ଝାରସୁଗୁଡ଼ା : ମାଓବାଦୀ ନାଁରେ ନିଜ କମ୍ପାନିର ସାଇଡ୍‌ ଇନଚାର୍ଜ ଓ ଏଚ୍‌ଆର୍‌ ମୁଖ୍ୟଙ୍କୁ ଧମକପୂର୍ଣ୍ଣ କଲ କରିବା ଓ ରେଜେଷ୍ଟ୍ରି ପୋଷ୍ଟ ମାଧ୍ୟମରେ ଧମକପୂର୍ଣ୍ଣ ଚିଠି ଦେଇ ପୁଲିସ ହାତରେ ଧରାପଡ଼ିଛି ଏକ ଘରୋଇ କମ୍ପାନିର କର୍ମଚାରୀ। ଗିରଫ ଯୁବକ ଜଣକ ବେଦାନ୍ତ କାରଖାନାରେ ଠିକା କାମ କରୁଥିବା ସିମେନ୍ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପନିରେ ଫିଟର ଭାବରେ କାର୍ଯ୍ୟ କରୁଥିଲା। ତା’ ନାଁ ଯୁଧିଷ୍ଠିର ପ୍ରଧାନ(୩୬) ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଯୁଧିଷ୍ଠିରକୁ ଗିରଫ କରି ପୁଲିସ ୪୧୯, ୩୮୫, ୩୮୭, ୫୦୭, ୫୦୬ ଦଫାରେ ମାମଲା ରୁଜୁ କରିଛି। ଏ ନେଇ ଗୁରୁବାର ଦିନ ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଜୁଲାଇ ୨୯ ତାରିଖ ଦିନ ସିମେନ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ କମ୍ପାନିର ସାଇଡ୍‌ ଇନଚାର୍ଜ ଅବତୁର ଖାନଙ୍କ ପାଖକୁ ରେଜେଷ୍ଟ୍ରି ପୋଷ୍ଟରେ ଏକ ଚିଠି ଆସିଥିଲା। ଏଥି ଚିଠିଟି ପଶ୍ଚିମ ଓଡ଼ିଶା ମାଓବାଦୀ ସଂଗଠନର ନାମରେ ଥିବାବେଳେ ଏଥିରେ ତାଙ୍କୁ ଧମକ୍‌ ଦିଆଯାଇ  କମ୍ପାନିରେ କାମ କରୁଥିବା ପଶ୍ଚିମ ଓଡ଼ିଶାର ଯୁବକମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ସହ ମାଓ ସଂଗଠନକୁ ଟଙ୍କା ଦେବାକୁ କୁହାଯାଇଥିଲା। ପରେ ମୋବାଇଲ ନମ୍ବର ୯୪୩୯୮୬୯୮୨୪ ରେ ବାରମ୍ବାର ତାଙ୍କ ପାଖକୁ ଧମକ୍‌ ଆସୁଥିଲା। ମାଓବାଦୀ ସଂଗଠନକୁ  ଟଙ୍କା ନଦେଲେ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଆସିବାରୁ ଅବତୁର ତାଙ୍କ ପରିବାର ଧରି ତାଙ୍କ ଗ୍ରାମ କଟକ ଜିଲ୍ଲା ସାଲେପୁର ଥାନା ଓଡ଼ସିଂକୁ ପଳାଇଥିଲେ। ଏହାପରେ ସେହି କମ୍ପାନିର ଏଚ୍‌ଆର୍‌ ମୁଖ୍ୟ ରଂଜିତ ମହାପାତ୍ରଙ୍କୁ ସମାନ ଢାଞ୍ଚାରେ ମାଓବାଦୀର ପରିଚୟ ଦେଇ ଚିଠି ପଠାଇବା ସହ ଫୋନ୍‌ରେ ଧମକ ଓ ଅର୍ଥ ଦାବି କରାଯାଇଥିଲା। ଏହା ସହିତ ପଶ୍ଚିମ ଓଡ଼ିଶାର ପିଲାଙ୍କୁ କାର୍ଯ୍ୟ କ୍ଷେତ୍ରରେ ସୁବିଧା ଯୋଗାଇବା ପାଇଁ ଉଲ୍ଲେଖ କରାଯାଇଥିଲା। ତାଙ୍କ କଥାକୁ ଯଦି କମ୍ପାନି କର୍ତ୍ତୃପକ୍ଷ ନମାନନ୍ତି ତେବେ ସେ ତାଙ୍କୁ ହତ୍ୟା କରି ତାଙ୍କ କଟା ମୁଣ୍ଡ ଜଙ୍ଗଲରେ ଫିଙ୍ଗି ଦେବେ ବୋଲି ଧମକ ଦେଇଥିଲେ।

ଏନେଇ ଅବତୁର ବଡ଼ମାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରିବା ସହ ନିଜକୁ ମାଓବାଦୀର ପରିଚୟ ଦେଇ ଧମକ ଦେଉଥିବା ଯୁଧିଷ୍ଠିରକୁ ଗିରଫ କରି ତାଙ୍କ ପାଖରୁ ୨ଟି ମୋବାଇଲ ଫୋନ୍‌, ଆଧାର କାର୍ଡ, ଡିଏଲ୍‌, ବେଦାନ୍ତ ଗେଟ୍‌ପାସ୍‌, ହେମନ୍ତ ଚୌଧୁରୀ ନାମରେ ଥିବା ଗୋଟିଏ ଆଧାର କାର୍ଡ଼, ପଶ୍ଚିମ ଓଡ଼ିଶା ମାଓବାଦୀ ସଂଗଠନ ନାମରେ ହିନ୍ଦୀରେ ଲେଖାଥିବା ଗୋଟିଏ ଚିଠି, ଅବତୁର ଓ ରଞ୍ଜିତଙ୍କ ନାମରେ ଦିଆଯାଇଥିବା ଦୁଇଟି ଚିଠି ଜବତ କରାଯାଇଛି। ଏସ୍‌ଡିପିଓ ନିର୍ମଳ ମହାପାତ୍ରଙ୍କ ତତ୍ତ୍ବାବଧାନରେ  ବଡ଼ମାଳ ଆଇଆଇସି ଅମିତାଭ ପଣ୍ଡା ଏହି ମମଲାର ତଦନ୍ତ କରୁଛନ୍ତି।

The post ମାଓବାଦୀ ନାଁରେ ଅଧିକାରୀଙ୍କୁ ଧମକ ଓ ଅର୍ଥ ଦାବି: ପୁଲିସ ହାତରେ ଧରାପଡ଼ିଲା କର୍ମଚାରୀ  first appeared on Sambad.

from ଜିଲ୍ଲା | Sambad https://ift.tt/3o6DgB5