
ରାୟଗଡ଼ା: ରାୟଗଡ଼ା-ଗୁଣ୍ଟୁର ଏକ୍ସପ୍ରେସ୍ ଟ୍ରେନରୁ ରେଲୱେ ପୁଲିସ୍ ଫୋର୍ସ ମଦ ଜବତ କରିଛି। ଜବତ ହୋଇଥିବା ୫ ପେଟି ବିଦେଶୀ ମଦର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା ହେବ ବୋଲି ପୁଲିସ୍ ଅନୁମାନ କରିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ରେଲୱେ ଷ୍ଟେସନ ଦେଇ ଯାତ୍ରୀବାହୀ କୋଚ୍ ଭିତରକୁ କିପରି ମଦ ଆସିଲା ତାକୁ ନେଇ ପୁଲିସ୍ ଖୋଳତାଡ଼ ଜାରି ରଖିଛି। ଏହି ଘଟଣାରେ ପୁଲିସ୍ କାହାକୁ ଏଯାବତ୍ ଧରିବାରେ ସକ୍ଷମ ହୋଇନି।
ଅପରାହଣ୍ ୩ଟାରେ ରାୟଗଡ଼ା ଷ୍ଟେସନରୁ ଗୁଣ୍ଟୁର ଅଭିମୁଖେ ଏହି ଟ୍ରେନ୍ ଯାତ୍ରା କରୁଛି। ଯାତ୍ରା ଆରମ୍ଭ ପୂର୍ବରୁ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ କୋଚରେ ମଦ ପେଟି ଚାଲାଣ ହେଉଥିବା ନେଇ ଆରପିଏଫ୍ ପୁଲିସ୍ ସୂଚନା ପାଇଥିଲା। ପୁଲିସ୍ ଟିମ୍ ଭିନ୍ନକ୍ଷମ ଯାତ୍ରୀଙ୍କ କୋଚରେ ପହଞ୍ଚି ସିଟ୍ ତଳୁ ଅଖା ବସ୍ତାରେ ପ୍ୟାକିଂ ହୋଇଥିବା ମଦକୁ ଜବତ କରି ବାହାରକୁ ଆଣିଥିଲା।
୫ଟି ବସ୍ତାରେ ଏହି ମଦ ବିଶାଖାପାଟଣାକୁ ସ୍ଥାନାନ୍ତର ହେଉଥିଲା। ତେବେ କିଏ ଏହି ମଦ ଚାଲାଣ କରୁଥିଲା ସେ ନେଇ ପୁଲିସ୍ କୌଣସି ସୂଚନା ପାଇନି। ସନ୍ଦେହରେ କିଛି ଯାତ୍ରୀଙ୍କୁ ପୁଲିସ୍ ପଚରାଉଚରା କରୁଥିଲେ ମଧ୍ୟ କିଛି ସୁଫଳ ମିଳିପାରୁନି। ଗତ କିଛି ମାସ ହେଲା ଟ୍ରେନ୍ ଜରିଆରେ ମଦ ମାଫିଆ ସାଧାରଣ ଯାତ୍ରୀଙ୍କ ଭଳି ଷ୍ଟେସନକୁ ଆସି ଘରୋଇ ଆସବାବ ସାମଗ୍ରୀ ଭଳି ପ୍ୟାକେଟ୍ କରି ମଦ ଚାଲାଣ ଜାରି ରଖିଛନ୍ତି। ଭିନ୍ନକ୍ଷମଙ୍କ କୋଚକୁ ସାଧାରଣତଃ କେହି ଯାଞ୍ଚ ପାଇଁ ଆସୁନଥିବାରୁ ସତର୍କତାର ସହ ପ୍ୟାକିଂ କରି ବ୍ୟବସାୟ ଚଲାଇଥିଲେ ମାଫିଆ। ଯାହାର ଆଜି ସୁରାକ୍ ପାଇଛି ରେଲୱେ ପୁଲିସ୍।
The post ରାୟଗଡ଼ା-ଗୁଣ୍ଟୁର ଏକ୍ସପ୍ରେସରେ ମଦ ଚାଲାଣ, ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ କୋଚରୁ ୫ ପେଟି ମଦ ଜବତ first appeared on Sambad.from ଜିଲ୍ଲା | Sambad https://ift.tt/39HF4s1
0 Comments