
ବଲାଙ୍ଗୀର : ‘ଖୋର୍ଦ୍ଧା-ବଲାଙ୍ଗୀର ରେଳ ପକଳ୍ପ ପୂର୍ବ ଓ ପଶ୍ଚିମ ଓଡ଼ିଶାର ସଂପର୍କର ସେତୁ। ଏହି ପ୍ରକଳ୍ପ ପାଇଁ ସବୁକିଛି କରିବି। ଦରକାର ପଡ଼ିଲେ କାହା ଆଗରେ ହାତ ଯୋଡ଼ିବାକୁ ମୁଁ ପ୍ରସ୍ତୁତ। କିନ୍ତୁ, ଶୀଘ୍ର ପ୍ରକଳ୍ପକୁ ଶେଷ କରିବାକୁ ସମସ୍ତ ଉଦ୍ୟମ କରିବି,’ ବୋଲି କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ରବିବାର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ବଲାଙ୍ଗୀର ଗସ୍ତ ଅବସରରେ ସ୍ଥାନୀୟ ସର୍କିଟ ହାଉସ୍ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେଲେ କେବେ ଯାଏ ଏହା ସମ୍ପୂର୍ଣ୍ଣ ହେବ କହି ପାରିଥା’ନ୍ତେ। ତଥାପି ପ୍ରକଳ୍ପ ପାଇଁ ଯାହା ଆବଶ୍ୟକ, ତାଙ୍କ ଦ୍ୱାରା ଯାହା ସମ୍ଭବ କରିବାକୁ ପ୍ରସ୍ତୁତ ବୋଲି କହିଥିଲେ। ରେଳମନ୍ତ୍ରୀ ଜିଲ୍ଲାର ଅନ୍ୟାନ୍ୟ ଦାବି କଂଟାବାଞ୍ଜି ରେଳ ୱାଗନ କାରଖାନା, ବିଭିନ୍ନ ଟ୍ରେନ୍ର ସଂପ୍ରସାରଣ ଆଦି ପ୍ରାୟ ୩୦ଟି ଦାବି ଉପରେ ସେ ବିଚାର କରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ବଲାଙ୍ଗୀରବାସୀ ତାଙ୍କ ଠାରୁ ଯାହା ଆଶା ରଖିଛନ୍ତି ସେ ନିଶ୍ଚିତ କରିବେ ବୋଲି କହିଛନ୍ତି।
ରେଳମନ୍ତ୍ରୀଙ୍କ ବଲାଙ୍ଗୀର ଜିଲ୍ଲା ଗସ୍ତ ଟିଟିଲାଗଡ଼ ବ୍ଲକ୍ ଲୁଥୁରବନ୍ଧରୁ ଆରମ୍ଭ ହୋଇଥିଲା। ଏହି ଅବସରରେ ବିଜେପିର ଜନ ଆଶୀର୍ବାଦ ଯାତ୍ରା ଜିଲ୍ଲାର ଅନେକ ସ୍ଥାନରେ ଆୟୋଜିତ ହୋଇଥିଲା ଓ ରେଳମନ୍ତ୍ରୀଙ୍କୁ ସ୍ୱାଗତ ଦିଆଯାଇଥିଲା। ତାଙ୍କ ସହିତ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, କନକବର୍ଦ୍ଧନ ସିଂହଦେଓ, ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତିଙ୍କ ସମେତ ଅନେକ ବିଜେପି କର୍ମୀ ଏହି ଜନ ଆଶୀର୍ବାଦ ଯାତ୍ରାରେ ସାମିଲ ଥିଲେ।
The post ବଲାଙ୍ଗୀର-ଖୋର୍ଦ୍ଧା ପାଇଁ ସବୁ କରିବି: ଅଶ୍ୱିନୀ first appeared on Sambad.from ଜିଲ୍ଲା | Sambad https://ift.tt/3sFfHjh
0 Comments