
କଟକ: କଟକ ସିଡିଏ ସେକ୍ଟର-୯, ଅନ୍ୟ ସେକ୍ଟରଠାରୁ ଭିନ୍ନ। ସେକ୍ଟର ୬ ଓ ସେକ୍ଟର ୧୦ ମଧ୍ୟରେ ଥିବା ଏହି ବିରାଟ ସେକ୍ଟରରେ ରହିଛି ୧୬୭୦ଟି ପ୍ଲଟ। ଏହି ଅଞ୍ଚଳରେ ପାଖାପାଖି ୨୦ ହଜାରରୁ ଅଧିକ ଲୋକ ବାସ କରୁଛନ୍ତି। ସମୁଦାୟ ୧୫୮ ଏକର ଅଞ୍ଚଳରେ ଏହି ସେକ୍ଟରର ଅବସ୍ଥିତି। ସେଥରୁ ୯୨ ଏକର ଜମି ପ୍ଲଟିଂ କରି ବିକ୍ରି କରାଯାଇଛି। ୧୯ଟି ଓପନ ସ୍ପେସ( ଖାଲି ଜାଗା) ଏହି ସେକ୍ଟରରେ ରହିଛି। ଏଠାରେ ଦୁଇଟି ଗ୍ରୁପ ହାଉସିଂ ପ୍ରୋଜେକ୍ଟ ମଧ୍ୟ ରହିଛି। ରାସ୍ତାଘାଟ ଓ ବଜାର ଦୃଷ୍ଟିରୁ ଏହି ସେକ୍ଟର ଅନ୍ୟମାନଙ୍କ ଠାରୁ ଆଗରେ ରହିଛି। ପୁରା ସେକ୍ଟରର ଲୋକ ଏହି ୯ ନଂ ସେକ୍ଟରର ବଜାର ଉପରେ ନିର୍ଭର କରନ୍ତି।
ଅନ୍ୟ ସବୁ ସୁବିଧା ଥିଲେ ବି ଏହି ସେକ୍ଟରର ଦୁଃଖ ଅସରନ୍ତି। ସେକ୍ଟରବାସିନ୍ଦାଙ୍କୁ ଏ ଯାଏ ସେମାନଙ୍କ ମୌଳିକ ସୁବିଧା ମିଳି ପାରିନାହିଁ। ପାଇପରେ ଆସୁଥିବା ସପ୍ଲାଏ ପାଣି ପାନୀୟ ଅନୁପଯୋଗୀ। ଲୋକଙ୍କ ପାଇଁ ବିକଳ୍ପ ସୁବିଧା ନଥିବାରୁ ସେମାନେ ବାଧ୍ୟ ହୋଇ ଲୌହଯୁକ୍ତ ପାଣି ପିଉଛନ୍ତି। ମାସ ମାସ ଧରି ଷ୍ଟ୍ରିଟ୍ ଲାଇଟ ଜଳୁନି। ଅଭିଯୋଗ କଲେ କେହି ଶୁଣିବାକୁ ନାହିଁ। ସ୍ବରେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ। ଖାଲି ପଡିଥିବା ପ୍ଲଟ ଗୁଡିକ ମଧ୍ୟ ସମସ୍ୟା ସୃଷ୍ଟି କରୁଛି। ଲୋକ ସେଠାରେ ଆବର୍ଜନା ପକାଇ ରଖୁଛନ୍ତି। ବୁସ କଟିଂ କରାଯାଉନାହିଁ। ସେପଟେ କଲେକ୍ଟୋରେଟ ଗ୍ରୁପ ହାଉସିଂରୁ ଜମି ନେଇ ୨୫ ବର୍ଷ ତଳୁ ଘର କରିଥିବା ଲୋକ ଏ ଯାଏ ନିଜ ଜମି ବା ଘରର ମାଲିକ ହୋଇପାରିନାହାନ୍ତି।
ଲୌହଯୁକ୍ତ ପାଣି ପିଇ ଆମେ ଅସୁସ୍ଥ
୧୯୯୯ ମହାବାତ୍ୟା ପରଠୁ ସିଡିଏ ସେକ୍ଟର-୯ରେ ଘର କରି ରହି ଆସୁଛି। ଗତ ୨୨ବର୍ଷ ଭିତରେ ପାନୀୟ ଜଳରେ ଆଇରନ ଯୁକ୍ତ (ଲୌହ) ପାଣି ଆସୁଛି। ଯେଉଁ ପାଣିକୁ ପିଇ ଲୋକେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଊଛନ୍ତି। ଏଠାରେ ଦୀର୍ଘଦିନ ହେବ ରାସ୍ତାର ମରାମତି କରାଯାଉନାହିଁ। ରାସ୍ତା ମରାମତି ଅଭାବରୁ ପାଣି ଜମି ରହି ଦୁର୍ଘଟଣା ଘଟୁଛି। ସ୍ବରେଜର ଅପରିଷ୍କାର ପାଣିକୁ ପେଟାନାଳରେ ଖୋଲା ଛାଡି ଦିଆଯାଉଛି। ଫଳରେ ମଶାବଂଶ ବଢି ଚାଲିଛି। ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗରେ ଲୋକ ଆକ୍ରାନ୍ତ ହେଉଛନ୍ତି। ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ଗୁଡିକ ମାସ ମାସ ଧରି ଅଚଳ ରହୁଥିଲେ ବି ଏହାର ମରାମତି କରାଯାଉନାହିଁ। ସ୍ବରେଜ ଜାମ ହୋଇ ନର୍ଦ୍ଦମା ପାଣି ଭାସୁଛି। ଉଠା ଦୋକାନୀମାନଙ୍କୁ ବ୍ୟବସ୍ଥିତ କରାଯାଉନଥିବାରୁ ସିଟି ବସ ଚଳାଚଳ ହୋଇପାରୁନି। ବର୍ଷା ଦିନେ ଡାଳ ଭାଂଗି ବିଦ୍ୟୁତ୍ ସରବରାହ ବ୍ୟାହତ ହେଉଛି। ଥରେ ଲାଇନ ଗଲେ ଘଣ୍ଟାଏ ପର୍ଯ୍ୟନ୍ତ ଆସୁନି।
ନିତ୍ୟାନନ୍ଦ ରାଉତରାୟ, ଆଇନଜୀବୀ
ପୂର୍ବତନ ସଂପାଦକ, ସେକ୍ଟର ୯ ଆବାସିକ ସଂଘ
ବୁସ କଟିଂ ଠିକ୍ ଭାବେ ହେଉନି
ସେକ୍ଟର ୯ ଅଞ୍ଚଳରୁ ସଂଗୃହୀତ ଆବର୍ଜନାକୁ ପେଟାନାଳ କଡରେ ମାସ ମାସ ଧରି ଗଦା କରି ରଖାଯାଉଛି। ସମସ୍ତ ଅଧିବାସୀ ଅସ୍ବାସ୍ଥ୍ୟକର ପରିବେଶ ଭିତରେ ରହୁଛନ୍ତି। ଫଳରେ ମଶା ବଂଶ ବୃଦ୍ଧି ପାଉଛି। ଖାଲି ପ୍ଲଟ ଓ ଫାଙ୍କା ଜାଗାରେ ପଡି ରହିଥିବା ଆବର୍ଜନାକୁ ସଫା କରାଯାଉନାହିଁ। ଏହି ଆବର୍ଜନା ମାସ ମାସ ପଡି ରହି ପରିବେଶ ନଷ୍ଟ କରୁଛି। ମହାନଗର ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ବୁସ୍ କଟିଂ ଠିକ୍ ଭାବେ ହେଉନାହିଁ। ସରିସୃପ ବୁଲୁଥିବା ଦେଖିବାକୁ ମିଳୁଛି। ସେକ୍ଟର ୯ରେ ଥିବା ସମସ୍ତ ଖୋଲା ଜାଗାକୁ ଆବଦ୍ଧ କରାଯାଇ ସେଠାରେ ଫୁଲ ଗଛ ଲଗାଇ ଏହାକୁ ସୁନ୍ଦର କରାଯାଉ।
ପ୍ରଦୀପ୍ତ କୁମାର ଦାସ
ସଭାପତି, ୪ ନଂ ୱାର୍ଡ କଂଗ୍ରେସ କମିଟି
ଷ୍ଟ୍ରିଟ ଲାଇଟ ଜଳୁନି, ଜଳିଲେ ଦିଶୁନି
ମର୍କତନଗର ବା ସିଡିଏ ଯେଉଁ ଆଭିମୁଖ୍ୟ ନେଇ ଆରମ୍ଭ ହୋଇଥିଲା ତାହା ସଫଳ ହୋଇନାହିଁ। ଲୋକଙ୍କୁ ସେମାନଙ୍କ ମୌଳିକ ସୁବିଧା ଏ ଯାଏ ମିଳିନି। ଲୋକମାନେ ପିଉଥିବା ସପ୍ଲାଏ ପାଣି ପାନୀୟ ଉପଯୋଗୀ ହେଉନାହିଁ। ଏହି ପାଣି ପିଇ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ମର୍କତନଗରରେ ଯେଉଁ ଆଲୋକ ବ୍ୟବସ୍ଥା କରାଯାଇଛି ତାହା ଜଳୁନାହିଁ। ଜଳିଲେ ବି ଠିକ୍ ସେ ଦିଶୁନି। ମାସ ମାସ ଧରି ରାସ୍ତା ଅନ୍ଧାର ରହୁଛି। ସ୍ବରେଜ କାମ ମଧ୍ୟ ନିମ୍ନମାନର ହୋଇଛି। ଅଧିକାଂଶ ଜାଗାରେ ଏହା ଭୁଶୁଡି ପଡିଲାଣି। ଏହାର ମରାମତି ମଧ୍ୟ କରାଯାଉନାହିଁ। ସ୍ବରେଜ ପାଣି ରାସ୍ତାରେ ଭାସୁଛି। ରାସ୍ତାରେ ହୋଇଥିବା ଢଳେଇ ଛାଡି ଗଲାଣି।
ଗୋପାଳ ଚନ୍ଦ୍ର ମହାନ୍ତି, ପୂର୍ବତନ ସଂପାଦକ,
ସେକ୍ଟର ୯ ଆବାସିକ ସଂଘ
ପାଟ୍ରୋଲିଂ ନାହିଁ, ଚୋରି ବଢୁଛି
ଆଜି ପର୍ଯ୍ୟନ୍ତ ପାନୀୟ ଜଳ ସମସ୍ୟା ସୁଧୁରିଲାନି। ଭଲ ପାଣି ଟିକେ ପିଇବାକୁ ମିଳୁନି। ପେଟାନାଳରେ ଦୀର୍ଘ ୨୫ ବର୍ଷ ହେବ ନାଳ ପାଣି ଛଡାଯାଉଛି। ପାଣିକୁ ବିଶୋଧନ ନ କରି ସିଧାଳସଖ ଛଡା ଯାଉଛି। ପାଟ୍ରୋଲିଂ ହେଉନଥିବାରୁ ଚୋରି ବଢିବାରେ ଲାଗିଛି। ଫାଙ୍କା ଜାଗାରେ ଘର ନ ହେବାରୁ ସେଠାରେ ଜଂଗଲ ସୃଷ୍ଟି ହେଉଛି। ଫଳରେ ମଶା ବଂଶ ବୃଦ୍ଧି ପାଉଛି। ଉଠାଦୋକାନୀଙ୍କୁ ନିର୍ଦିଷ୍ଟ ଜାଗାରେ ବସା ଯାଉନାହିଁ। ପ୍ରାଥମିକ ସ୍ବାସ୍ଥ୍ୟ ସେବା ଓ ପ୍ରାଥମିକ ଶିକ୍ଷାର ବ୍ୟବସ୍ଥା କରାଯାଉନାହିଁ।
ଦେବେନ୍ଦ୍ର ନାଥ ପ୍ରଧାନ, ଅବସରପ୍ରାପ୍ତ ଏଜି କର୍ମଚାରୀ
ବିନା ବିଶୋଧନରେ ପେଟାନାଳକୁ ଯାଉଛି ଆବର୍ଜନା ପାଣି
ସିଡିଏବାସୀଙ୍କୁ ଭଲ ପାଣି ଟିକେ ପଇବାକୁ ମିଳୁନି। କିଛି ଉପାୟ ନଥିବାରୁ ଲୋକ ଲୌହଯୁକ୍ତ ପାଣି ପିଉଛନ୍ତି। ଏ ଯାଏ ପରିମଳ ଓ ଜଳ ବ୍ୟବସ୍ଥାରେ ସୁଧାର ଆସିନାହିଁ। ପେଟାନାଳକୁ ମଇଳା ପାଣି ଖୋଲାରେ ଛଡାଯାଉଛି। ଯାହା ସ୍ବାସ୍ଥ୍ୟପକ୍ଷେ ହାନିକାରକ। ମଶା ବଂଶ ବୃଦ୍ଧି ପାଉଛି। ଲୋକଙ୍କ ସୁବିଧା ପାଇଁ ସେକ୍ଟର-୯ରେ କଲ୍ୟାଣମଣ୍ଡପଟିଏ ନାହିଁ। ଜଳ ନିଷ୍କାସନ ବ୍ୟବସ୍ଥିତ ନଥିବାରୁ ରାସ୍ତାରେ ପାଣି ଜମି ରହି କୃତ୍ରିମ ବନ୍ୟା ସୃଷ୍ଟି ହେଉଛି। ଏଠାରେ ଏକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରିବାକୁ ଦାବି ହେଉଛି।
ନିତ୍ୟାନନ୍ଦ ମିଶ୍ର, ସଂପାଦକ, ସେକ୍ଟର-୯ ପୂଜା କମିଟି
from ଜିଲ୍ଲା | Sambad https://ift.tt/3yQ5phL
0 Comments