
କଟକ : ୨୪ ଘଣ୍ଟା ଭିତରେ ପୂର୍ବ ଭାରତର ବୃହତ ଏସ୍ସିବି ଏକ୍ମୋ ୟୁନିଟ୍ରେ ମାଗଣା ଚିକିତ୍ସା ପାଇଲେ ଦୁଇଜଣ ଗୁରୁତର ସଂକ୍ରମିତ ରୋଗୀ। ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲାର ମହିଳା ପ୍ରଥମ ରୋଗୀ ଭାବେ ଚିକିତ୍ସା ସୁବିଧା ପାଇଥିବାବେଳେ ଆଜି ବଲାଙ୍ଗୀର ଜିଲ୍ଲାର ଜଣେ ଗୁରୁତର ମହିଳା ରୋଗୀ ଏକ୍ମୋ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେ କଟକର ଘରୋଇ ସଦ୍ଗୁରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସନ୍ଧ୍ୟାରେ ସ୍ୱତନ୍ତ୍ର ଗ୍ରିନ କରିଡର୍ରେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ଏକ୍ମୋ ୟୁନିଟ୍କୁ ଅଣାଯିବା ସହିତ ଚିକିତ୍ସା ଆରମ୍ଭ କରାଯାଇଛି।
ମହିଳା ଜଣକ ହେଲେ ବଲାଙ୍ଗୀରର ଜ୍ୟୋତିର୍ମୟୀ ପଣ୍ଡା(୩୮)। ସେ ପ୍ରାୟ ୭୫ଦିନ ତଳେ କୋଭିଡ୍ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ। ଏହାପରେ ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପରେ ତାଙ୍କୁ କଟକର ସଦ୍ଗୁରୁ ହସ୍ପିଟାଲ୍କୁ ଅଣାଯାଇଥିଲା। ଏଠାରେ ସେ ୧୬ଦିନ ହେବ ଆଇସିୟୁରେ ଥିଲେ ବୋଲି ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ଏସ୍ସିବି ମେଡିକାଲ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା, କାର୍ଡିଓଥୋରାସିସ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକଙ୍କ ପରାମର୍ଶ ପରେ ତାଙ୍କୁ ଏସ୍ସିବି ଏକ୍ମୋ ୟୁନିଟରେ ଭର୍ତ୍ତି କରାଯାଇଛି । ଜ୍ୟୋତିର୍ମୟୀଙ୍କ କୋଭିଡ୍ ସ୍କୋର ହେଉଛି ୨୫/୨୫। ଅର୍ଥାତ୍ ସେ ଗୁରୁତର ଭାବେ ଆକ୍ରାନ୍ତ ହୋଇଛନ୍ତି। ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ୫୯ଦିନ ଚିକିତ୍ସିତ ହେବା ସହିତ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଆର୍ଥିକ ଦୃଷ୍ଟିରୁ ପରିବାର ଲୋକେ ତାଙ୍କୁ ସଦଗୁରୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସଦ୍ଗୁରୁରେ ଡାକ୍ତର ପ୍ରଦୀପ କୁମାର ମହାନ୍ତି ଜ୍ୟୋତିର୍ମୟୀଙ୍କ ଚିକିତ୍ସା କରୁଥିଲେ। ଜ୍ୟୋତିର୍ମୟୀଙ୍କର ଏକ୍ମୋ ଚିକିତ୍ସା ଆବଶ୍ୟକ ଅନୁଭବ କରିବା ପରେ ଏସ୍ସିବି କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଏସ୍ସିବିର ୫ ଜଣିଆ ବିଶେଷଜ୍ଞ ଦଳ ଜ୍ୟୋତିର୍ମୟୀଙ୍କ ଏକ୍ମୋ ୟୁନିଟ୍ରେ ଚିକିତ୍ସା କରୁଛନ୍ତି। ଏକ୍ମୋ ୟୁନିଟ୍ରେ ଭର୍ତ୍ତି ହୋଇଥିବା ପ୍ରଥମ ରୋଗୀଙ୍କୁ କୋଲକାତାରୁ ଆସିଥିବା ବିଶେଷଜ୍ଞଙ୍କ ସହାୟତାରେ ଚିକିତ୍ସା କରିଥିଲେ। କଲୋକାତା ବିଶେଷଜ୍ଞ ଫେରିଯିବା ପରେ ଏସ୍ସିବିର ବିଶେଷଜ୍ଞମାନେ ହିଁ ଚିକିତ୍ସା ଦାୟିତ୍ବ ନେଇଛନ୍ତି।
ଗତକାଲି ବିଳମ୍ବିତ ରାତିରେ ପ୍ରଥମ ରୋଗୀ ଭାବେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଦକ୍ଷୀର ଗ୍ରାମର ଅନ୍ନପୂର୍ଣ୍ଣା ନାୟକଙ୍କର ଏକ୍ମୋ ଚିକିତ୍ସା ଆରମ୍ଭ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଏକ୍ମୋ ୟୁନିଟ୍କୁ ଉଦ୍ଘାଟନ କରିବାର ଠିକ ପରଦିନ ଠାରୁ ହିଁ ଏହି ଅତ୍ୟାଧୁନିକ ଚିକିତ୍ସା ସେବା ଆରମ୍ଭ ହୋଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏସ୍ସିବିରେ ଥିବା ସମୁଦାୟ ୯ଟି ଏକ୍ମୋ ମେସିନ୍ ମଧ୍ୟରୁ ୩ଟି ମେସିନ୍ କୋଭିଡ୍ ସଂକ୍ରମିତଙ୍କ ପାଇଁ ସଂରକ୍ଷିତ ରଖାଯାଇଛି।
The post ଏସ୍ସିବି ଏକ୍ମୋ ୟୁନିଟ୍ରେ ଦ୍ବିତୀୟ ରୋଗୀ, ଅନ୍ନପୂର୍ଣ୍ଣାଙ୍କ ପରେ ବଲାଙ୍ଗୀରର ଜ୍ୟୋତିର୍ମୟୀ ଭର୍ତ୍ତି ହେଲେ first appeared on Sambad.from ଜିଲ୍ଲା | Sambad https://ift.tt/3zrZLDt
0 Comments