
ରାୟଗଡ଼ା: ଥଇଥାନ ପାଇଁ ଗୁହାରି କରି ଥକିଲେଣି। କମ୍ପାନି କର୍ତ୍ତୃପକ୍ଷ, ଜିଲ୍ଲାପାଳ, ଆରଡିସିଙ୍କଠୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସବୁଠି ଅଭିଯୋଗ ସତ୍ତ୍ବେ ସମାଧାନର ବାଟ ଫିଟି ପାରୁନି। ଏପଟେ ୩ ବର୍ଷ ହେଲା ଆରପିଡିଏସି (ପୁର୍ନବାସ ଓ ପାରିପାର୍ଶ୍ବିକ ବିକାଶ ପରାମର୍ଶଦାତା କମିଟି) ବୈଠକ ବସି ନଥିବାରୁ ବିସ୍ଥାପିତ ଦହଗଞ୍ଜ ହୋଇ ଅଭିଶପ୍ତ ଜୀବନ ବିତାଉଛନ୍ତି। ବିସ୍ଥାପିତଙ୍କ ଦାବିକୁ ଗୁରୁତ୍ବ ଦେଇ ପଦକ୍ଷେପ ନେବାକୁ ଦକ୍ଷିଣାଞ୍ଚଳ ରାଜସ୍ବ କମିସନର ଟି. ଆପାଙ୍ଗ ଆଓଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା।
ଉତ୍କଳ ଆଲୁମିନା ଶିଳ୍ପାଞ୍ଚଳ ପାର୍ଶ୍ବରେ ରହିଛି ଡିମୁଣ୍ଡି, ଡି. କରଳ, କେନ୍ଦୁଖୁଟି ଗ୍ରାମ। ଏହି ୩ ଗ୍ରାମବାସୀ କମ୍ପାନି ପ୍ରତିଷ୍ଠା ସମୟରେ ଘୋର ବିରୋଧ କରିଥିଲେ। ଏପରିକି ଜମି ଅଧିଗ୍ରହଣ ସମୟରେ ଇଞ୍ଚେ ବି ଜମି ପ୍ରଦାନ ପାଇଁ ରାଜି ହୋଇନଥିଲେ। ଫଳରେ କମ୍ପାନିର ବିସ୍ଥାପିତ ତାଲିକାରେ ୩ ଗ୍ରାମବାସୀ ସାମିଲ୍ ହୋଇ ପାରିନଥିଲେ। ଡିମୁଣ୍ଡି ସହ ଡି. କରଳର ଦୁଇଟି ସାହି ଏବଂ କେନ୍ଦୁଖୁଟିର ୧୦ ପରିବାର ଉତ୍କଳ ଆଲୁମିନା ଦ୍ବାରା ପ୍ରଭାବିତ ହୋଇନଥିବାରୁ କୌଣସି ସୁବିଧା ସୁଯୋଗ ପାଇନାହାଁନ୍ତି। କମ୍ପାନି ପ୍ରତିଷ୍ଠା ପରେ କିନ୍ତୁ ୩ ଗ୍ରାମବାସୀ ପ୍ରତ୍ୟକ୍ଷରେ ନ ହେଲେ ବି ପରୋକ୍ଷରେ କମ୍ପାନି ଦ୍ବାରା ପ୍ରଭାବିତ ହୋଇ ଆସୁଛନ୍ତି। ବଫଲାମାଳି ଖଣିରୁ ଦୋରାଗୁଡ଼ା ସ୍ଥିତ ରିଫାଇନେରୀକୁ କଞ୍ଚାମାଲ ପରିବହନ ପାଇଁ ପତିଷ୍ଠା ହୋଇଥିବା କନଭେୟାର ବେଲଟ୍ ଡିମୁଣ୍ଡି ଗ୍ରାମକୁ ଲାଗି ଯାଇଛି। ଫଳରେ ମାଲ ପରିବହନ ସମୟରେ ଧୂଳି ଓ ଶବ୍ଦ ପ୍ରଦୁଷଣରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବେଲଟ୍ ଯୋଗୁ ଜୀବନ ଦୁର୍ବିସହ ହୋଇ ପଡ଼ିଥିବାରୁ ଡିମୁଣ୍ଡି ଗ୍ରାମକୁ ଅନ୍ୟତ୍ର ସ୍ଥାନାନ୍ତର କରି ବିସ୍ଥାପନ ନୀତିରେ ସାମିଲ୍ କରିବାକୁ ଉତ୍କଳ ଆଲୁମିନା ନିକଟରେ ଦାବି କରି ଆସୁଛନ୍ତି ଗ୍ରାମବାସୀ। ଯାହାକୁ କମ୍ପାନି ଅଗ୍ରାହ୍ୟ କରି ଆସୁଛି। ୧୨ ବର୍ଷ ହେଲା ଡିମୁଣ୍ଡି ଗ୍ରାମବାସୀ ବିସ୍ଥାପିତ ମାନ୍ୟତା ପାଇ ପାରୁନଥିବା ବେଳେ ଡି. କରଳର ଦୁଇଟି ସାହି ଏବଂ କମ୍ପାନି ପାଇଁ ଜମି ହରାଇଥିବା କେନ୍ଦୁଖୁଟିର ୧୦ ପରିବାର କ୍ଷତିପୂରଣ ଓ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି। ଆଜି ୩ ଗ୍ରାମର ବିସ୍ଥାପିତ ସାଂସଦ ଶ୍ରୀ ଉଲ୍ଲାକାଙ୍କ ନେତୃତ୍ବରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ ସାକ୍ଷାତ କରି ଦାବି ଜଣାଇଛନ୍ତି।
