
କଟକ: ରେଗୁଲାର ପିଲାଙ୍କୁ ଏକ୍ସରେଗୁଲାର ପ୍ରଶ୍ନପତ୍ର, ଏକ୍ସରେଗୁଲାରଙ୍କୁ ରେଗୁଲାର ପ୍ରଶ୍ନପତ୍ର ମିଳିଛି ଆଜିର ମାଟ୍ରିକ୍ ପରୀକ୍ଷାରେ। ସେକେଣ୍ଡାରି ବୋର୍ଡ ହାଇସ୍କୁଲରେ ହେଉଥିବା ଅଫ୍ଲାଇନ୍ ମାଟ୍ରିକ୍ ପରୀକ୍ଷାରେ ଏଭଳି ବିଭ୍ରାଟ ଆଜି ଦେଖିବାକୁ ମିଳିଛି। ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଏଭଳି ତ୍ରୁଟି ଜଣାପଡ଼ିବା ପରେ ପିଲାଙ୍କୁ ପାଖାପାଖି ଅତିରିକ୍ତ ୧ଘଣ୍ଟା ସମୟ ଦିଆଯାଇଥିଲା। ହେଲେ, ଏହା ଜଣାପଡ଼ିବା ବେଳକୁ କିଛିପିଲା ପ୍ରଥମ ପେପର୍ ପରୀକ୍ଷା ଦେଇସାରିଥିଲେ। ଏଥିପାଇଁ ପିଲାଙ୍କୁ ହଲ୍ରେ ୩ଘଣ୍ଟାରୁ ଅଧିକ ସମୟ ବସିବାକୁ ପଡ଼ିଥିଲା। ଏଭଳି ତ୍ରୁଟିର ଶିକାର ହୋଇଥିବା ପାଖାପାଖି ୨୦ ଜଣ ପରୀକ୍ଷାର୍ଥୀ ସେମାନଙ୍କୁ ନ୍ୟାୟ ଦେବାକୁ ବୋର୍ଡ ସଂପାଦକଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି।
ଜୁଲାଇ ୩୦ରୁ ଆରମ୍ଭ ହୋଇଥିବା ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷା ପାଇଁ ବୋର୍ଡ ହାଇସ୍କୁଲକୁ ପରୀକ୍ଷା କେନ୍ଦ୍ର କରାଯାଇଛି। ଏଥିରେ ୧୦୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଆଜି ସାଧାରଣ ବିଜ୍ଞାନ ପରୀକ୍ଷା ଚାଲିଥିବାବେଳେ ବୋର୍ଡ ହାଇସ୍କୁଲ କେନ୍ଦ୍ରରେ ରେଗୁଲାର ଓ ଏକ୍ସରେଗୁଲାର ପିଲାଙ୍କ ମଧ୍ୟରେ ପ୍ରଶ୍ନପତ୍ର ଅଦଳବଦଳ ହୋଇ ଯାଇଥିଲା। ବୋର୍ଡ ସ୍କୁଲ କେନ୍ଦ୍ରର ୩ଟି ହଲ୍ରେ ବସିଥିବା ପାଖାପାଖି ୨୦ ଜଣ ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ପୁରୁଣା ପାଠ୍ୟକ୍ରମରେ ଆଧାରିତ ପ୍ରଶ୍ନପତ୍ର ଦିଆଯାଇଥିଲା। ପ୍ରଶ୍ନପତ୍ରର ପ୍ରଥମ ଭାଗ (ଅବ୍ଜେକ୍ଟିଭ୍ ପାର୍ଟ)ରେ ୫୦ଟି ୧ନମ୍ବର ବିଶିଷ୍ଟ ସଂକ୍ଷିପ୍ତ ପ୍ରଶ୍ନ ରହିଥିବାରୁ ପିଲାମାନେ ଏହାକୁ ସହଜରେ ଜାଣି ନପାରି ଉତ୍ତର ଦେବା ଆରମ୍ଭ କରିଥିଲେ। ଅବ୍ଜେକ୍ଟିଭ୍ ପ୍ରଶ୍ନର ଅବଧି ଏକ ଘଣ୍ଟା ଥିବାରୁ ପିଲାମାନେ ଏହାର ଉତ୍ତର କରିସାରିଥିଲେ। କିଛି ପିଲା ପ୍ରଶ୍ନପତ୍ର ଉପରେ ୨୦୧୪ ପାଠ୍ୟକ୍ରମ ଅନୁସାରେ ଲେଖାଥିବାରୁ ଏହାକୁ ପଢ଼ି ଅଭିଯୋଗ କରିଥିଲେ। ସେତେବେଳକୁ ପରୀକ୍ଷାର ଏକ ଘଣ୍ଟା ବିତିସାରିଥିଲା। ଏହା ଜଣାପଡ଼ିବା ପରେ କେନ୍ଦ୍ର କର୍ତ୍ତୃପକ୍ଷ ତୁରନ୍ତ ପ୍ରଶ୍ନପତ୍ର ପରିବର୍ତ୍ତନ କରିବା ସହ ରେଗୁଲାର ପିଲାଙ୍କୁ ୨୦୨୧ର ନୂତନ ପ୍ରଶ୍ନପତ୍ର ଦେଇଥିଲେ। ଏହି ୩ଟି ହଲରେ ପରୀକ୍ଷା ଦେଉଥିବା ପ୍ରାୟ ୨୦ଜଣ ପରୀକ୍ଷାର୍ଥୀଙ୍କୁ ପାଖାପାଖି ଏକ ଘଣ୍ଟା ଅତିରିକ୍ତ ସମୟ ମିଳିଥିଲା।
