କଣ୍ଟାମାଳ : କଣ୍ଟାମାଳ ବ୍ଲକ୍‌ ପଲସାଗୋରା ଅଞ୍ଚଳରେ ନକଲି ନୋଟ୍‌ କାରବାର ହେଉଥିବା ଜଣାଯାଇଛି। ଶନିବାର ପଲାସାଗୋରା ସାପ୍ତାହିକ ବଜାରରେ କିଛି ଲୋକ ମେଣ୍ଢା କିଣି ନକଲି ନୋଟ୍‌ ଦେଇଥିବା ଜଣାଯାଇଛି।

ଲୋକାପଡା ଗ୍ରାମର ଶ୍ରୀକୃଷ୍ଣ ସାହୁ ଗତ ଶନିବାର ପଲସାଗୋରା ସାପ୍ତାହିକ ବଜାରକୁ ନିଜର ଏକ ମେଣ୍ଢାକୁ ବିକ୍ରି କରିବାକୁ ଆସିଥିଲେ। ଜଣେ ବ୍ୟକ୍ତି ଆସି ୬ ହଜାର ୫ଶହ ଟଙ୍କାରେ ତାଙ୍କଠାରୁ ମେଣ୍ଢାଟିକୁ କିଣି ନେଇଥିଲା। ସମ୍ପୃକ୍ତ ବ୍ୟକ୍ତି ଶ୍ରୀକୃଷ୍ଣଙ୍କୁ ୧୩ଟି ୫ ଶହ ଟଙ୍କିଆ ନୋଟ ଦେଇଥିଲା। ଏହା ପରେ ଶ୍ରୀକୃଷ୍ଣ ଜଣେ କୁକୁଡ଼ା ବେପାରୀଙ୍କ ଠାରୁ ୪ଶହ ଟଙ୍କାରେ ଏକ ଦେଶୀ କୁକୁଡ଼ା କିଣି ତାଙ୍କ ହାତକୁ ଏକ ୫ ଶହ ଟଙ୍କିଆ ନୋଟ ବଢ଼ାଇ ଦେଇଥିଲେ। ହେଲେ କୁକୁଡ଼ା ବେପାରୀ ଏହି ନୋଟ୍‌କୁ ନକଲି କହି ଫେରାଇ ଦେଇଥିଲେ। ତାପରେ ଅନେକ ଲୋକ ଜମା ହୋଇ ଉକ୍ତ ନୋଟକୁ ନକଲି ବୋଲି ଚିହ୍ନଟ କରିଥିଲେ। ତୁରନ୍ତ ଶ୍ରୀକୃଷ୍ଣ ଟଙ୍କା ଦେଇଥିବା ବ୍ୟକ୍ତିଙ୍କୁ ଖୋଜିବାରୁ ସେ ତୁରନ୍ତ ବାଇକରେ ମେଣ୍ଢାକୁ ଧରି ଖସି ପଳାଇଥିଲା। ଏହି ଘଟଣା ପରେ ପଲସାଗୋରା ଅଞ୍ଚଳରେ ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ କୋକୁଆ ଭୟ ଦେଖା ଦେଇଛି।

The post ନକଲି ନୋଟ୍‌ରେ ମେଣ୍ଢା କିଣିନେଲେ first appeared on Sambad.

from ଜିଲ୍ଲା | Sambad https://ift.tt/3kWFoZ3