
ଧଉଳି: ଦୟାନଦୀ ସେତୁରୁ – କଲ୍ୟାଣପୁର ଶାସନ ପର୍ଯ୍ୟନ୍ତ ୮ କିମି ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଦୁଇଥାକିଆ ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ବିଭାଗ ପକ୍ଷରୁ ଆବଶ୍ୟକ ଅର୍ଥ ବ୍ୟବସ୍ଥା କରାଯାଇଛି। ହେଲେ ଏହାର ଟେଣ୍ଡର କାର୍ଯ୍ୟ ସରିନଥିବାରୁ ରାସ୍ତା ନବୀକରଣ କାର୍ଯ୍ୟ ଆଗେଇ ପାରୁନାହିଁ। ଅନ୍ୟପକ୍ଷରେ ଉକ୍ତ ପ୍ରମୁଖ ରାସ୍ତା ଅବସ୍ଥା ଅତନ୍ତ୍ୟ କଦର୍ଯ୍ୟ ହୋଇପଡ଼ିଥିବାରୁ ଆଖପାଖ ୩ଟି ପଞ୍ଚାୟତର ଜନସାଧାରଣ ଏବେ ଯାତାୟତ କ୍ଷେତ୍ରରେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାସ୍ତାର ବିଭିନ୍ନ ସ୍ଥାନରେ ଅନେକ ଗର୍ତ୍ତ ସୃଷ୍ଟି ହୋଇଛି। ବର୍ଷାଦିନ ଯୋଗୁ ବଡ଼ ବଡ଼ ଖାଲରେ ପାଣି ଜମି ରହି ଜଳାଶୟର ଭ୍ରମ ସୃଷ୍ଟି ହୋଇଛି।
ବଡ଼ କଥା ହେଉଛି, ବର୍ଷାପାଣିରେ ବୁଡ଼ି ରହୁଥିବା ଖାଲ ଭିତରେ ରାସ୍ତା ଜାଣି ନପାରି ଚାରିଚକିଆ ଗାଡ଼ି ଚାଳକ ଏବଂ ବାଇକ ଆରୋହୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଆଜି ଏକ ଟ୍ରଲି ଅଟୋ ଇଟିପୁର ଅଭିମୁଖେ ଯାଉଥିବା ବେଳେ ଉକ୍ତ ଖାଲରେ ଓଲଟିପଡ଼ିଥିବା ସୂଚନା ମିଳିଛି। ତେବେ ଗାଡ଼ିର ଗତି କମ ଥିବାରୁ ଚାଳକ ରକ୍ଷା ପାଇଯାଇଥିଲେ। ଅନୁରୂପ ଭାବେ ରାତ୍ରି ସମୟରେ ବାଇକ ଆରୋହୀମାନେ ଦୁର୍ଘଟଣାରେ ମୃତାହତ ହେଉଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ମୁତାବକ ଏକାମ୍ର ନିର୍ବାଚନମଣ୍ଡଳୀ ସୀମା ପରସିରଭୁକ୍ତ ଦୟାସେତୁର ଡାହାଣ ପାର୍ଶ୍ବ ବନ୍ଧର ଧଉଳି ଥାନା ଅଧୀନ ଟିକରପଡ଼ା ପଞ୍ଚାୟତର କଲ୍ୟାଣପୁର ଶାସନ ପର୍ଯ୍ୟନ୍ତ ପ୍ରାୟ ୮ କିମି ବିଶିଷ୍ଟ ରାସ୍ତାକୁ ନବୀକରଣ କରିବା ଲାଗି ପୂର୍ତ୍ତ ବିଭାଗ ଉପଖଣ୍ଡ – ୨ ପକ୍ଷରୁ ୨୪ କୋଟି ମଞ୍ଜୁର ହୋଇଥିବା କୁହାଯାଉଛି। ସ୍ଥାନୀୟ ବିଧାୟକ ତଥା ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସରକାରଙ୍କ ପକ୍ଷରୁ ଟଙ୍କା ମଂଜୁର ନେଇ ଅନୁମୋଦନ ମିଳିଥିଲା। ହେଲେ ଟେଣ୍ଡର ସରିନଥିବାରୁ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ। ଅପରପକ୍ଷରେ ଗମନାଗମନ ଓ ସାମଗ୍ରୀ ପରିବହନ ସୁବିଧା ଦଅଷ୍ଟିରୁ ଉକ୍ତ ରାସ୍ତାକୁ ମରାମତି କରାଯାଉନଥିବାରୁ ସ୍ଥାନୀୟ ଜନ ସାଧାରଣ ହନ୍ତସନ୍ତ ହେଉଛନ୍ତି। ଏଦିଗରେ ନିର୍ବାହୀ ଯନ୍ତ୍ରୀ ଓ ମୁଖ୍ୟ ଯନ୍ତ୍ରୀ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।
The post ଟେଣ୍ଡରରେ ଅଟକିଛି କଲ୍ୟାଣପୁର ଶାସନ ପୂର୍ତ୍ତ ବିଭାଗ ଦୁଇଥାକିଆ ରାସ୍ତା first appeared on Sambad.from ଜିଲ୍ଲା | Sambad https://ift.tt/3zewMSR
0 Comments