
ବଲାଙ୍ଗୀର : ପଶ୍ଚିମ ଓଡ଼ିଶାର ସର୍ବପୁରାତନ ରାଜେନ୍ଦ୍ର ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇସାରିଲାଣି। ହେଲେ ଏଯାଏ ବିଶ୍ୱବିଦ୍ୟାଳୟ ନାଁରେ ଗୋଟିଏ ଇଞ୍ଚ ଜମିର ଆର୍ଓଆର୍ ନାହିଁ। ଏପରିକି ମହାବିଦ୍ୟାଳୟ ନାଁରେ ମଧ୍ୟ ପୂର୍ବରୁ ଜମିବାଡ଼ିର ଖତିୟାନ କିଛି ବି ନଥିଲା। ଫଳରେ ଏବେ ବିଶ୍ୱବିଦ୍ୟାଳୟର ସ୍ୱୀକୃତି ଓ ଅନ୍ୟ କୋଠାବାଡ଼ି ନିର୍ମାଣରେ ବାଧା ସୃଷ୍ଟି କରିଛି। ଏ ନେଇ ‘ସମ୍ବାଦ’ ତଥ୍ୟଭିତ୍ତିକ ରିପୋର୍ଟ ପ୍ରକାଶ କଲା ପରେ ମନ୍ତ୍ରୀ ତଥା କଲେଜର ପୁରାତନ ଛାତ୍ର ସୁଶାନ୍ତ ସିଂହ ଗସ୍ତ କରି ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ଓ ବିଭାଗୀୟ ସଚିବମାନଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ। ପରେ ପରେ ସେ କିଛି ପଦକ୍ଷେପ ନେଇଥିବା ବେଳେ ଏବେ ବିଶ୍ୱବିଦ୍ୟାଳୟକୁ ଜମି ଯୋଗାଇଦେବାକୁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି।
ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସୂଚନା ଅନୁସାରେ, କଲେଜ ଅକ୍ତିଆରରେ ଯାହା ସବୁ ଜମି ରହିଛି, ଚଳିତ ମାସ ଶେଷ ସୁଦ୍ଧା ହିଁ ସେମାନଙ୍କୁ ତାହାର ଆର୍ଓଆର୍ ପ୍ରଦାନ କରାଯିବ। ଏଡିଏମ୍ଙ୍କ ସ୍ତରରେ ଏକ କମିଟି ଗଠନ ହୋଇ ବିଶ୍ୱବିଦ୍ୟାଳୟ ଯାହା ଜମି ମାଗିଛି ତାହା ଯୋଗାଇବା ପାଇଁ ପଦକ୍ଷେପ ସବୁ ନିଆଯାଉଛି। ଜମି ପାଇଁ ଆଗକୁ ଆଉ କୌଣସି ସମସ୍ୟା ରହିବନି ବୋଲି ସେ ସୂଚନା ଦେଇଛନ୍ତି। ପୂର୍ତ୍ତ ବିଭାଗର ଜମି ମଧ୍ୟ ଯାହା ରହିଛି ତାହା ହସ୍ତାନ୍ତର ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ସେ କହିଛନ୍ତି। ଅନ୍ୟପଟେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ଉମାବଲ୍ଲଭ ମହାପାତ୍ର କହିଛନ୍ତି, ମନ୍ତ୍ରୀଙ୍କ ଗସ୍ତ ସମୟରେ ସବୁ ପ୍ରସଙ୍ଗ ଉପସ୍ଥାପନ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ କିଂବା ପ୍ରଶାସନ ପକ୍ଷରୁ କୌଣସି ଜମି ବିଶ୍ୱବିଦ୍ୟାଳୟକୁ ହସ୍ତାନ୍ତର ହୋଇ ନାହିଁ। ଆଶା କରୁଛୁ ପ୍ରଶାସନ ଶୀଘ୍ର ଜମି ବିଶ୍ୱବିଦ୍ୟାଳୟକୁ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ ଯେ, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ରାଜେନ୍ଦ୍ର ୟୁନିଭରସିଟି ନାଁରେ ଜମିର ଆର୍ଓଆର୍ ପାଇଁ ବାରବାର ପ୍ରଶାସନକୁ ଜଣାଇଥିଲେ। କଲେଜ ଅକ୍ତିଆରରେ ଥିବା ୫୮.୪୯୫ ଏକର ଜମି ଓ ନୂତନ କ୍ୟାମ୍ପସ ପାଇଁ ୧୦୦ ଏକର ଜମି ଯୋଗାଇବାକୁ ଚିଠି କରିଥିଲେ। ସେହିପରି ପୂର୍ତ୍ତ ବିଭାଗ ଅଧୀନରେ ଥିବା ଜମି ମଧ୍ୟ ଯୋଗାଇବାକୁ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ବାରବାର ଅବଗତ କରିଥିଲେ। କିନ୍ତୁ ଚିଠିରେ ସୀମିତ ରହିଥିଲା ପ୍ରସଙ୍ଗ। ଏବେ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଖୁବ୍ ଶୀଘ୍ର ବିଶ୍ୱବିଦ୍ୟାଳୟ ଜମି ପାଇବ ବୋଲି ଆଶା କରାଯାଉଛି।
The post ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି ପ୍ରସଙ୍ଗରେ ପ୍ରଶାସନିକ ତତ୍ପରତା, ମାସେ ଭିତରେ ଆର୍ଓଆର୍ ଦିଆଯିବ: ଜିଲ୍ଲାପାଳ first appeared on Sambad.from ଜିଲ୍ଲା | Sambad https://ift.tt/3A61I8G
0 Comments