ମୁରିବାହାଲ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ପୁଲିସ ୪ ଜଣ ନକଲି ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୁରିବାହାଲ ବିଇଓ ମକୁନ୍ଦ ମହରାଙ୍କ ଏତଲାକ୍ରମେ ପୁଲିସ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ମୁରିବାହାଲ ବ୍ଲକ୍‌ କୁର୍ଲୁବାହାଲ ୟୁପିଏସ୍‌ର କନିଷ୍ଠ ଶିକ୍ଷକ ବନ ମହାନନ୍ଦ, ଦେବଙ୍ଗ ଏନ୍‌ୟୁପିଏସ୍‌ର କନିଷ୍ଠ ଶିକ୍ଷକ ବବ୍ରୁ ସୁନା, ଗୁଡ଼ିଘାଟ ୟୁପିଏସ୍‌ର କନିଷ୍ଠ ଶିକ୍ଷକ ଉତ୍ତମ ବାରିକ ଓ ଅଣ୍ଡାଲଦୋରୋ ଏନ୍‌ୟୁପିଏସ୍‌ର କନିଷ୍ଠ ଶିକ୍ଷକ ରଞ୍ଜିତ ପ୍ରଧାନ ବିଭିନ୍ନ ଅନୁଷ୍ଠାନର ଜାଲ୍‌ ପ୍ରମାଣପତ୍ର ଦେଇ ବହୁ ଦିନ ଧରି ଶିକ୍ଷକତା କରୁଥିଲେ। ଏନେଇ ପୂର୍ବରୁ ଅଭିଯୋଗ ହେବା ପରେ ସେମାନଙ୍କ ପ୍ରମାଣପତ୍ର, ସର୍ଭିସ ରେକର୍ଡପତ୍ରର ଟିକିନିକି ଯାଞ୍ଚ ପାଇଁ ନିର୍ଦେଶ ଦିଆଯାଇଥିଲା। କିନ୍ତୁ ବ୍ଲକ୍‌ର ପୂର୍ବତନ ବିଇଓ ସମ୍ପୃକ୍ତ ଶିକ୍ଷକମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିଲେ। ଏ ସମ୍ପର୍କରେ ଦରମା ବନ୍ଦ ଭୟରେ ଶେଷରେ ବିଇଓ ଶ୍ରୀ ମହରା ଥାନାରେ ଉକ୍ତ ୪ଜଣଙ୍କ ନାମରେ ଲିଖିତ ଏତଲା ଦେଇଥିଲେ। ପୁଲିସ ଥାନା କେସ୍‌ ନଂ ୧୪୭/୨୧ରେ ମାମଲା ରୁଜୁ କରି ସମ୍ପୃକ୍ତ ଶିକ୍ଷକମାନଙ୍କ ପ୍ରମାଣପତ୍ର ଯାଞ୍ଚ କରୁଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଇଆଇସି ଜ୍ୟୋତିରାଣୀ ଦାସ ପ୍ରକାଶ କରିଛନ୍ତି।

The post ୪ ନକଲି ଶିକ୍ଷକଙ୍କ ନାଁରେ ମାମଲା ରୁଜୁ first appeared on Sambad.

from ଜିଲ୍ଲା | Sambad https://ift.tt/3zQHbFi