ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନା ଅନ୍ତର୍ଗତ ଆର୍ଯ୍ୟନ ଇସ୍ପାତ ରେଲୱେ ସାଇଡିଂରେ ରବିବାର ବିଳମ୍ବିତ ରାତିରେ ଟ୍ରେଲର୍‌ ଚାପି ଦେବାରୁ ଦୁଇ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ଦ୍ବୟ ହେଲେ ଦେବଗଡ଼ ଜିଲ୍ଲାର କିଶୋର ଚନ୍ଦ୍ର ସାହୁ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଆଲୋକ ଚନ୍ଦ୍ର ପଣ୍ଡା। ସେମାନେ ରାସ୍ତାକଡ଼ରେ ଶୋଇଥିବାବେଳେ ଏହି ଦୁର୍ଘଟଣା ଘଟିିଛି।

ପ୍ରାପ୍ତ ସୂଚନା ଅନୁସାରେ, ଉକ୍ତ ରେଲୱେ ସାଇଡିଂକୁ ଝାରସୁଗୁଡ଼ା ଜିଲ୍ଲାର ଏସ୍‌ଏମ୍‌ସି କମ୍ପାନି ଲିଜ୍‌ରେ ନେଇଥିବା ବେଳେ କେଏସ୍‌ଏସ୍‌ ସିକ୍ୟୁରିଟି ସଂସ୍ଥା ପକ୍ଷରୁ କିଶୋର ଓ ଆଲୋକ ସେଠାରେ ସୁରକ୍ଷା କର୍ମୀ ଭାବେ ନିୟୋଜିତ ଥିଲେ। ରବିବାର ବିଳମ୍ବିତ ରାତିରେ ସେମାନେ ବିଶ୍ରାମ ନେବାକୁ ସାଇଡିଂର ରାସ୍ତା କଡ଼ରେ ଶୋଇ ପଡ଼ିଥିଲେ। ଏତିକି ବେଳେ ଉକ୍ତ ରାସ୍ତାଦେଇ ଯାଉଥିବା ଟ୍ରେଲର୍‌ (ଓଡି-୨୩ଏ-୬୩୧୨) ସେମାନଙ୍କୁ ଦେଖି ନ ପାରି ଚାପି ଦେଇଥିଲା। ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା।

ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରିଛି। ଟ୍ରେଲର୍‌କୁ ଜବତ କରିବା ସହ ଚାଳକକୁ ଅଟକ ରଖି ତଦନ୍ତ ଜାରି ରହିଛି।

The post ରାସ୍ତାକଡ଼ରେ ଶୋଇଥିଲେ, ଟ୍ରେଲର୍‌ ଚାପିଦେଲା: ୨ ସୁରକ୍ଷା କର୍ମୀ ମୃତ first appeared on Sambad.

from ଜିଲ୍ଲା | Sambad https://ift.tt/3kGeBzU