୧୨ଟାରେ ପରୀକ୍ଷା ସରିଲା ଓ ପିଲାମାନେ ବାହାରକୁ ଆସିଲେ। କିନ୍ତୁ ସଂପୃକ୍ତ ୩ଟି ହଲର ପିଲା ନ ଆସିବାରୁ ଅପେକ୍ଷା କରିଥିବା ଅଭିଭାବକ ବିଳମ୍ବ ପାଇଁ ପ୍ରଶ୍ନ କରିଥିଲେ। ଏଭଳି ତ୍ରୁଟି ଜଣାପଡ଼ିବା ପରେ କେନ୍ଦ୍ର ବାହାରେ ଉତ୍ତେଜନା ପ୍ରକାଶ ପାଇଥିଲା। କୋଭିଡ୍ ସମୟରେ ପିଲାଙ୍କୁ ଏକକାଳୀନ ୪ଘଣ୍ଟା ବସାଇ ରଖିବାକୁ ନେଇ ଅଭିଭାବକ ମାନେ ପାଟିତୁଣ୍ଡ କରିଥିଲେ। ପିଲାମାନେ ବାହାରିବା ପରେ ୧୭ଜଣ ପରୀକ୍ଷାର୍ଥୀ ସେମାନଙ୍କ ସମୟ ନଷ୍ଟ ହୋଇଥିବା ଏବଂ ସେମାନଙ୍କ ପ୍ରତି ଅନ୍ୟାୟ ହୋଇଥିବା ସଂକ୍ରାନ୍ତରେ ଏକ ସ୍ମାରକପତ୍ର ସଂପାଦକଙ୍କୁ ପ୍ରଦାନ କରିଥିଲେ।
ଏ ସଂକ୍ରାନ୍ତରେ ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି କହିଛନ୍ତି ଯେ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ଅଲଗା ଅଲଗା ହୋଇଛି। ଏକ୍ସରେଗୁଲାର ପିଲାଙ୍କ ପ୍ରଶ୍ନପତ୍ର ଉପରେ ୨୦୧୪ ପାଠ୍ୟକ୍ରମ ଅନୁସାରେ ବୋଲି ସ୍ପଷ୍ଟ ଭାବେ ଲେଖାଯାଇଛି। ପିଲାଙ୍କ ପକ୍ଷରେ ଏହାକୁ ଜାଣିବାରେ କିଛି ଅସୁବିଧା ନାହିଁ। କିନ୍ତୁ ଆଜି ବୋର୍ଡ ସ୍କୁଲ କେନ୍ଦ୍ରରେ ରେଗୁଲାର ପିଲାଙ୍କୁ ଏକ୍ସରେଗୁଲାର ପ୍ରଶ୍ନପତ୍ର ଦିଆଯିବା ପରେ ପିଲାମାନେ କିପରି ଜାଣିପାରିଲେ ନାହିଁ ତାହା ଆଶ୍ଚର୍ଯ୍ୟ ଲାଗୁଛି। ଏହା ଜଣାପଡ଼ିବା ପରେ ସେମାନଙ୍କୁ ନୂଆ ପ୍ରଶ୍ନପତ୍ର ଦିଆଯାଇ ଅତିରିକ୍ତ ସମୟ ମଧ୍ୟ ଦିଆଯାଇଛି। କିନ୍ତୁ ପରୀକ୍ଷାରେ କିଛି ବିଭ୍ରାଟ ହୋଇନାହିଁ ବୋଲି ଉପସଭାପତି ଡକ୍ଟର ମହାନ୍ତି ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ ବୋର୍ଡ ପକ୍ଷରୁ ଚାଲିଥିବା ଅଫ୍ଲାଇନ୍ ମାଟ୍ରିକ୍ ପରୀକ୍ଷାର ଆଜି ସାଧାରଣ ବିଜ୍ଞାନ ବିଷୟରେ ଅସାଧୁ ଉପାୟ ଅବଲମ୍ବନ କରିଥିବା ୧୧ଜଣ ପିଲାଙ୍କୁ ମାଲପ୍ରାକ୍ଟିସ କରାଯାଇଛି।
The post ଅଫ୍ଲାଇନ୍ ମାଟ୍ରିକ୍ ପରୀକ୍ଷାରେ ତ୍ରୁଟି: ପ୍ରଶ୍ନପତ୍ର ଅଦଳବଦଳ, ପିଲାଙ୍କୁ ଦିଆଗଲା ଅତିରିକ୍ତ ସମୟ first appeared on Sambad.from ଜିଲ୍ଲା | Sambad https://ift.tt/3jjlbM8
0 Comments