ ଆଜି ଉକ୍ତ ସଂସ୍ଥାର ଏକ ଘରୋଇ ବ୍ୟାଙ୍କରେ ଥିବା ଦୁଇଟି ଆକାଉଣ୍ଟକୁ ଫ୍ରିଜ୍ କରିଛି। ସେହିପରି ଦୁଇଟି ଆକାଉଣ୍ଟର ସବିଶେଷ ତଥ୍ୟ ହାସଲ କରିବାକୁ ପଦକ୍ଷେପ ନେଇଛି। ଏହାସହ ଫ୍ରିଜ୍ ହୋଇଥିବା ଦୁଇଟି ଆକାଉଣ୍ଟ କାହା ନାଁରେ ରହିଛି, କିଏ କେୱାଇସି ଦେଇଛି ତାହାର ତଦନ୍ତ ଆରମ୍ଭ ହୋଇଛି। ଆକାଉଣ୍ଟ ଦୁଇଟି କେବେ ଖୋଲିଥିଲା, କିଏ ଓ କେଉଁଠୁ ଟଙ୍କା ଉଠାଣ କରିଛନ୍ତି ତାହାର ସବିଶେଷ ତଥ୍ୟ ହାସଲ କରିବାକୁ ପୁଲିସ ନିଷ୍ପତ୍ତି ନେଇଛି। ତେବେ ଏହି ଦୁଇ ଅକାଉଣ୍ଟରେ ମାତ୍ର ୪୨୩ ଟଙ୍କା ରହିଥିବା ଜଣାପଡିଛି।
ଏ ନେଇ ଟାଉନ ଆଇଆଇସି ଧୀରେନ୍ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି ଯେ, କୋର ବ୍ୟାଙ୍କିଙ୍ଗ ହୋଇଥିବାରୁ ଦୁଇଟି ଆକାଉଣ୍ଟର ଯାଞ୍ଚ ଚାଲିଛି। ଏହା ଏକ ଘରୋଇ ବ୍ୟାଙ୍କ ହୋଇଥିବାରୁ ସବୁ ତଥ୍ୟ ଯୋଗାଡ଼ କରାଯାଉଛି। ବ୍ୟାଙ୍କରୁ ଉଭୟ ଆକାଉଣ୍ଟର ସଂପୂର୍ଣ୍ଣ ତଥ୍ୟ ମିଳିବା ପରେ ପୁଲିସ ପକ୍ଷରୁ ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯିବ। ଏହାସହ ଫେରାର ହୋଇଥିବା ସଂସ୍ଥାର ତିନି ଜଣ ଏଜେଣ୍ଟଙ୍କ ସନ୍ଧାନ ଚାଲିଛି। ଟେକ୍ନୋଲୋଜିର ବ୍ୟବହାର କରାଯାଇ ସେମାନଙ୍କୁ ଠାବ କରାଯିବ ସେ ଆଶାବାଦୀ ରହିଥିବା ପ୍ରକାଶ କରିଛନ୍ତି।
The post କାୟା ମେଲାଇଥିଲା ଝାଡ଼ଖଣ୍ଡ ଚିଟ୍ଫଣ୍ଡ ସଂସ୍ଥା, ୪୫ ଗ୍ରାହକଙ୍କଠୁ ଲୁଟିଛି ୪୫ ଲକ୍ଷ first appeared on Sambad.from ଜିଲ୍ଲା | Sambad https://ift.tt/2VdDYAI
0 Comments