
ପୁରୀ : ଡେଲାଙ୍ଗରେ ଜଳକଷ୍ଟ। ଲୁଣାର ଦୂଷିତ ଜଳ ପିଉଛନ୍ତି ଡେଲାଙ୍ଗ ବ୍ଲକ ଧାନକେରା ପଞ୍ଚାୟତର ୧୦ ଗାଁର ଲୋକେ। ଯେଉଁ ଜଳକୁ ଗାଈଗୋରୁଙ୍କଠାରୁ ଆରମ୍ଭ କରି ଅନ୍ୟମାନଙ୍କ ଗାଧୁଆପାଧୁଆରେ ବ୍ୟବହାର କରାଯାଉଛି, ସେହି ପାଣିକୁ ପାନୀୟ ଜଳ ପ୍ରକଳ୍ପ ଜରିଆରେ ଗାଁ ଲୋକଙ୍କୁ ଯୋଗାଣ ହେଉଛି। ବିଶୋଧନ କରାଯାଉ ନଥିବାରୁ ଏହି ଦୂଷିତ ପାଣି ପିଇ ଗାଁ ଲୋକେ ନାନାଦି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଯାହାକୁ ନେଇ ଗ୍ରାମବାସୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଡେଲାଙ୍ଗ ବ୍ଲକର ଧାନକେରା ପଞ୍ଚାୟତର ଧାନକେରା, ପାଞ୍ଚପଣ, ଏଗାରପଣ, ମଝିପଡ଼ା, ପଥୁରିଆ ସାହି, ହଳଦୀଗୋରଡ଼ା, ଶରଧାପୁର, ନିମାକେରା, ଟିକରପଡ଼ା, କୁମ୍ଭାରସାହି ଆଦି ଗାଁକୁ ପାନୀୟ ଜଳଯୋଗାଣ ପାଇଁ ରହିଛି ପାନୀୟ ଜଳପ୍ରକଳ୍ପ। ହଜାର ହଜାର ଲୋକ ଏହି ପ୍ରକଳ୍ପ ଉପରେ ନିର୍ଭର କରୁଛନ୍ତି। ଏହି ପ୍ରକଳ୍ପ ଜରିଆରେ ଗାଁ ପାଖ ଲୁଣା ନଦୀରୁ ପାଣି ଆଣି ଉପରୋକ୍ତ ଗାଁକୁ ଜଳଯୋଗାଣ ହେଉଛି। ଗାଁ ଲୋକଙ୍କ କହିବା ମୁତାବକ, ଏହି ଜଳକୁ ଜମାରୁ ବିଶୋଧନ କରାଯାଉନି। ଯେଉଁଥିପାଇଁ ଦୈନିକ ଗୋଳିଆପାଣି ଟ୍ୟାପରେ ଆସୁଛି। ଦଳଭର୍ତ୍ତି ଲୁଣା ନଦୀରୁ ସିଧାସଳଖ ଜଳଯୋଗାଣ ହେଉଥିବାରୁ ଏହା ଗାଁ ଲୋକଙ୍କୁ ଝାଡ଼ାବାନ୍ତି ଭଳି ପେଟ ରୋଗରେ ପକାଉଛି। ଯେଉଁ ଜାଗାରୁ ଜଳଯୋଗାଣ ହେଉଛି ତାହା ଦଳଭର୍ତ୍ତି ଥିବାବେଳେ ଏହି ଜାଗାରେ ଗାଈ, ମଇଁଷି ସବୁ ଗାଧଉଛନ୍ତି। ଯାହା ସଂକ୍ରମଣର ମାତ୍ରାକୁ ବଢ଼ାଇ ଦେଉଛି। ପାନୀୟ ଜଳର ଅନ୍ୟ ବିକଳ୍ପ ନଥିବାରୁ ଗାଁ ଲୋକେ ବାଧ୍ୟ ହୋଇ ଏହି ପାଣି ପିଇ ରୋଗାକ୍ରାନ୍ତ ହେଉଛନ୍ତି।
ଅନ୍ୟପଟେ ଆଗରୁ ଏହି ପ୍ରକଳ୍ପରୁ ଦିନକୁ ଦୁଇଥର ଜଳଯୋଗାଣ ହେଉଥିଲା। ଏବେ ଦିନକୁ ଥରୁଟିଏ, ଜଳଯୋଗାଣ ହେଉଛି। ଯାହା ଲୋକଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦେଇଛି। ରାଜ୍ୟ ସରକାର ବିଶୁଦ୍ଧ ପାନୀୟ ଜଳର ଡିଣ୍ଡିମ ପିଟୁଥିବାବେଳେ ଧାନକେରା ପଞ୍ଚାୟତରେ ଏଭଳି ଦୃଶ୍ୟ ସରକାରୀ ଯୋଜନାକୁ ଉପହାସ କରୁଛି।
The post ଡେଲାଙ୍ଗରେ ଜଳକଷ୍ଟ: ଦୂଷିତ ଜଳ ପିଉଛନ୍ତି ୧୦ଟି ଗାଁର ଲୋକେ first appeared on Sambad.from ଜିଲ୍ଲା | Sambad https://ift.tt/2XpKqFb
0 Comments