ବାରିପଦା : ଦୁଇ ଦଫା ଦାବି ନେଇ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି। ସେଲ୍‌ଫ ଫାଇନାନ୍ସିଂ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ରିଆଡ୍‌ମିସନ୍‌ ଫି  ଦାଖଲର ଶେଷ ତାରିଖ ଘୁଞ୍ଚାଇବା ଏବଂ ରିଆଡ୍‌ମିସନ୍‌ ଫି’ ୭୦% ଛାଡ଼ ଭଳି ଦୁଇଟି ପ୍ରମୁଖ ଦାବି ନେଇ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକକୁ  ବନ୍ଦ କରି ଆନ୍ଦୋଳନ ଜାରି ରଖିଛନ୍ତି ।

ଆଜି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବସା, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ, କୁଳସଚିବ, ବିତ୍ତ ନିୟନ୍ତ୍ରକ, ଆଭ୍ୟନ୍ତରୀଣ ଗୁଣବତ୍ତା ପ୍ରତିବଦ୍ଧତା ସେଲ୍‌ର ନିର୍ଦ୍ଦେଶିକା, ସ୍ୱୟଂବିତ୍ତୀୟ ପାଠ୍ୟକ୍ରମର ସହସଂଯୋଜକ, ସମସ୍ତ ପ୍ରଫେସର, ଅଧ୍ୟାପକ, ଅଧ୍ୟାପିକାଙ୍କ ଉପସ୍ଥିତିରେ ଏନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ରିଆଡ୍‌ମିସନ୍‌ ଫି  ଦାଖଲର ଶେଷ ତାରିଖ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଘୁଞ୍ଚାଇବା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେହିପରି ସ୍ୱୟଂବିତ୍ତୀୟ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନଙ୍କର ରିଆଡ୍‌ମିସନ୍‌ ଫି ୨୦% ଛାଡ଼ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି । ଆବଶ୍ୟକ ସ୍ଥଳେ କିସ୍ତି ଅନୁଯାୟୀ ଫି ଦେବା ପାଇଁ ମଧ୍ୟ ସୁଯୋଗ ଦିଆଯିବ।

ଉଲ୍ଲେଖଯୋଗ୍ୟ, ଓଡ଼ିଶାର ଅନ୍ୟ କୌଣସି ସରକାରୀ ବିଶ୍ୱବିଦ୍ୟାଳୟରେ ସ୍ୱୟଂବିତ୍ତୀୟ ପାଠ୍ୟକ୍ରମର ରିଆଡ୍‌ମିସନ୍‌ ଫି ଛାଡ଼ କରାଯାଇନାହିଁ। ତଥାପି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ୨୦ ପ୍ରତିଶତ ଛାଡ଼ କରାଯାଇଛି। ତେଣୁ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଛାତ୍ରଛାତ୍ରୀମାନେ ଆନ୍ଦୋଳନରୁ ଓହରି ପାଠପଢ଼ା ଓ ପରୀକ୍ଷା କାର୍ଯ୍ୟରେ ଯଥାଶୀଘ୍ର ଯୋଗଦାନ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳସଚିବ ଅନୁରୋଧ କରିଛନ୍ତି। ଏପଟୋ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ରିଆଡମିସନ ଫି ୨୫ ପ୍ରତିଶତ ଛାଡ଼ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହାକୁ ପୂରଣ କଲେ ଆନ୍ଦୋଳନ ପ୍ରତ୍ୟାହୃ୍ତ ହୋଇଯିବ। ମାତ୍ର ଏଥିରୁ କମ୍‌ ହେଲେ ପୁନର୍ବାର ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରନେତା ଅଭିଷେକ ପଣ୍ଡା, ଶୁଭଜିତ ପାଣି ପ୍ରମୁଖ ପ୍ରକାଶ କରିଛନ୍ତି।

The post ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଦ୍ବିତୀୟ ଦିନରେ, ରିଆଡମିସନ୍‌ ଫି ୨୦ ପ୍ରତିଶତ ଛାଡ଼ ପ୍ରତିଶ୍ରୁତି ଦେଲେ କର୍ତ୍ତୃପକ୍ଷ first appeared on Sambad.

from ଜିଲ୍ଲା | Sambad https://ift.tt/3i3HB49