୬୮ବର୍ଷରେ ପୁରଣା ପୌରପାଳିକାରେ ପାର୍କିଂ ସ୍ଥାନ ନାହିଁ

ଜୟପୁର : ଜନବସତି ବଢ଼ିଛି। ତା ସାଙ୍ଗକୁ ହୁହୁ ହୋଇ ଜନସଂଖ୍ୟା ଓଗାଡି ମୋଟର ମଧ୍ୟ ବୃଦ୍ଧି ପାଇଛି। ପୂର୍ବରୁ ଘର ପିଛା ଗୋଟିଏ ବାଇକ୍ କିମ୍ବା ଗାଡି (କାର, ଜିପ) ରହୁଥିବା ବେଳେ ତାହା ଏବେ ଦିଗୁଣା କିମ୍ବା ତିନି ଗୁଣାରେ ବୃଦ୍ଧି ପାଇଛି। ଲୋକଙ୍କ ଆବଶ୍ୟକତାକୁ ଲକ୍ଷ୍ୟରେ ରଖି ଶିକ୍ଷିତ ବେକାରୀ ମାନେ ବି ବହୁ ମାତ୍ରାରେ ଦୋକାନ, ହୋଟେଲ ଓ ମଲ ଖୋଲିଛନ୍ତି। ଏସବୁ ମଧ୍ୟରେ ଜୟପୁର ପୌରପାଳିକା ୬୮ବର୍ଷରେ ପହଚିଂଛି। ତେବେ ସହର ସବୁ ଦିଗରେ ବୃଦ୍ଧି ପରେ ଯେଉଁ ପ୍ରମୁଖ ସମସ୍ୟା ଏବେ ମୁଣ୍ଡ ଟେକିଛି ତା ପ୍ରତି କାହାରି ନିଘା ଥିବା ଦେଖିବାକୁ ମିଳୁନି। ସହରରେ ନୋ ପାର୍କିଂ କିମ୍ବା ପାର୍କିଂ ବୋର୍ଡ କେଉଁଟି ଦେଖିବାକୁ ମିଳୁନି। ସହରର ମୁଖ୍ୟରାସ୍ତାରେ କିଛି ସରକାରୀ ଅଧିକାରୀଙ୍କ ବାସ ଭବନ ସମ୍ମୁଖରେ ନୋପାର୍କିଂ ବୋଲି ଲେଖା ହୋଇଥିବା ବେଳେ ପାର୍କିଂର ବୋର୍ଡ ଦେଖିବାକୁ ମିଳୁନି। ସହରର କିଛି ସ୍ଥାନରେ ଟ୍ୟାକ୍ସି ଗୁଡିକ ସେମାନଙ୍କ ମନ ମୁତାବକ ପାର୍କିଂ କରି ରଖୁଛନ୍ତି। ତେବେ ଅବିଭକ୍ତ କୋରାପୁଟ ଜିଲ୍ଲା ତଥା ଦକ୍ଷିଣଓଡିଶାର ପ୍ରମୁଖ ସହର ଜୟପୁରକୁ ବିଭିନ୍ନ କାମରେ କାର୍ କିମ୍ବା ଅନ୍ୟ କିଛି ଗାଡି ନେଇ ଆସୁଥିବା ଲୋକେ ନିଜ ଗାଡି ପାର୍କିଂ କରି ରଖିବାକୁ ସେଭଳି କିଛି ସ୍ବତନ୍ତ୍ର ସ୍ଥାନ ନାହିଁ। ଗତ କିଛି ମାସ ତଳେ କରାଯାଇଥିବା ଟାଉନହଲ୍ ପାର୍ଶ୍ବ ପାର୍କିଂ ସ୍ଥାନ ଆରମ୍ଭ ହେବାର ସପ୍ତାହକ ମଧ୍ୟରେ ବନ୍ଦ ହୋଇଯାଇଛି। ତେଣୁ ଲୋକେ ମୁଖ୍ୟରାସ୍ତା ଉପରେ ହିଁ ଗାଡି ପାର୍କିଂ କରି ରଖୁଛନ୍ତି। ସେଭଳି ସହର ଆକାର ବୃଦ୍ଧି ପାଇବା ପରେ ଲୋକେ ବଜାର, ମଲକୁ ଯିବା ପାଇଁ କିମ୍ବା ଅନ୍ୟ କିଛି କାମରେ ଆସି ନିଜ ବାଇକକୁ ରାସ୍ତା ଉପରେ ପାର୍କିଂ କରି ରଖୁଛନ୍ତି। ସେପରି ଅଟୋ ଗୁଡିକ ବି ବୃଦ୍ଧି ପାଇବା ପରେ ସେମାନଙ୍କ ପାଇଁ ସ୍ବତନ୍ତ୍ର କିଛି ଷ୍ଟାଣ୍ଡ ନଥିବାରୁ ସେମାନେ ବି ରାସ୍ତା ଉପରେ ହିଁ ପାର୍କିଂ କରି ରଖୁଛନ୍ତି। ଏହା ସହ ସବୁ ଦୋକାନୀ, ଦୋକାନରେ କାମ କରୁଥିବା କର୍ମଚାରୀ ମାନେ ମଧ୍ୟ ନିଜ ବାଇକ, ଓ ସାଇକେଲ ଆଦି ନିଜ ଦୋକାନ ସମ୍ମୁଖରେ ରଖି ଜାମ କରୁଛନ୍ତି। ଏହାଫଳରେ ସହରରେ ଦିନ ତମାମ ସହରର ମୁଖ୍ୟରାସ୍ତାରୁ ଆରମ୍ଭ କରି ଏମଜିରୋଡ଼, ରାୟବାବୁ ଲାଇନ, କଣ୍ଡ୍ରାସାହି , ମହାରାଣୀ ପେଟ୍ଟା ଆଦି ରାସ୍ତାରେ ଟ୍ରାଫିକ ଜାମ୍ ହେବା ନିୟମିତ ଘଟଣା ପାଲଟିଛି। ସେଭଳି ସହର ମଧ୍ୟରେ ନୂଆସାହି ଛକ, ଟାଉନଥାନା, ଗୌଡସାହି ଛକରେ ବୁଲା ଗାଇ ଗୋରୁ ଜମା ହୋଇ ରହିବା ବି ନିୟମିତ ପାଲଟିଛି। ପ୍ରଶାସନ ଟ୍ରାଫିକ ସମସ୍ୟା ଦୁର କରିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

The post ୬୮ବର୍ଷରେ ପୁରଣା ପୌରପାଳିକାରେ ପାର୍କିଂ ସ୍ଥାନ ନାହିଁ first appeared on Sambad.

from ଜିଲ୍ଲା | Sambad https://ift.tt/3ny0RKL

Post a Comment

0 Comments