ସମ୍ବଲପୁର : ବିଶିଷ୍ଟ ସମ୍ବଲପୁରୀ କବି ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ୍ ଭାବେ ପାଳନ କରାଯାଇଛି। କରୋନା କଟକଣା କାରଣରୁ କୌଣସି ସାମୂହିକ ଉତ୍ସବ ପାଇଁ ଅନୁମତି ନଥିଲେ ବି ରବିବାର ଶହଶହ ପୁରୁଷ, ମହିଳା, ଛୋଟ ପିଲା ସମ୍ବଲପୁରୀ କପଡ଼ାରେ ତିଆରି ଭଳିକି ଭଳି ପୋଷାକ ପିନ୍ଧି ସମ୍ବଲପୁର ସହର ମହାନଦୀ କୂଳରେ ଭିଡ଼ ଜମାଇଥିଲେ। ଦ୍ବିତୀୟ ମହାନଦୀ ପୋଲ, ରିଂ ରୋଡ୍, ନେଲ୍‌ସନ୍ ମଣ୍ଡେଲା ଛକ ପାଖ ‘ଆଇ ଲଭ୍ ସମ୍ବଲପୁର’, ଗାର୍ଡେନ୍ ଆଦିରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ସକାଳୁ ଲୋକଙ୍କ ବୁଲାବୁଲି ଆରମ୍ଭ ହୋଇଥିଲାବେଳେ ଅପରାହ୍‌ଣରେ ଓ ସଂଧ୍ୟାରେ ହଜାର ହଜାର ସଂଖ୍ୟାରେ ଲୋକ ବୁଲାବୁଲି କରି, ଫଟୋ ଉଠାଇ ଏହି ଦିନର ମଜା ଉଠାଉଥିଲେ। ହୀରାକୁଦର ଉଭୟ ଡାଇକ୍ ଅଞ୍ଚଳରେ ବି ଲୋକଙ୍କ ଭିଡ଼ ଜମିଥିଲା। ରବିବାର ହୋଇଥିବାରୁ ଲୋକେ ଏହି ଦିନଟିକୁ ଆହୁରି ଖୁସିରେ ମନାଇ ଥିଲେ। ଏହି ଅବସରରେ ବହୁ ସାମାଜିକ ସଂଗଠନର କର୍ମକର୍ତ୍ତା ଗୁରୁ ସତ୍ୟନାରାୟଣ ବହିଦାରଙ୍କ କମଲିବଜାରସ୍ଥିତ ଘରକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସେମାନେ ସମ୍ବଲପୁରରେ ସ୍ବର୍ଗତ ବହିଦାରଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ତାଙ୍କ ଘରକୁ ଗୋଟିଏ ମ୍ୟୁଜିୟମ୍‌ ଓ
ପାଠାଗାରରେ ପରିଣତ କରିବାକୁ ଦାବି କରିଥିଲେ।

The post ବିନା ଉତ୍ସବରେ ବି ଜମିଲା ସମ୍ବଲପୁରୀ ଦିନ୍‌  first appeared on Sambad.

from ଜିଲ୍ଲା | Sambad https://ift.tt/3C0iAPX