ନୟାଗଡ଼ : ସାରା ରାଜ୍ୟ ଭଳି ନୟାଗଡ଼ରେ ମଧ୍ୟ ମୌସୁମୀର ଲୁଚକାଳି ଖେଳ ଚାଷ ପାଇଁ କାଳ ସାଜିଛି। କମ୍‌ ପରିମାଣର ବର୍ଷା ପାଇଁ ନୟାଗଡ଼ ଜିଲ୍ଲାରେ ଏକରକମ ବାଧାପ୍ରାପ୍ତ ହେଲାଣି ଚାଷ କାର୍ଯ୍ୟ। ରୁଆ, ବେଉଷଣ ଆଦି ପାଇଁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଏଣେ ମାର୍ଚ୍ଚ, ଏପ୍ରିଲ ମାସ ଭଳି ଅଗଷ୍ଟ ମାସରେ ମଧ୍ୟ ମୁଣ୍ଡଫଟା ଖରାର ପ୍ରକୋପ ଦେଖିବାକୁ ମିଳୁଛି। ପ୍ରାୟ ସପ୍ତାହେ ତଳେ ବର୍ଷା ହେବା ଫଳରେ ସ୍ଥିତିରେ ସୁଧାର ଆସିଥିଲା। ଚାଷୀମାନେ ଚାଷ କାର୍ଯ୍ୟକୁ ଆଗେଇ ନେବାକୁ ଅଣ୍ଟା ଭିଡ଼ିଥିଲେ। ଏଭଳି ସ୍ଥିତି‌ରେ ପୁଣି ପାଣିପାଗରେ ପରିବର୍ତ୍ତନ ପାଇଁ ସପ୍ତାହେ ହେଲା ବର୍ଷାର ଆଦୌ ଦେଖାନାହିଁ, ଯାହା ଚାଷୀକୁ ଚିନ୍ତାରେ ପକାଇଛି।

ବର୍ଷାର ଏଭଳି ଅନିୟମିତ ଧାରା ଚାଷ ପ୍ରତି ଆଶଙ୍କା ସୃଷ୍ଟି କଲାଣି। ଖାଲୁଆ ତଥା‌ ଜଳସେଚନର ସୁବିଧା ଥିବା ଜମିକୁ ଛାଡ଼ି ଦେ‌ଲେ ବାକି ଆଞ୍ଚଳର ଚାଷୀ ଆକାଶକୁ ଚାହିଁ ବସିଛନ୍ତି। ଏଭଳି ‌ସ୍ଥିତିରେ ନୟାଗଡ଼ ବ୍ଲକ୍‌ ଉପରେ ନଜର ପକାଇଲେ, ଇଟାମାଟି, ପଣ୍ଡୁସର, କୃଷ୍ଣପ୍ରସାଦ, ସୁନା‌ଲଟି ଆଦି ଅଞ୍ଚଳରେ ଜମି ଶୁଖିଗଲାଣି। ଏପରିକି କୃଷ୍ଣପ୍ରସାଦ ଭଳି ଅଞ୍ଚଳରେ ଧାନ ତଳି ରୁଆ ପାଇଁ ହଳ କରିବାକୁ ମଧ୍ୟ ଜମିରେ ପାଣି ନାହିଁ। କେଉଁଠି ଜମି ଫାଟି ଆଁ କରିଛି, ଆଉ କେଉଁଠି ଚାଷ ଜମି ଏକରକମ ଗୋଚର ଦଣ୍ଡା ଭଳି ପଡ଼ିଛି। ଚାଷ ଜମିରେ ଅନାବନା ଗଛ ଉଠିଲାଣି। ରଣପୁର, ଓଡ଼ଗାଁ, ଗଣିଆ, ଖଣ୍ଡପଡ଼ା ଭଳି ବ୍ଲକରେ ସ୍ଥିତି ସଙ୍ଗିନ। ଗଣିଆରେ ଗତ ସପ୍ତାହକ ମଧ୍ୟରେ ଆଦୌ ବର୍ଷା ହୋଇନାହିଁ କହିଲେ ଚଳେ। ଗଣିଆ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଏକରକମ ହତାଶା ଖେଳିଯାଇଛି। ଖଣ୍ଡପଡ଼ା, ଭାପୁର, ନୂଆଗାଁ ବ୍ଲକ୍‌ରେ ମଧ୍ୟ ସମାନ କଥା ଦେଖିବାକୁ ମିଳିଛି। କାଁଭାଁ ବର୍ଷା ଏହି ସବୁ ବ୍ଲକ୍‌ରେ ହୋଇଛି, ଯାହା ଚାଷକୁ ନିଅଣ୍ଟ।

ଖଣ୍ଡପଡ଼ାର ମହାନଦୀ କୂଳରେ ଥିବା ସିଧାମୂଳା, ବାଣପୁର, କଣ୍ଟିଲୋ ଆଦି ଅଞ୍ଚଳର ଚାଷୀ ମଧ୍ୟ ସମସ୍ୟାରେ ପଡ଼ିଛନ୍ତି। ଜଳସେଚନ ପ୍ରକଳ୍ପ ଅଚଳ ହୋଇପଡ଼ିଥିବାରୁ ଏଠାକାର ଲୋକ ମଧ୍ୟ ବର୍ଷାକୁ ଅନାଇ ବସିଛନ୍ତି। ଦଶପଲ୍ଲାରେ ଗତକାଲି ମାତ୍ର ୨୮.୦୬ ମିମି ବର୍ଷା ହୋଇଥିବା ବେଳେ ସପ୍ତାହ ସାରା ବର୍ଷା ଉଭାନ୍‌। ଦଶପଲ୍ଲା ବ୍ଲକ୍‌ ସାରା କମ୍‌ ବର୍ଷା ପାଇଁ ଚାଷ ଗଭୀର ଭାବେ ପ୍ରଭାବିତ ହୋଇଛି। ମୋଟାମୋଟି ଭାବେ ଅନିୟମିତ ବର୍ଷା ପାଇଁ ନୟାଗଡ଼ ଜିଲ୍ଲାରେ ଚାଷୀ କାର୍ଯ୍ୟ ଗଭୀର ଭାବେ ପ୍ରଭାବିତ ହେଉଛି। ସ୍ଥିତି ଏଭଳି ହୋଇଛି ଯେ ଆଗାମୀ ସପ୍ତାହରେ ଆବଶ୍ୟକ ପରିମାଣରେ ବର୍ଷା ନହେଲେ, ରୁଆ ଯାଇଥିବା ଧାନ ତଳି ମଧ୍ୟ ଅନେକ ସ୍ଥାନରେ ନଷ୍ଟ ହେବାର ଆଶଙ୍କା ଦେଖାଯାଇଛି। ବର୍ଷାର ଏଭଳି ସ୍ଥିତି ଚଳିତ ଖରିଫ୍‌ ଋତୁରେ ଉତ୍ପାଦନ ହ୍ରାସ ଘଟାଇପାରେ।

The post ଅନିୟମିତ ବର୍ଷା, ଜମି ଶୁଷ୍କ: ନୟାଗଡ଼ ଜିଲ୍ଲାରେ ପଛେଇଲାଣି ଚାଷ କାର୍ଯ୍ୟ, ଚିନ୍ତାରେ ଚାଷୀ first appeared on Sambad.

from ଜିଲ୍ଲା | Sambad https://ift.tt/3ALl7vL