ବାରିପଦା : ପୁଣି ଲଗାଣ ବର୍ଷା କାରଣରୁ ଜିଲ୍ଲାରେ ଦେଖାଦେଇଛି ବନ୍ୟା ପରିସ୍ଥିତି। ଶୁଳିଆପଦା, ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକ୍‌ ଏହି ବର୍ଷା କାରଣରୁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। କିଛି ସ୍ଥାନରେ ଘାଇ ସୃଷ୍ଟି ହେବା ସହିତ ଘରେ ପାଣି ପଶି ସାଧାରଣ ଜନଜୀବନ ଗଭୀର ଭାବେ ପ୍ରଭାବିତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାର ୨୬ ବ୍ଲକ୍‌ରେ ମୋଟ ୧୦୪୮ ମିମି ବର୍ଷା ରେକର୍ଡ କରାଯାଇଛି। ଶୁଳିଆପଦାରେ ସର୍ବାଧିକ ୨୦୫ ମିମି ବର୍ଷା ହୋଇଛି। ସେହିପରି କୁଳିଅଣାରେ ୧୭୪ ମିମି ବର୍ଷା ହୋଇଥିବାବେଳେ ସାରସକଣାରେ ୧୧୧, ତିରିଂରେ ୧୧୬.୨୦ ମିମି ବର୍ଷା ରେକର୍ଡ କରାଯାଇଛି। ଠାକୁରମୁଣ୍ଡାରେ ଆଦୌ ବର୍ଷା ହୋଇନଥିବା ରିପୋର୍ଟରୁ ପ୍ରକାଶ। ଅନ୍ୟ ବ୍ଲକ୍‌ ଗୁଡ଼ିକ‌ ମଧ୍ୟରେ   ଶ୍ୟାମାଖୁଣ୍ଟାରେ ୨୪, ବଡ଼ସାହିରେ ୩୯, ବେତନଟୀରେ ୬, ମୋରଡ଼ାରେ ୩୩, ରାସଗୋବିନ୍ଦପୁରରେ ୧୬. ୪, ବାଙ୍ଗିରିପୋଷିରେ ୮୩.୪୦, ବାରିପଦାରେ ୨୬, ଖୁଣ୍ଟା ଓ ଜିବି ନଗରରେ ୫, ଉଦଳାରେ ୩.୬୦, କପ୍ତିପଦାରେ ୮, ବିଶୋଇରେ ୧୬, ବିଜାତଳାରେ ୧୨, ରାଇରଙ୍ଗପୁରରେ ୨୨, କୁସୁମୀରେ ୧୮, ଜାମ୍‌ଦାରେ ୪୭, ବହଳଦାରେ ୫୭.୨୦, ଯଶୀପୁରରେ ୪, କରଞ୍ଜିଆରେ ୧୦, ଶୁକୃଳିରେ ୪ ଏବଂ ରରୁଁଆରେ ୩ ମିମି ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ। ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ହାରାହାରି ୪୦.୩୨ ମିମି ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାର ଅସ୍ତିଆ ନିକଟରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଆଜି ସନ୍ଧ୍ୟା ୬ ସୁଦ୍ଧା ବିପଦ ସଙ୍କେତର ଯଥେଷ୍ଟ ତଳେ ୨୪.୧୦ ମିଟର ରହିଛି। ଏନ୍‌ଏଚ୍‌ ଗୋବିନ୍ଦପୁର ନିକଟରେ ମଧ୍ୟ ବୁଢ଼ାବଳଙ୍ଗ ଜଳସ୍ତର ନିମ୍ନରେ ପ୍ରବାହିତ ହେଉଛି। ରାଜଘାଟ ନିକଟରେ କିନ୍ତୁ ସୁବର୍ଣ୍ଣରେଖା ଆଜି ସନ୍ଧ୍ୟା ୬ଟା ସୁଦ୍ଧା ସତର୍କ ସୂଚନା ୯.୪୬ ମିଟର ତୁଳନାରେ ୧୦.୦୨ ମିଟରରେ ପ୍ରବାହିତ ହେଉଛି। ୧୦.୩୬ ହେଉଛି ଏଠାରେ ବିପଦ ସଙ୍କେତ ସୂଚକାଙ୍କ। ସୋନ, ଗଙ୍ଗାହାର ଓ କାଟ୍ରା ନଦୀକୁ ନେଇ କୌଣସି ବିପଦ ନାହିଁ। ମାତ୍ର ମଥାନୀ ନିକଟରେ ଜମ୍ଭୀରା/ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ୫.୫ ମିଟର ବିପଦ ସଙ୍କେତ ଥିବା ବ‌େଳେ ଜମ୍ଭୀରା ଆଦି ସନ୍ଧ୍ୟା ୬ ସୁଦ୍ଧା ୭ ମିଟରରେ ପ୍ରବାହିତ ହେଉଛି। ତେବେ ଜଳସ୍ତର ଖସୁଥିବାରୁ ବିପଦର କୌଣସି ଆଶଙ୍କା ନଥିବା କୁହାଯାଉଛି। ଜିଲ୍ଲାରେ ଥିବା କାଳୋ, ସୁନେଇ, ବାଙ୍କବଳ, ଖଡ଼ାଖାଇ, ନିଶା ପ୍ରମୁଖ ଜଳଭଣ୍ଡାରରେ ଉଛୁଳା ପରିସ୍ଥିତି ଦେଖାଦେଇଛି। ଏଠାରେ ଧାର୍ଯ୍ୟ ଗଚ୍ଛିତ ଜଳ ତୁଳନାରେ ପାଖାପାଖି ଜଳ ଗଚ୍ଛିତ ରହିଛି। ତେବେ ଦେଓ ଜଳ ଭଣ୍ଡାରରେ କିନ୍ତୁ ଗଚ୍ଛିତ ଜଳକୁ ନେଇ କୌଣସି ଆଶଙ୍କା ନାହିଁ।

 

The post ଲଗାଣ ବର୍ଷା କାରଣରୁ ମୟୁରଭଞ୍ଜରେ ବନ୍ୟା ପରିସ୍ଥିତି ; ‌ଶୁଳିଆପଦା, ମୋରଡ଼ା ଓ ରାସଗୋବିନ୍ଦପୁରରେ ଉଦ୍‌ବେଗଜନକ ସ୍ଥିତି first appeared on Sambad.

from ଜିଲ୍ଲା | Sambad https://ift.tt/3i0wHMu