ଜିଲ୍ଲାପାଳଙ୍କ ଜରିଆରେ ପୁଣି ଥରେ ରାଜ୍ୟ ସରକାରଙ୍କ ପାଖକୁ ପ୍ରସ୍ତାବ ପଠାଇବା ପାଇଁ ଆରଡିସି ପରାମର୍ଶ ଦେଇଛନ୍ତି। ଏଥି ସହିତ ଆସନ୍ତା ୩ ମାସ ମଧ୍ୟରେ ହେବାକୁ ଥିବା ଆରପିଡିଏସି ବୈଠକରେ ଏ ସଂପର୍କରେ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସୂଚନାଯୋଗ୍ୟ, ଖଣି ଓ ଶିଳ୍ପାଞ୍ଚଳ ପାରିପାର୍ଶ୍ବରେ ବାସ କରୁଥିବା ବିସ୍ଥାପିତ, ଜମିହରା ଓ ସାଧାରଣ ଜନତାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ପୁର୍ନବାସ ଓ ପାରିପାର୍ଶ୍ବିକ ବିକାଶ ପରାମର୍ଶଦାତା (ଆରପିଡିଏସି) କମିଟି ଗଠନ କରିଛନ୍ତି। ଯାହାର ଅଧ୍ୟକ୍ଷ ଭାବେ ଆରଡିସିଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ବର୍ଷକୁ ଦୁଇଥର ଏହି ବୈଠକ ବସିବାର ନିୟମ ରହିଥିବା ବେଳେ ରାୟଗଡ଼ାରେ ଏହି ବୈଠକ ଗତ ୩ବର୍ଷ ହେଲା ବସିପାରିନି। ଶେଷ ଥର ପାଇଁ ୨୦୧୭ ଡିସେମ୍ବର ୧୦ ତାରିଖରେ ଆରପିଡିଏସି ବୈଠକ ବସିଥିଲା।
ଏହା ପୂର୍ବରୁ ୭ ବର୍ଷ ବ୍ୟବଧାନରେ ୨୦୧୦ ଫେବ୍ରୁଆରୀ ୧୮ ତାରିଖରେ ବୈଠକ ଡକାଯାଇଥିଲା। ନିୟମିତ ବୈଠକ ହେଉନଥିବାରୁ ବିସ୍ଥାପନ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଗମନାଗମନ, ନିଯୁକ୍ତି, ଜୀବନ ଜୀବିକାର ବିକାଶ ଧିମେଇ ଯାଇଛି। ଏଥି ସହିତ ବିସ୍ଥାପନ ନୀତିରେ ସଂଶୋଧନ ମଧ୍ୟ ହୋଇପାରୁନି। ଫଳରେ କମ୍ପାନି ପ୍ରତିଷ୍ଠା ପରେ ପ୍ରଭାବିତ ହୋଇଥିବା ଗ୍ରାମବାସୀ ଏବେ ଦୁର୍ଦିନରେ ଦିନ କାଟୁଛନ୍ତି। କାରଖାନାକୁ ଲାଗି ରହିଥିବା ଗ୍ରାମ ଗୁଡିକ ବାୟୁ, ଶବ୍ଦ, ଜଳ ଓ ପରିବେଶ ପ୍ରଦୂଷଣର ଶିକାର ହୋଇ ଅନେକ ରୋଗରେ ପୀଡିତ ହୋଉଛନ୍ତି। ଏ ସମସ୍ତ ବିଷୟରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କୁ ଅବଗତ ପରେ ଆରଡିସିଙ୍କୁ ଏହାର ସମାଧାନ ପାଇଁ ନିର୍ଦେଶ ହୋଇଥିଲା। ସାଂସଦ ଶ୍ରୀ ଉଲ୍ଲାକା ମଧ୍ୟ ଲୋକସଭାରେ ଏ ସମ୍ପର୍କରେ ପ୍ରଶ୍ନ କରିଥିଲେ।
The post ୩ ବର୍ଷ ହେଲା ବସିନି ଆରପିଡିଏସି ବୈଠକ; ବିସ୍ଥାପିତ ଦହଗଞ୍ଜ, ମିଳୁନି ସୁବିଧା first appeared on Sambad.from ଜିଲ୍ଲା | Sambad https://ift.tt/3zJJaKN
0 Comments