
ସମ୍ବଲପୁର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲୁଓଡିସି)ର ମୁଖ୍ୟାଳୟ ପଶ୍ଚିମ ଓଡ଼ିଶାର କୌଣସି ସ୍ଥାନରେ କରିବାକୁ ପ୍ରାର୍ଥନା କରି ହାଇକୋର୍ଟରେ ଏକ ରିଟ୍ ପିଟିସନ୍ ଦାଖଲ ହୋଇଛି। ଓଡ଼ିଶା ହାଇକୋର୍ଟର ଆଇନ୍ଜୀବୀ ହିମାଂଶୁ ଶେଖର ମିଶ୍ର ଏହି ପିଟିସନ୍ ଡବ୍ଲୁପି(ସି)ଏନ୍ ୨୧୫୫୪/୨୦୨୧ ଦାଖଲ କରିଛନ୍ତି।
ଏଥିରେ ସେ ଦର୍ଶାଇଛନ୍ତି ଯେ ଡବ୍ଲୁଓଡିସି ଗଠନ ବେଳେ ଏହାର ମୁଖ୍ୟ କାର୍ଯ୍ୟାଳୟ ପଶ୍ଚିମ ଓଡ଼ିଶାରେ ହେବ ବୋଲି ଆଇନ୍ରେ ଉଲ୍ଲେଖ ଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ହୋଇପାରିଲା ନାହିଁ। ଆଜି ବି ମୁଖ୍ୟାଳୟ ଭୁବନେଶ୍ବରଠାରେ ଅଛି। ପ୍ରତି ବର୍ଷ ବିଧାନସଭାରେ ଦାବି ହେଲେ ବି ସରକାର ଭୃକ୍ଷେପ କରୁ ନାହାନ୍ତି ଓ ଆଇନ୍ର ଉଲ୍ଲଂଘନ କରୁଛନ୍ତି। ସରକାର ସବୁବେଳେ ସଫେଇ ଦେଉଛନ୍ତି ଯେ ବିକାଶ ପରିଷଦର ମତାମତ ଲୋଡ଼ିଛୁ, କିନ୍ତୁ ବର୍ତ୍ତମାନ ସୁଦ୍ଧା ମିଳି ନାହିଁ। ଏହି ସଫେଇ ଗ୍ରହଣଯୋଗ୍ୟ ନୁହେଁ। ଆଇନ୍ ଅନୁସାରେ ମୁଖ୍ୟାଳୟ କେଉଁଠି ହେବ ତାହା ସ୍ଥିର କରିବା ସରକାରଙ୍କ ଦାୟିତ୍ବ। ସରକାର ଏ ପ୍ରସଂଗରେ ବିକାଶ ପରିଷଦର ମତାମତ ଲୋଡ଼ି ପାରନ୍ତି। କିନ୍ତୁ ତାହା ମାନିବାକୁ ବି ବାଧ୍ୟ ନୁହନ୍ତି।
ବିକାଶ ପରିଷଦ ପ୍ରଥମରୁ ଲେଖିଥିଲା ଯେ ମୁଖ୍ୟ କାର୍ଯ୍ୟାଳୟ ଯେଉଁଠି ହେଲେ ବି ଆପତ୍ତି ନାହିଁ। ଏହାପରେ ଆଉ ମତାମତ ଲୋଡ଼ିବା ଆବଶ୍ୟକ ନୁହେଁ। ଦ୍ବିତୀୟ କଥା ହେଲା ଡବ୍ଲୁଓଡିସି ଆଇନ୍ ଅନୁଯାୟୀ ପ୍ରତ୍ୟେକ ଜିଲ୍ଲାରୁ ଜଣେ ଲେଖାଏଁ ବିଧାୟକ ଓ ଦୁଇ ଜଣ ସାଂସଦ ପରିଷଦର ସଦସ୍ୟ ରହିବେ। ବିକାଶ ପରିଷଦ କ୍ଷେତ୍ର ପରିସରରେ ୧୧ ଜଣ ବିଧାୟକ ଓ ୫ ଜଣ ଏମ୍ପି ଥିଲେ ବି ବହୁ ବର୍ଷ ହେଲା କାହାରିକୁ ସଦସ୍ୟ ରଖାଯାଇ ନାହିଁ। ଏହା ଏକ ସରକାରୀ ବିଭାଗ ଭଳି କାର୍ଯ୍ୟ କରୁଛି। ତେଣୁ ମୁଖ୍ୟ କାର୍ଯ୍ୟାଳୟ ପଶ୍ଚିମ ଓଡ଼ିଶାରେ ସ୍ଥାପନ ସହ ଏହାର ପରିଷଦକୁ ଏମ୍ଏଲ୍ଏ ଓ ଏମ୍ପି ମାନଙ୍କୁ ମନୋନୀତ କରିବାକୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ମିଶ୍ର ହାଇକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି। ଏହି ମାମଲାରେ ଓଡ଼ିଶା ସରକାର ଓ ଅନ୍ୟ ମାନଙ୍କୁ ପକ୍ଷ କରାଯାଇଛି।
The post ବିକାଶ ପରିଷଦ ମୁଖ୍ୟାଳୟ ପଶ୍ଚିମ ଓଡ଼ିଶାରେ କରିବାକୁ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ first appeared on Sambad.from ଜିଲ୍ଲା | Sambad https://ift.tt/3A2Phue
0 Comments