
ବଲାଙ୍ଗୀର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ସବୁବର୍ଷ ଭଳି ପାଟଣା ମହାରାଜାଙ୍କ ହାଉସ୍ହୋଲ୍ଡ ଅଫିସ ତରଫରୁ ନୂଆଁଖାଇ ଲଗ୍ନ ପାଇଁ ପ୍ରଚାରପତ୍ର ଜାରି କରାଯାଇଛି। ଆସନ୍ତା ସେପଟେମ୍ୱର ୧୧ ତାରିଖ ଶନିବାର ଦିନ, ତୁଳା ଲଗ୍ନ, ମିଥୁନ ନବାଂଶରେ ଥିବା ଅମୃତବେଳା, ସକାଲ ୧୦ଟା ୧୯ରୁ ୧୦ଟା ୪୦ ମଧ୍ୟରେ ନବାନ୍ନ ବିଧି କରିବା ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି। ରାଜ ପୁରୋହିତ ସନ୍ତୋଷ ଦାସ, ରାଜ ଜ୍ୟୋତିଷ ଟିକେଶ୍ୱର ଗୁରୁ ଏବଂ ପଣ୍ଡିତମାନେ ମିଳିତ ଭାବରେ ଗଣନା କରି ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ଜିଲ୍ଲାର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ଏବଂ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ରକୁ ବିଚାର କରି ଲଗ୍ନ ଧାର୍ଯ୍ୟ କରାଯାଇଛି।
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇର ଲଗ୍ନ ନିର୍ଦ୍ଧାରଣ ହେଉଛି ଆଦ୍ୟ ପ୍ରସ୍ତୁତି। ଲଗ୍ନ ନିର୍ଦ୍ଧାରଣ ହେବା ପରେ ଘରେ ଘରେ ଆରମ୍ଭ ହୋଇଯାଏ ପ୍ରସ୍ତୁତି ପର୍ବ। କାହିଁ କେତେ କାଳରୁ ନୂଆଁଖାଇ ପାଳିତ ହୋଇଆସୁଛି। ଆଗରୁ ନିଜ ନିଜ ହିସାବରେ ଲୋକେ ଯିଏ ଯେଉଁ ସମୟରେ ପାରିଲା ନୂଆଁ ଖାଉଥିଲେ। କିନ୍ତୁ ପାଟଣା ମହାରାଜ ସାରା ବଲାଙ୍ଗୀର ଜିଲ୍ଲାବାସୀ ଗୋଟିଏ ଦିନରେ, ଗୋଟିଏ ଲଗ୍ନରେ ନବାନ୍ନ ଭକ୍ଷଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହି ଦିନଠାରୁ ରାଜ ଜ୍ୟୋତିଷ ଲଗ୍ନ ନିର୍ଦ୍ଧାରଣ କରିବା ପରେ ରାଜ ଜ୍ୟୋତିଷ ପ୍ରଚାରପତ୍ର ଜାରି କରିଥାଆନ୍ତି। ପାଟଣା ମହାରାଜ କନକବର୍ଦ୍ଧନ ସିଂହଦେଓଙ୍କ ହାଉସ୍ହୋଲ୍ଡ ଅଫିସ ତରଫରୁ ପ୍ରଚାରପତ୍ର ଜାରି କରାଯାଇଥାଏ। ଗାଁର ଗଉଁନ୍ତିଆ, ଜମିଦାର, ସାମ୍ୱାଦିକମାନଙ୍କୁ ପ୍ରଚାରପତ୍ର ପ୍ରଦାନ କରାଯାଇଥାଏ।
ବଲାଙ୍ଗୀର ଜିଲ୍ଲା ପାଇଁ ନୂଆଁଖାଇ ଲଗ୍ନ ନିର୍ଦ୍ଧାରଣ ହେବା ପରେ ସାରା ଜିଲ୍ଲାରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ଗତବର୍ଷ କରୋନା ଯୋଗୁଁ ନୂଆଁଖାଇ ପର୍ବ ଏବଂ ଭେଟଘାଟ କାର୍ଯ୍ୟକ୍ରମ ଫିକା ପଡ଼ିଥିଲା। ଏଥର ନୂଆଁଖାଇ ସମୟରେ ସରକାରଙ୍କ କଣ ସବୁ ଗାଇଡ୍ଲାଇନ୍ ରହିବ ତା ଉପରେ ସମସ୍ତଙ୍କ ନଜର।
The post ବଲାଙ୍ଗୀର ପାଇଁ ବାହାରିଲା ନୂଆଁଖାଇ ଲଗ୍ନ first appeared on Sambad.from ଜିଲ୍ଲା | Sambad https://ift.tt/3yrYw6C
0 Comments